ଭୟ ବଢାଉଛି ଇନଫ୍ଲୁଏଞ୍ଜା : ୧୦ ଦିନରେ ଏକ ଲକ୍ଷ ୪୦ ହଜାର ଆକ୍ରାନ୍ତ ଚିହ୍ନଟ; କୋଭିଡ ଲକ୍ଷଣ ସହିତ ଏଚ୩ଏନ୨ର ସାମଞ୍ଜସ୍ୟ

125

କନକ ବ୍ୟୁରୋ : କୋଭିଡ -୧୯ ଭଳି ଦେଶରେ ଇଏଫ୍ଲୁଏଞ୍ଜା-୧ ଭାଇରସର ସବ ଭ୍ୟାରିଆଣ୍ଟ ଏଚ୩ଏନ୨, ଏଚ୧ଏନ୧ ସଂକ୍ରମଣ ବଢିବାରେ ଲାଗିଛି । ଗତ ୧୦ ଦିନ ମଧ୍ୟରେ ଇନଫ୍ଲୁଏଞ୍ଜାରେ ଲକ୍ଷେ ୪୦ ହଜାର ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହା ସରକାରଙ୍କ ଚିନ୍ତାକୁ ବଢାଇଦେଇଛି । ସଂକ୍ରମଣ ବଢୁଥିବା ବିଭିନ୍ନ ରାଜ୍ୟରେ ସରକାର କଟକଣା ଲାଗୁ କରିଛନ୍ତି । ଏବେ ଦେଶରେ କୋଭିଡ ସଂକ୍ରମଣ ମଧ୍ୟ ପୁଣି ବଢିବାରେ ଲାଗିଛି ।

ଗତ ୧୦ ଦିନ ମଧ୍ୟରେ ୬୦ ପ୍ରତିଶତ କୋଭିଡ ସଂକ୍ରମଣ ବଢିଛି । ଗତ ମାର୍ଚ୍ଚ ୧ ତାରିଖରେ ଭାରତରେ ଦୈନିକ ସଂକ୍ରମଣ ୨୦୦ ଥିବା ବେଳେ ଏବେ ୬୦୦ ଟପିଗଲାଣି । ଯଦି ଏଭଳି ସଂକ୍ରମଣ ବଢେ ତେବେ କଟକଣା ଆହୁରି ବଢିବ ବୋଲି କୁହାଯାଉଛି । ଦେଶରେ କୋଭିଡ ସଂକ୍ରମଣ ବଢିବା ପଛରେ ରହିଛି କୋଭିଡର ନୂଆ ଭ୍ୟାରିଆଣ୍ଟ ‘ଏକ୍ସବିବି.୧.୧୬’ପ୍ରଜାତି ।

ଭାରତ, ବ୍ରୁନେଇ, ଆମେରିକାରେ, ସିଙ୍ଗାପୁର ସହ ଅନ୍ୟ ଦେଶରେ ମଧ୍ୟ କୋଭିଡର ଏହି ନୂଆ ଭାରିଆଣ୍ଟରେ ଲୋକେ ସଂକ୍ରମିତ ହେଉଛନ୍ତିି । ସବୁଠୁ ବଡ କଥା ହେଉଛି କୋଭିଡର ପୂର୍ବ ଭାରିଆଣ୍ଟ ଅପେକ୍ଷା ନୂଆ ପ୍ରଜାତି ‘ଏକ୍ସବିବି.୧.୧୬’ ଅଧିକ ଦ୍ରୁତ ଗତିରେ ବ୍ୟାପୁଛି । ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଗୁଜରାଟରେ କୋଭିଡର ଏହି ନୂଆ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଛି ।