ରାଜ୍ୟ ସରକାରଙ୍କ ବଡ ନିଷ୍ପତି: ଅଗଷ୍ଟ ୫ତାରିଖରୁ ରାଜ୍ୟରେ ଖୋଲିବ ଯୋଗ କେନ୍ଦ୍ର ଓ ଜିମ୍ ସେଂଟର; ହେଲେ ମାନିବାକୁ ହେବ ସର୍ତ୍ତ

431

କନକ ବ୍ୟୁରୋ: ଅଗଷ୍ଟ ୫ରୁ ଖୋଲିବ ଜିମ୍ । କରୋନା ମହାମାରୀ ଭିତରେ ରାଜ୍ୟ ସରକାରଙ୍କ ବଡ ନିଷ୍ପତି । ଅନଲକ ୩.୦ରେ ରୂପରେଖ ନେଇ ଆଜି ରାଜ୍ୟ ସରକାର କରିଛନ୍ତି ବଡ ଘୋଷଣା । ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟରେ କୋଭିଡ କଟକଣାକୁ କୋହଳ କରିଛନ୍ତି ସରକାର । କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ରାଜ୍ୟରେ ମଧ୍ୟ କିଛି ମାତ୍ରାରେ କରୋନା କଟକଣା କୋହଳ କରିଛନ୍ତି ରାଜ୍ୟ ସରକାର । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା ।

ପୂର୍ବରୁ କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି ହୋଇଥିବା ଅନଲକ ୩.୦ ଗାଇଡଲାଇନ ଭଳି ରାଜ୍ୟରେ ମଧ୍ୟ ଆସନ୍ତାକାଲିଠାରୁ କୋଭିଡ୍ କଟକଣାକୁ କୋହଳ କରାଯାଇଛି । ଏହି କ୍ରମରେ ଅଗଷ୍ଟ ୧ ତାରିଖରୁ ରାଜ୍ୟରେ ନାଇଟ କର୍ଫ୍ୟୁ ରାତି ୯ଟାରୁ ସକାଳ ୫ଟା ଯାଏଁ ଜାରି ରହିବା ସହ ଅଗଷ୍ଟ ୫ ତାରିଖରୁ ଜିମ୍ ଏବଂ ଯୋଗ ଅନୁଷ୍ଠାନ ଖୋଲିବାକୁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ସେହିଭଳି ରାତ୍ରକାଳୀନ କର୍ଫ୍ୟୁ ସମୟରେ ଅତ୍ୟାବଶ୍ୟକ ସେବା ଚାଲୁ ରହିବ ।

ତେବେ କଂଟେନମେଂଟ ଜୋନରେ ଲକଡାଉନ ସଂପୂର୍ଣ୍ଣ ଭାବେ ଲାଗି ହେବ । କଂଟେନମେଂଟ ଜୋନରେ ଅବାଧ ଯାଆ ଆସ ଉପରେ କଟକଣା ଜାରି କରା ଯାଇଛି । ଅଗଷ୍ଟ ୩୧ ତାରିଖ ଯାଏଁ ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ହେଲେ ପରୀକ୍ଷା କରାଯାଇପାରିବ, ଖାତା ଦେଖା ହେବା ସହ ଅନ୍ୟାନ୍ୟ ଆଡମିନିଷ୍ଟ୍ରେଟିଭ କାମକାର୍ଯ୍ୟ କରିହେବ ବୋଲି ସୂଚାନ କହିଛନ୍ତି ଏସଆରସି ପ୍ରଦୀପ ଜେନା । ସେହିଭଳି ଅଗଷ୍ଟ ୧ରୁ ୩୧ ଅଗଷ୍ଟ ଯାଏଁ ଆନ୍ତଃଜାର୍ତୀୟ ବିମାନ ସେବା ବନ୍ଦ ରହିବ । ସିନେମା ହଲ, ସୁଇମିଂ ପୁଲ, ଥିଏଟର, ସାମାଜିକ ଓ ରାଜନୈତିକ କାର୍ଯ୍ୟ ଆଦି ବନ୍ଦ ରହିବା ନେଇ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।