କନକ ବ୍ୟୁରୋ : ଭୟଙ୍କର ସାମୁଦ୍ରିକ ଝଡ ‘ଫୋନି’ ପ୍ରଭାବରେ ଉଜୁଡି ଯାଇଛି ଉପକୂଳ ଓଡିଶା । ଛାରଖାର ହୋଇଯାଇଛି ସବୁକିଛି । ଫୋନି ସିନା ଚାଲିଯାଇଛି, ହେଲେ ଯେଉଁ ଚିହ୍ନ ଛାଡିଯାଇଛି, ତାହା କେବେ ଯେ ଲିଭିବ, ଆକଳନ କରିବା ମଧ୍ୟ ମୁସ୍କିଲ । କିନ୍ତୁ ଫୋନିକୁ ନେଇ ଏବେ ସୋସିଆଲ ମିଡିଆରେ ଏକ ରୋଚକ କଥା ହେଉଛି । ସୋସିଆଲ ମିଡିଆରେ କିଛି ୟୁଜର୍ସ ଫୋନିକୁ ଧନ୍ୟବାଦ ଜଣାଉଥିବାର ଦେଖିବାକୁ ମିଳିଛି ।
ଫେସବୁକରେ କିଛି ୟୁଜର୍ସ ଲେଖିଛନ୍ତି, ‘ଫୋନି, ତୁମେ ମୋତେ ଶିଖାଇ ଦେଲ ଭୁବନେଶ୍ୱର ବିନା ଗାଁରେ ରହିହେବ । ତୁମେ ମୋତେ ଶିଖାଇଲ ପାଖ ପଡିଶାଙ୍କ ସହ ଉତ୍ତମ ସମ୍ପର୍କ ରଖିବାର ଫାଇଦା କଣ । ତୁମେ ମୋତେ ଶିଖାଇଲ କମ ପାଣିରେ କେମିତି ଜୀବନ ଅତିବାହିତ କରିହେବ । ବିନା ବିଦ୍ୟୁତରେ କେମିତି ବଞ୍ଚି ହେବ ଓ ବିନା ଏସିରେ କେମିତି ଶୋଇହେବ । ମୋବାଇଲ, ଇଣ୍ଟରନେଟ୍ ବାହାରେ ବି ଏକ ସୁନ୍ଦର ଦୁନିଆ ଅଛି, ତାହା ବି ଦେଖାଇ ଦେଲ ଫୋନି । ୱାସିଙ୍ଗ ମେସିନ ବିନା ମଧ୍ୟ ପ୍ୟାଣ୍ଟ ସାର୍ଟ ଧୋଇହେବ । ବିନା ଗାଡିରେ ସାଇକେଲରେ ମଧ୍ୟ ଅଫିସ ଯାଇହେବ । କ୍ରେଡିଟ୍ କାର୍ଡ, ଡେବିଟ୍ କାର୍ଡ, ବ୍ୟାଙ୍କ ବିନା ମଧ୍ୟ ବଞ୍ଚିହେବ । ଜରୁରୀକାଲୀନ ପରିସ୍ଥିତିରେ ମଧ୍ୟ କେମିତି ବଞ୍ଚି ହେବ ତାହା ଫୋନି ଶିଖେଇ ଦେଇଯାଇଛି । ପ୍ରକୃତିକୁ ଭଲ ପାଇବା ଏବଂ ତାର ଯତ୍ନ ନେବା ଶିଖାଇ ଦେଇଥିବାରୁ ଫୋନିକୁ ସୋସିଆଲ ମିଡିଆରେ ଧନ୍ୟବାଦ ଜଣାଉଛନ୍ତି ୟୁଜର୍ସ ।
ବାତ୍ୟା ଫୋନି ବହୁତ କଷ୍ଟ ଦେଇଛି କିନ୍ତୁ ତା ବଦଳରେ ବହୁତ କିଛି ଶିକ୍ଷା ଦେଇଛି ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ତେବେ ଗତ ୩ ତାରିଖରେ ବାତ୍ୟା ଫୋନି ଯେଉଁ ତାଣ୍ଡବ ରଚି ଦେଇଯାଇଛି, ସେଥିରେ ହସ୍ତସନ୍ତ ହେଉଛି ଓଡିଶା । ଅନେକ ଘରଦ୍ୱାର ଭାଙ୍ଗିଯାଇଥିବା ବେଳେ ହଜାର ହଜାର ଗଛ ମାଟିକାମୁଡି ପଡିଛି । ଆଉ ଏଭଳି ପରିସ୍ଥିତିରେ ଲକ୍ଷ ଲକ୍ଷ ଲୋକ ନା ଠିକସେ ଖାଇବାକୁ ପାଉଛନ୍ତି ନା ଠିକସେ ପାଣି ମୁନ୍ଦାଏ ପାଉଛନ୍ତି । ପରିସ୍ଥିରେ ଧିରେ ଧିରେ ସୁଧୁରିଥିବା ବେଳେ ଫୋନିକୁ ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ହେଉଛି ।