ହତ୍ୟା ଅଭିଯୁକ୍ତ ହେଲେ ‘ଗୁରୁଜୀ’ । ଘର ଭିତରୁ ଘୋଷାଡି ଘୋଷାଡି ନେଲା ପୋଲିସ । 

218

କନକ ବ୍ୟୁରୋ: କୁହାଯାଏ ଅପରାଧୀ ଯେତେ କ୍ଷମତାଶାଳୀ ଓ ଚାଲାକ ହେଲେ ବି ଆଇନର ପଞ୍ଜା ଭିତରୁ ଖସିପାରି ନଥାଏ । ଠିକ୍ ସେହିଭଳି  ମାନସ ଦାସଙ୍କ କ୍ଷେତ୍ରରେ ରାଜନୈତିକ ପ୍ରଭାବ, ଆଇନଜୀବିର କ୍ଷମତା କିଛି ବି କାମ କରିନି । ଶେଷରେ ତାଙ୍କ ବିରୋଧରେ ଆସିଥିବା ହତ୍ୟା , ଗୁଣ୍ଡାଗିରି , ନିର୍ଯାତନା ଅଭିଯୋଗରେ ତାଙ୍କୁ ଗିରଫ କରିଛି ଖୋର୍ଦ୍ଧା ପୋଲିସ । ଗୁରୁଜୀ ନାଁରେ ଆତଙ୍କରାଜ ଚଳାଇ, ଲୋକଙ୍କୁ ଜୋର ଜବରଦସ୍ତ ସଂଗଠନରେ ସାମିଲ ହେବାକୁ ବାଧ୍ୟ କରି ଏବଂ ହତ୍ୟା ଭଳି ସଂଗୀନ ଅପରାଧରେ ସମ୍ପୃକ୍ତ ଥିବା ମାନସ ଦାସଙ୍କୁ ଘୋଷାରି ଘୋଷାରି ଉଠାଇ ନେଇଛି ଖୋର୍ଦ୍ଧା ପୋଲିସ । କାରଣ ଏହି ବ୍ୟକ୍ତି ଖୋର୍ଦ୍ଧାର ବେଗୁନିଆଁ ଅଞ୍ଚଳରୁ ଆରମ୍ଭ କରି ଓଡିଶାର ବିଭିନ୍ନ ସ୍ଥାନରେ ଏଭଳି କାମ କରୁଥିଲେ, ଯାହାକୁ ନେଇ ଅଭିଯୋଗର ଫର୍ଦ୍ଦ ଲମ୍ବି ଚାଲିଥିଲା ଆଉ ଶେଷରେ ପୋଲିସ ତାଙ୍କୁ ଉଠାଇ ନେଇଛି ।

ଆଜି ଦିନ ପ୍ରାୟ ୩ଟା ବେଳକୁ ମାନସ ଦାସଙ୍କୁ ଖୋଜି ଖୋଜି ତାଙ୍କ ବାସଭବନରେ ପହଁଞ୍ଚିଥିଲା ଖୋର୍ଦ୍ଧା ପୋଲିସର ସ୍ୱତନ୍ତ୍ର ଟିମ୍ । ହେଲେ, ଆଇନପାଠ ପଢ଼ିଥିବା ମାନସ କୌଣସି ଉପାୟରେ ଖବର ପାଇଯିବା ପରେ ଚତୁରତାର ସହ ଖସିଯିବାକୁ ଉଦ୍ୟମ କରିଥିଲେ । ଘର ଆଗପଟେ ପୋଲିସ ଥିବାରୁ ପଛପଟ ଦେଇ ଚାଲିଯିବାକୁ ବସିଥିଲେ । ହେଲେ, ମାନସ ଦାସ ଖସିବା ପାଇଁ କିଛି ବି ଚାଲାକି କରିପାରେ ଏହା ଜାଣିପାରିଥିଲେ ପୋଲିସ । ସେଥିପାଇଁ ଯୋଜନା ବଦ୍ଧ ଭାବେ କିଛି ଆଗ ପଟେ ଥିବା ବେଳେ ଆଉ କେତେଜଣ ପଛପଟୁ ଚାଲି ଆସିଥିଲେ ଆଉ ବାଡିପଟୁ ମାନସଙ୍କୁ ଧରିବାରେ ସକ୍ଷମ ହୋଇଛନ୍ତି ।

ତେବେ ଯିଏ ଦିନେ ହଜାର ଲୋକଙ୍କୁ ପ୍ରବଚନ ଦେଉଥିଲେ, ଲୋକମାନେ ଯାହା ବେକରେ ଫୁଲମାଳ ପକାଉଥିଲେ, ଯାହା ପାଦ ଛୁଇଁ ମୁଣ୍ଡିଆ ମାରୁଥିଲେ , ସେ ହୁଏତ କେବେ ବି ଭାବି ନଥିବେ ତାଙ୍କର ଏଭଳି ଅସହାୟ ଅବସ୍ଥା ହେବ । ରାସ୍ତା ଉପରେ ତାଙ୍କୁ ଘୋଷାଡି ଘୋଷାଡି ନେବ ପୋଲିସ । କିନ୍ତୁ ତାଙ୍କ ବିରୋଧରେ ଅଭିଯୋଗର ଫର୍ଦ୍ଦ ଲମ୍ବିବା ପରେ ଆଉ ଅନ୍ୟ ଅପରାଧୀଙ୍କ ଭଳି ଖସି ଯିବାକୁ ଉଦ୍ୟମ କରିବା ବେଳେ ଶେଷରେ ଉଠାଇ ନେଇଛି ପୋଲିସ । ମାନସ ଦାସଙ୍କୁ ପୋଲିସ ଧରିବା ପରେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଆହୁରି ଜୋର ହୋଇଛି । ମାନସ ଦାସଙ୍କୁ ଖୋର୍ଦ୍ଧା ପୋଲିସ ନେବା ପରେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର ଗୁମର ଖୋଲିବ । ଆଉ ତାଙ୍କ ଅପରାଧ ସାମ୍ରାଜ୍ୟରେ ପୂର୍ଣ୍ଣଛେଦ ପଡିବ ବୋଲି ଆଶା ରଖିଛନ୍ତି ଅଞ୍ଚଳବାସୀ ।