ଏମିତି ଗାଁ, ଯେଉଁଠି ସ୍ଥଳ ନୁହେଁ ଜଳ ଉପରେ ରହୁଛନ୍ତି ଲୋକ । ୧୩ ଶହ ବର୍ଷ ହେବ ପାଣିରେ ଘର ରହି ଆସୁଛନ୍ତ ଲୋକ । କାରଣ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ ।

340

କନକ ବ୍ୟୁରୋ: ନିଜ ସଂସ୍କୃତିକୁ ବଞ୍ଚାଇବାକୁ କିଏ କେତେ କଣ କରିଥାଏ । ଆଜି ବି ଦୁନିଆରେ ବିଭିନ୍ନ ଲୋକ ନିଜ ସଂସ୍କୃତି ଓ ପରମ୍ପରାକୁ ପାଳନ କରିଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ସ୍ଥାନ କଥା କହିବୁ ଯେଉଁଠି ଲୋକମାନେ ନିଜ ପରମ୍ପରାକୁ ପାଳନ କରିବାକୁ ଯାଇ ପାଣି ଭିତରେ ରହୁଛନ୍ତି । ହଁ ଆଜ୍ଞା କଥା ଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ପୂରା ସତ । ଆଶ୍ଚର୍ଯ୍ୟ ଲାଗିବାଟା ବି ସ୍ୱଭାବିକ କାରଣ ସାଧାରଣତଃ ମଣିଷ ମାଟିରେ ରହିଥାନ୍ତି । ହେଲେ ଏମାନେ ପାଣିରେ ରହୁଛନ୍ତି ।

ଚୀନର ଫୁଜିୟାନ ପ୍ରାନ୍ତର ନିଗଣ୍ଡେରେ ଏହି ସ୍ଥାନ ଅବସ୍ଥିତ । ଯେଉଁଠାରେ ସବୁ ଲୋକ ପାଣିରେ ହିଁ ରୁହନ୍ତି । ସାରା ଦୁନିଆର ଲୋକମାନେ ଏହି ସ୍ଥାନକୁ ଜିପ୍ସି ଅଫ ଦ ସି ବୋଲି କହନ୍ତି । ଏହି ସ୍ଥାନରେ ୭ ହଜାରରୁ ଅଧିକ ମତ୍ସ୍ୟଜୀବୀ ରହିଥାନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏଠାରେ ଲୋକ ୧୩ ଶହ ବର୍ଷ ହେବ ପାଣିରେ ରହି ଆସୁଛନ୍ତି । ଆଉ ଏମାନେ ସମସ୍ତେ ଟଙ୍କା ପ୍ରଜାତି ସହ ଜଡିତ ।

ଏହି ଗାଁରେ ସବୁ ଘର ଡଙ୍ଗା ଉପରେ ଅର୍ଥାତ ପାଣି ଭିତରେ ରହିଥାଏ । ଏହି ସବୁ ଘର ଗୁଡିକ କାଠରେ ତିଆରି ହୋଇଥାଏ । ଘରର ତଳ ଅଂଶରେ ମଜବୁତ ସାମଗ୍ରୀ ଦିଆହୋଇଥାଏ । ଫଳରେ ଘର ମଜବୁତ ହୋଇଥାଏ । ଘର ଗୁଡିକୁ ଆପଣ ଦେଖିଲେ ସେଠାକୁ ଯିବାକୁ ଭୟ କରିବେ । ହେଲେ ସେମାନେ ସେଠାରେ ବର୍ଷ ବର୍ଷ ହେବ ରହି ଆସୁଛନ୍ତି । ଜିପ୍ସି ଅଫ ଦ ସି ର ଏହି ଅଞ୍ଚଳ ଫୁଜିୟାନର ସବୁଠାରୁ ବଡ ସମୁଦ୍ର ତଟ ଅଞ୍ଚଳ ।

ଏଠାରେ ଗୋଟିଏ ସ୍ଥାନରୁ ଆଉ ଏକ ସ୍ଥାନକୁ ଯିବାକୁ ଗାଁ ଭିତରେ ପୋଲର ବ୍ୟବସ୍ଥା ମଧ୍ୟ ହୋଇଛି । ଏହାରି ଭିତରେ ସେମାନେ ଚଳ ପ୍ରଚଳ ମଧ୍ୟ କରିଥାନ୍ତି । ଆଉ ନିଜ ଜୀବନକୁ ଏହି ପାଣି ଭିତରେ ହିଁ ଅତିବାହିତ କରିଥାନ୍ତି । ଏମାନଙ୍କ ମୁଖ୍ୟ ଜୀବିକା ହେଉଛି ମାଛ ଧରିବା । ସମୁଦ୍ରରେ ମାଛ ଧରିବା ପରେ ଏହାକୁ ବଜାରରେ ନେଇ ବିକ୍ରି କରିଥାନ୍ତି । ସେଇଥିରୁ ନିଜ ଗୁଜୁରାଣ ମେଣ୍ଟାଇଥାନ୍ତି ।

ଏମାନଙ୍କ ଇତିହାସ ମଧ୍ୟ ଅନେକ ରୋମାଞ୍ଚକର । ସପ୍ତମ ଶତାଦ୍ଧି ବେଳେ ଏଠାରେ ତାଙ୍ଗ ରାଜବଂଶର ଶାସନ ରହିଥିଲା । ତାଙ୍ଗ ଶାସନରେ ଟଙ୍କା ପ୍ରଜାତିର ଲୋକମାନଙ୍କ ଉପରେ ଅନେକ ଜୁଲମ ହେଉଥିଲା । ସେମାନଙ୍କୁ ହଇରାଣ କରାଯାଉଥିଲା । ଏହି ସବୁରୁ ବଞ୍ଚିବାକୁ ଯାଇ ଏମାନେ ପାଣିରେ ରହିବାକୁ ଚାଲି ଆସିଥିଲେ । ଏବେ ସମୟ ବଦଳିବା ସହ ସବୁ କିଛି ବଦଳି ସାରିଛି, ହେଲେ ଏମାନେ ନିଜ ସଂସ୍କୃତି ସହ ବାନ୍ଧି ହୋଇଯାଇଛନ୍ତି । ସେବେଠାରୁ ଆଉ ଏମାନେ ସ୍ଥଳକୁ ଫେରୁନାହାନ୍ତି ।