ପରିଚୟ ଖୋଜୁଛି କଳାହାଣ୍ଡି ଜିଲ୍ଲାରେ ତିଆରି ହେଉଥିବା ହାବସପୁରୀ ଶାଢୀ । ପ୍ରଚାର ପ୍ରସାରରେ ସରକାରଙ୍କ ଉଦାସିନତା ଅଭିଯୋଗ ।

112

କନକ ବ୍ୟୁରୋ : ପଶ୍ଚିମ ଓଡ଼ିଶାରେ ପ୍ରସ୍ତୁତ ହେଉଥିବା ମଧ୍ୟରେ ବରପାଲି ଶାଢୀ, ସୋନପୁର ଶାଢୀ, ବାନ୍ଧ ଶାଢୀ, ବଉଦ ଶାଢୀ ଓ ସମ୍ବଲପୁରୀ ଶାଢୀ ନିଜର ପରିଚୟ ସୃଷ୍ଟି କରିଛି । ସେଥି ମଧ୍ୟରୁ କଳାହାଣ୍ଡିର ହାବସପୁରୀ ଶାଢୀ ଜିଲ୍ଲା, ରାଜ୍ୟ, ଦେଶ ଓ ଦେଶ ବାହାରେ ନିଜୟ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା । କିନ୍ତୁ ହାବସପୁରୀ ଶାଢୀର ପ୍ରଚାର ଓ ପ୍ରସାରରେ ସରକାରଙ୍କ ଉଦାସୀନତା ପାଇଁ କମ୍ ବିକ୍ରି ହେଉଥିବା ଅଭିଯୋଗ ଆଣିଛନ୍ତି ବୁଣାକାର । ପିଢି ପିଢି ଧରି କୌଳିକ ବୃତିକୁ ଆପଣାଇଥିଲେ ମଧ୍ୟ ମିଳୁନି ଉପଯୁକ୍ତ ମୁଲ୍ୟ । ଫଳରେ ଦୁର୍ଦ୍ଦିନରେ କାଳ କାଟୁଛନ୍ତି ବୁଣାକାର ପରିବାର ।

ପରିଚୟ ଖୋଜୁଛି କଳାହାଣ୍ଡିର ବୟନଶିଳ୍ପ ହାବସପୁରୀ ଶାଢୀ । ବରପାଲି ଶାଢୀ, ସୋନପୁର ଶାଢୀ, ବାନ୍ଧ ଶାଢୀ, ବଉଦ ଶାଢୀ, ସମ୍ବଲପୁରୀ ଶାଢୀ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବେଳେ କଳାହାଣ୍ଡି ହାବସପୁରୀ ଶାଢୀର ପ୍ରଚାର ପ୍ରସାର ହେଉନଥିବା ଅଭିଯୋଗ ହୋଇଛି । ସରକାର କିମ୍ବା ପ୍ରଶାସନ ତତ୍ପରତା ଦେଖାଉନଥିବାରୁ ବୁଣାକାର ମାନେ ରୋଜଗାର ହରାଇବାକୁ ବସିଲେଣି । ବର୍ତମାନ ସମୟରେ ବିଭିନ୍ନ ମେସିନ୍ ତିଆରି ଶାଢୀ ବଜାରକୁ ଆସିବା ଯୋଗୁଁ ହାତବୁଣା ଶାଢୀର ଚାହିଦା କମିବାକୁ ଲାଗିଲାଣି । ତେଣୁ ଏହାକୁ କୌଳିକ ବୃତି କରି ନିଜର ଜୀବିକା ନିର୍ବାହ କରୁଥିବା କାରିଗର ଏବେ ଚିନ୍ତାରେ ପଡ଼ିଛନ୍ତି ।

କଳାହାଣ୍ଡି ହାବସପୁରରେ ରହୁଥିବା ଭୁଲିଆ ଓ ମେହେର ସମ୍ପ୍ରଦାୟର ଲୋକେ ଏହି ଶାଢୀ ବୁଣା କାମ କରନ୍ତି । ବର୍ତମାନ ଏହି ଶାଢୀ ବୁଣା କାମ ହାତଗଣତି କିଛି ପରିବାରରେ ସୀମିତ ଥିବା ବେଳେ ଏହାର ପ୍ରଚାର ପ୍ରସାର ପାଇଁ ଲୋକେ ଦାବି କରିଛନ୍ତି । ହାବସପୁରୀ ଶାଢୀରେ କଳାହାଣ୍ଡି ଜିଲ୍ଲାର ଆଦିବାସୀ ମାନଙ୍କ ବିଭିନ୍ନ କଳାକୃତି ବୁଣାଯାଉଥିଲା । ବୟନଶିଳ୍ପକୁ ଭାରତର ବିଭିନ୍ନ ରାଜ୍ୟରେ ଗୁରୁତ୍ୱ ଦିଆଯାଉଥିବାବେଳେ ପ୍ରଚାର ପ୍ରସାର ଓ ସହାୟତା ମିଳୁଥିବାରୁ ଏହା ଆଗକୁ ବଢିପାରୁଛି । ସରକାରଙ୍କ ଅଣଦେଖା ଯୋଗୁଁ ହାବସପୁରୀ ଶାଢୀ ଭଳି ବୟନଶିଳ୍ପ ଏବେ ଲୋପ ପାଇବାକୁ ବସିଥିବା ଅଭିଯୋଗ କରିଛନ୍ତି ବୁଣାକାର ।