କନକ ବ୍ୟୁରୋ : ବହୁ ପରିଚିତ ବଲିଉଡ ଗୀତିକାର ତଥା ଉର୍ଦ୍ଦୁ କବି ଗୁଲଜାରଙ୍କୁ ମିଳିବ ଜ୍ଞାନପୀଠ ପୁରସ୍କାର । ୨୦୨୩ ବର୍ଷ ପାଇଁ ୨ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଜ୍ଞାନପୀଠ ପୁରସ୍କାର ଦିଆଯିବ । ଗୁଲଜାରଙ୍କ ସମେତ ତୁଳସୀ ପୀଠର ମୁଖ୍ୟ ଜଗତଗୁରୁ ରାମଭଦ୍ରାଚାର୍ଯ୍ୟଙ୍କୁ ମଧ୍ୟ ଏହି ସମ୍ମାନଜନକ ପୁରସ୍କାର ଦିଆଯିବ । ହିନ୍ଦି ସିନେମା ଜଗତରେ ବେଶ ଲୋକପ୍ରିୟ ଗୀତିକାର ଭାବେ ବେଶ ପରିଚିତ ଗୁଲଜାର । ଏହା ପୂର୍ବରୁ ଗୁଲଜାରଙ୍କୁ ଉର୍ଦ୍ଦୁ ଭାଷା ପାଇଁ ୨୦୦୨ ମସିହାରେ ସାହିତ୍ୟ ଏକାଡେମୀ ପୁରସ୍କାର ମଧ୍ୟ ମିଳିଥିଲା । ସେହିପରି ୨୦୧୩ରେ ଦାଦା ସାହେବ ଫାଲକେ ପୁରସ୍କାର, ୨୦୦୪ରେ ପଦ୍ମଭୂଷଣ ସମେତ ୫ଥର ଜାତୀୟ ପୁରସ୍କାର ମଧ୍ୟ ମିଳିଛି । ସେହିପରି ଚିତ୍ରକୁଟରେ ଥିବା ତୁଳସୀ ପୀଠର ମୁଖ୍ୟ ଜଗତଗୁରୁ ରାମଭଦ୍ରାଚାର୍ଯ୍ୟ, ସଂସ୍କୃତ ବିଦ୍ୱାନ ଭାବେ ପରିଚିତ । ହିନ୍ଦୁ ଆଧ୍ୟାତ୍ମିକ ଗୁରୁ ତଥା ଶିକ୍ଷାବିତ୍ ଏବଂ ଲେଖକ ଭାବେ ବେଶ ଜଣାଶୁଣା । ଜଗତଗୁରୁ ରାମଭଦ୍ରାଚାର୍ଯ୍ୟ ୧୦୦ରୁ ଅଧିକ ପୁସ୍ତକ ରଚନା କରିଛନ୍ତି । ଗୀତିକାର ଗୁଲଜାର ଏବଂ ରାମଭଦ୍ରାଚାର୍ଯ୍ୟଙ୍କୁ ପୁରସ୍କାର ଦିଆଯିବା ନେଇ ଜ୍ଞାନପୀଠ ପୁରସ୍କାର କମିଟି ପକ୍ଷରୁ ଘୋଷଣା କରାଯାଇଛି ।