ଗୁରୁପ୍ରିୟା ସେତୁ ନିର୍ମାଣ : ଧାର୍ଯ୍ୟ ସମୟ ଶେଷ, ଆହୁରି ୨୦ ପ୍ରତିଶତ କାମ ବାକି

39

କନକ ବ୍ୟୁରୋ: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳବାସୀଙ୍କ ସ୍ୱପ୍ନର ସେତୁ ଗୁରୁପ୍ରିୟା ସେତୁ ନିର୍ମାଣ ପାଇଁ ସରକାରଙ୍କ ଦ୍ୱାରା ପ୍ରଦତ୍ତ ଧାର୍ଯ୍ୟ ସମୟ ସୀମା ଶେଷ ହୋଇଯାଇଛି । ତେବେ ଠିକା କଂପାନି କାମ ଶେଷ କରିବାକୁ ଆଉ ୨ ମାସ ସମୟ ମାଗିଥିବା ବେଳେ ଆହୁରି ୨୦ ପ୍ରତିଶତ କାମ ବାକି ରହିଛି । ତେଣୁ ଆଗାମୀ ୨ ମାସ ମଧ୍ୟରେ ସେତୁ କାର୍ଯ୍ୟ ସଂପୂର୍ଣ୍ଣ ହେବା ନେଇ ଅନିଶ୍ଚିତତା ରହିଛି । ତେବେ ନିର୍ବାହୀ ଯନ୍ତ୍ରୀ ଅରୁଣ କୁମାର ସାହୁ କହିଛନ୍ତି ଯେ, କାମ ଜୋରସୋରରେ ଚାଲିଛି । ତେଣୁ ନଭେମ୍ବର ମାସ ମଧ୍ୟରେ ସରିଯିବ । ସେତୁର ଗାର୍ଡର ଭାଙ୍ଗିବା ପରେ ନିର୍ମାଣ ଶେଷ କରିବାକୁ ସରକାରଙ୍କୁ ଆଉ ଦୁଇ ମାସ ଅର୍ଥାତ୍ ନଭେମ୍ବର ପର୍ଯ୍ୟନ୍ତ ସମୟ ଦେବାକୁ ଠିକା କଂପାନି ପକ୍ଷରୁ କୁହାଯାଇଥିଲା । ତେବେ ବର୍ତ୍ତମାନର ସ୍ଥିତି ଦେଖିଲେ ୨୦ ପ୍ରତିଶତ କାର୍ଯ୍ୟ ୨ ମାସ ମଧ୍ୟରେ ଶେଷ ହେବା ନେଇ ସ୍ଥାନୀୟ ଲୋକେ ଆଶଙ୍କା ପ୍ରକାଶ କରିଛନ୍ତି ।

ଗୁରୁପ୍ରିୟା ସେତୁ ନିର୍ମାଣ ଶେଷ ପାଇଁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ ହୋଇଥିଲା । ପ୍ରଥମେ ପାଇଲ୍ ଢଳିବା ଏବଂ ଏହାପରେ ତିନୋଟି ଗାର୍ଡର ପଡ଼ିଯିବା ଯୋଗୁଁ ସେତୁର ସ୍ଥାୟୀତ୍ୱ ନେଇ ବିଛିନ୍ନାଞ୍ଚଳବାସୀ ପ୍ରଶ୍ନ କରିଥିଲେ । ପାଣିର ସ୍ରୋତ ଅଧିକ ଥିବାରୁ ପାଇଲ୍ ଢଳିଗଲା ବୋଲି କୁହାଯାଇଥିବା ବେଳେ ଗାର୍ଡର ପଡିଯିବା ପାଇଁ ପବନକୁ ଦାୟୀ କରାଯାଇଥିଲା । ସରକାର ମଧ୍ୟ ଏହାକୁ ଗ୍ରହଣ କରି ନେଇ ଚୁପ୍ ରହିଗଲେ । ଗାର୍ଡରଗୁଡିକ ଭଲ ଭାବେ ଲଗାଯାଇନଥିବାରୁ ପବନରେ ପଡିଗଲା ବୋଲି ନିର୍ବାହୀ ଯନ୍ତ୍ରୀ ଗଣମାଧ୍ୟମକୁ କହିଥିଲେ । ତେବେ ସେ ଯାହା ହେଉ ବର୍ତ୍ତମାନ ସୁଦ୍ଧା ସେତୁର ୧୩୬ଟି ପାଇଲ ନିର୍ମାଣ ସମାପ୍ତ ହୋଇଛି । ଏଥିରେ ୨୩ଟି ପିଅର ଏବଂ ୨୩ଟି ପିଅର କେପ୍ କାମ ମଧ୍ୟ ସମାପ୍ତ ହୋଇଥିବା ବିଭାଗ କହିଛି । ଆଉ ୧୮ଟି ଗାର୍ଡର ଲାଗିବାକୁ ବାକି ରହିଛି । ସେ ମଧ୍ୟରୁ ୧୫ଟି ଷ୍ଟିଲ ଗାର୍ଡର ଏବଂ ୩ଟି କଂକ୍ରିଟ ଗାର୍ଡର ଲାଗିବା ବାକି ରହିଛି । ସେହିପରି ୬ଟି ସ୍ଲାବ ବାକି ରହିଥିବା ଦେଖିବାକୁ ମିଳିଛି ।

ସେହିପରି ଗୁରୁପ୍ରିୟା ସେତୁ ଠାରୁ ୧୧୫୦ ମିଟର ରାସ୍ତା ମଧ୍ୟ ନିର୍ମାଣ କରିବାର ବାକି ରହିଛି । ଏହି ରାସ୍ତାରେ ତିନୋଟି ବ୍ରିଜ ରହିଛି । ସେଥିମଧ୍ୟରୁ ଦୁଇଟି ବ୍ରିଜର କାମ ସମାପ୍ତ ହୋଇଥିବା ଦେଖିବାକୁ ମିଳିଛି । ସେତୁ ନିର୍ମାଣ ହେଲେ ବିଛିନ୍ନାଞ୍ଚଳର ୯ଟି ପଞ୍ଚାୟତର ୧୫୧ଟି ଗ୍ରାମର ପ୍ରାୟ ୩୦ ହଜାରରୁ ଅଧିକ ଲୋକେ ଉପକୃତ ହେବେ । ବଡପଡା ପଞ୍ଚାୟତର ସାଧୁ ହନ୍ତାଳ ଏବଂ ରାମ କରତାମିଙ୍କ କହିବା ଅନୁଯାୟୀ, ସେମାନେ ଏହି ସେତୁ ଦେଇ ଯାତାୟାତ କରିବା ପାଇଁ ଦୀର୍ଘ ବର୍ଷ ହେଲା ସ୍ୱପ୍ନ ଦେଖି ଆସୁଛନ୍ତି । ସେତୁ ନିର୍ମାଣ ବିଳମ୍ବ ହେଉଥିବାରୁ ବିଚ୍ଛିନ୍ନାଞ୍ଚଳବାସୀଙ୍କ ସ୍ୱପ୍ନ ଏବଂ ସମ୍ଭାବନାର ପଦ୍ମ ମଧ୍ୟ ଘୁଞ୍ଚି ଘୁଞ୍ଚି ଯାଉଛି ବୋଲି କହିଥିଲେ ।