ମାହୁନ୍ତ ଡାକୁଛି, ହାତୀ ହଁ ମାରୁଛି… ମଣିଷ ପ୍ରଶ୍ନର ଉତ୍ତର ଦେଉଛି ପଶୁ । ସିନେମା ନୁହେଁ ଏ ସତ କାହାଣୀ ।

255

କନକ ବ୍ୟୁରୋ: ମଣିଷ ଡାକୁଛି, ହାତୀ ହଁ ମାରୁଛି । ଠାରରେ ଠାରରେ ମଣିଷ ପଚାରୁଥିବା ପ୍ରତିଟି ପ୍ରଶ୍ନର ଉତ୍ତର ଦେଉଛି ପଶୁ । କେବେ ଶୁଣ୍ଢ ହଲାଇ ହଁ କରୁଛି ତ କେବେ ଆଖିର ଇସାରାରେ ଆଜ୍ଞା କହୁଛି । ଟିକେ ଭଲରେ ଦେଖିଲେ ଜାଣି ହେବ ପଶୁ-ମଣିଷ ଭିତରର ଏ ଭଲପାଇବା । ମାହୁନ୍ତ ମୁଣ୍ଡରେ ନିଜ ଶୁଣ୍ଢ ଲଗାଇ କେମିତି ଗେହ୍ଲା ହେଉଛି ତାହା ତାମିଲନାଡୁରୁ ଆସିଥିବା ଏ ଦୃଶ୍ୟ ହିଁ ବଖାଣୁଛି । ଆଉ ମନେପକାଇ ଦେଉଛି ବଲିଉଡର ସେହି ଚର୍ଚ୍ଚିତ ସିନେମା ହାତୀ ମେରା ସାଥୀ କଥା ।

ସାଧାରଣତ ହାତୀ ନାଁ ଶୁଣିଲେ ମନରେ କୌତୁହଳ ଆସେ । ପିଲାବେଳେ ଗାଁ ଦାଣ୍ଡକୁ ହାତୀ ଆସିଲେ ଆମେ ସମସ୍ତେ ହାତୀ ପଛେପଛେ ଧାଇଁଥାଉ । କିଏ ଧାନ ଦିଏ ତ କିଏ ପନିପରିବା । ଏଡେ ବଡ ଜନ୍ତୁକୁ ଦେଖି ଛାତିରେ ଯେତିକି ଛନକା ପଶେ । ହାତୀ ପାଖକୁ ଗଲେ କି ହାତୀ ପିଠିରେ ବସିବା ବେଳେ ମନରେ ଯେଉଁ ଭୟ ଥାଏ ଆଉ ମାହୁନ୍ତ ହାତୀକୁ ଇସାରାରେ ଆଶିର୍ବାଦ ଦେବାକୁ କହିବା ପରେ ଯେଉଁ ଡର କଟେ ତାହା ଏହି ପ୍ରେମଭରା ଭିଡିଓ ଦେଖିଲେ ପିଲାବେଳର ସେ ସ୍ମୃତି ଝାପ୍ସାଝାପ୍ସା ମନେପଡିଯାଏ ।

ତେବେ ତାମିଲନାଡୁ ତିରୁଚିରାପଲ୍ଲୀରେ ଥିବା ଶ୍ରୀରଙ୍ଗମ ମନ୍ଦିରରେ ଅଛି ଏକ ମାଈହାତୀ । ହାତୀର ସେବା ପାଇଁ ମନ୍ଦିର ପକ୍ଷରୁ ଜଣେ ମାହୁନ୍ତକୁ ନିୟୋଜିତ କରାଯାଇଛି । ଗାଧୋଇବାଠୁ ଆରମ୍ଭ କରି ହାତୀର ଖାଇବା ଯାଏଁ ସବୁକିଛି ମାହୁନ୍ତ ବୁଝୁଥିବାରୁ, ସେବା ଭିତରେ ସ୍ନହର ଡୋରିରେ ବାନ୍ଧିହୋଇଛି ହାତୀ । ଯାହାର ପ୍ରମାଣ ଏହି ଦୃଶ୍ୟ ହିଁ ବୟାନ କରୁଛି ।
କାନ୍ଥକୁ ଆଉଜି ବସିଥିବା ମାହୁନ୍ତ ଦେହରେ ହାତୀ ସ୍ନେହରେ ଶୁଣ୍ଢ ରହିଛି ଆଉ ମାହୁନ୍ତ ଯାହା ଯାହା ପଚାରୁଛି ସୁନାପିଲା ପରି ସବୁର ଉତ୍ତର ଦେଉଛି ମାଈ ହାତୀ । ମନ୍ଦିର ଭିତରେ ମାହୁନ୍ତ ମାଈ ହାତୀର ଭଲପାଇବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

କୁହାଯାଏ ସନାତନ ଧର୍ମରେ ଶ୍ରୀରଙ୍ଗମ ମନ୍ଦିର ହେଉଛି ସର୍ବବୃହତ ମନ୍ଦିର ଯେଉଁଠି ତ୍ରିନାଥ ପୂଜା ପାଆନ୍ତି । ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ଏହି ମନ୍ଦିରରେ ଏକା ସଙ୍ଗରେ ପୂଜା ପାଉଥିବାରୁ ବିଶ୍ୱାସ ରହିଛି ଏଠି ଯାହା ବି ମାନସିକ କରାଯାଏ ତାହା ପୂରଣ ହୁଏ । ଆଉ ଏପରି ଏକ ମନ୍ଦିରରେ ପଶୁ-ମଣିଷର ପ୍ରେମ କାହାଣୀ ସମସ୍ତଙ୍କୁ ମୁଗ୍ଧ କରିଛି ।