କାର୍ତ୍ତିକରେ ହବିଷ୍ୟାଳୀଙ୍କୁ ପୁରୀ ମନା: ଦଶହରା ସମେତ ଦୀପାବଳି, ବଡ ଏକାଦଶୀ ଓ କାର୍ତ୍ତିର୍କ ପୂର୍ଣ୍ଣିମାରେ ବନ୍ଦ ରହିବ ଦର୍ଶନ 

121

କନକ ବ୍ୟୁରୋ: ପ୍ରତିବର୍ଷ କାର୍ତିକ ମାସରେ ହଜାର ହଜାର ହବିଷ୍ୟାଳି ପୁରୀରେ ରହି ହବିସ କରିଥାନ୍ତି । ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କ ରାଧାଦାମୋଦର ବେଶ ଦର୍ଶନ କରନ୍ତି । କିନ୍ତୁ ବିଗତ ବର୍ଷମାନଙ୍କ ଭଳି ଏବର୍ଷ ପୁରୀରେ ଅସ୍ଥାୟୀ କ୍ୟାମ୍ପ ହେବ ନାହିଁ, କି ହବିଷ୍ୟାଳି ପୁରୀରେ ରହି ବ୍ରତ ପାଳନ କରିପାରିବେ ନାହିଁ । କରୋନା ସମୟରେ ହବିଷ୍ୟାଳିଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ପୁରୀ ନଆସିବାକୁ ଅନୁରୋଧ କରିଛି ଶ୍ରୀମନ୍ଦିର ପ୍ରଶାସନ । ଘରେ ରହି ବ୍ରତ ପାଳନ କରିବା ପାଇଁ ପରାମର୍ଶ ଦିଆଯାଇଛି । ଏହାସହ ହବିଷ୍ୟାଳିଙ୍କୁ କୌଣସି ମଠ, ଲଜ୍ କି ଧର୍ମଶାଳାରେ ନରଖିବା ପାଇଁ ତାଗିଦ୍ କରାଯାଇଛି ।

ଅକ୍ଟୋବର ୧୫ ଅର୍ଥାତ୍ ଶୁକ୍ରବାର ଠାରୁ ଶ୍ରୀମନ୍ଦିରରେ ନୂଆ ମାର୍ଗଦର୍ଶିକା ଲାଗୁ ହେବ । ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ମାର୍ଗଦର୍ଶିକା ଅନୁସାରେ,

ଶ୍ରୀମନ୍ଦିର ପାଇଁ ନୂଆ ମାର୍ଗଦର୍ଶିକା

-ଦଶହରାରେ ଭକ୍ତଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର 

-୧୬ ତାରିଖ ଗୋଷାଣୀ ଭଷାଣି ଥିବାରୁ ମଧାହ୍ନ ୧୨ରୁ ସାଧାରଣ ଦର୍ଶନ ବନ୍ଦ 

-ପୂର୍ବ ଭଳି ଅକ୍ଟୋବର ଓ ନଭେମ୍ବର ମାସର ପ୍ରତି ରବିବାର ବନ୍ଦ ରହିବ 

-ନଭେମ୍ବର ୪ରେ ଦୀପାବଳୀ, ୧୬ରେ ବଡ଼ ଏକାଦଶୀରେ ଦର୍ଶନ ବନ୍ଦ

-୧୯ରେ କାର୍ତିକ ପୁର୍ଣ୍ଣିମାରେ ଶ୍ରୀମନ୍ଦିର ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବ 

-କିନ୍ତୁ କୁମାର ପୁର୍ଣ୍ଣିମାରେ ଶ୍ରଦ୍ଧାଳୁ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ 

ପୁରୀରେ ଏବେ ବି ପ୍ରତିଦିନ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ତେଣୁ କରୋନାକୁ ଦୃଷ୍ଟିରେ ରଖି ନୂଆ ମାର୍ଗଦର୍ଶିକା ଜାରି କରାଯାଇଥିବା କହିଛି ପ୍ରଶାସନ ।