କନକ ବ୍ୟୁରୋ: ଠିକ୍ ଯେମିତି ସାରଥୀ ପ୍ରବଚନ ଦେଉଥିଲେ, ତାଙ୍କଠାରେ ବିଶେଷ ଶକ୍ତି ରହିଛି ବୋଲି ଲୋକଙ୍କ ମନରେ ବିଶ୍ୱାସ ଜନ୍ମାଇବାକୁ ଚାହୁଁଥିଲେ, ଠିକ୍ ସେହିଭଳି ଫର୍ମୁଲା ଆପଣାଇଥିଲା ଗୁରୁଜୀ ଓରଫ ମାନସ ଦାସ । ଶହ ଶହ ଲୋକଙ୍କୁ ବସାଇ ପ୍ରବଚନ ଦେଉଥିଲା ବେଗୁନିଆରେ ଆତଙ୍କରାଜ ଚଳାଇଥିବା ଗୁରୁଜୀ । ସେ ଭଲଭାବେ ଜାଣିଥିଲା, ଲୋକଙ୍କ ଠାରେ ଥରେ ବିଶ୍ୱାସ ସୃଷ୍ଟି ହୋଇଗଲେ, ତାଙ୍କୁ ଅବଜ୍ଞା କରିବେନାହିଁ, ଠାକୁର ଭଳି ମାନି ପୂଜା କରିବେ । ଆଉ ଯିଏ କଥା ମାନୁ ନ ଥିଲା ତା ଉପରେ ହେଉଥିଲା ଭୟଙ୍କର ନିର୍ଯାତନା । ମାନବବାଦ ସଙ୍ଗଠନରେ ଯୋଗ ନ ଦେବାରୁ ବାପା ଓ ପୁଅଙ୍କୁ କେମିତି ଭୀଷଣ ମାଡ ମରାଯାଇଥିଲା, ସେହି ଦୃଶ୍ୟ ଭାଇରାଲ ହେବା ପରେ ଗୁରୁଜୀ ବୋଲାଉଥିବା ମାନସର ଅସଲ ଚେହେରା ସାମନାକୁ ଆସିଛି ।
Advertisment
ସାରଥୀ ଷ୍ଟାଇଲରେ ସଭା କରି ଲୋକଙ୍କୁ ପ୍ରବଚନ ଦେଉଥିବା ମାନସ ଦାସ ବିରୋଧରେ ବଢିବାରେ ଲାଗିଛି ଅଭିଯୋଗର ଫର୍ଦ୍ଦ । ନିଜକୁ ମାନବବାଦୀ ସଂଗଠନର ମୁଖ୍ୟ କହୁଥିବା ଏହି ବ୍ୟକ୍ତି କିଭଳି ଗରିବ ଓ ଅସହାୟ ଲୋକଙ୍କୁ ନିର୍ଯାତନା ଦେଉଥିଲା ତାର ଗୋଟିଏ ପରେ ଗୋଟିଏ କାହାଣୀ ସାମ୍ନାକୁ ଆସୁଛି । ମାନସ ଦାସ ନିର୍ଯାତନାର ଶିକାର ହୋଇ ଗାଁ ଛାଡିଛନ୍ତି ଏହି ପରିବାର । ଖୋର୍ଦ୍ଧା ବେଗୁନିଆ ବ୍ଲକ ନିଆଁମୁହାଁ ଗାଁରୁ ତଡା ଖାଇଥିଲେ ୬ପରିବାର । ମଂଜୁଲତା ପ୍ରଧାନ ନାମକ ଜଣେ ମହିଳା କାନ୍ଦି କାନ୍ଦି କନକ ନ୍ୟୁଜ ଆଗରେ କହିଛନ୍ତି ତାଙ୍କ ପରିବାର ସହ ଘଟିଥିବା ଅକଥନୀୟ ଅତ୍ୟାଚାରର କଥା ।
ନିଆଁମୁହାଁ ଗାଁରୁ ତଡ଼ା ଖାଇ ଗାଁ ବାହାରେ ଡାଳତୋଳାରେ ରହୁଛନ୍ତି ରମେଶ ନାୟକ, ସାଧୁ ନାୟକ, ଡମ୍ବରୁ ପ୍ରଧାନ, ଯୋଗୀ ପ୍ରଧାନ, ସର୍ବେଶ୍ୱର ପ୍ରଧାନ ଓ ଭୀମ ପ୍ରଧାନଙ୍କ ପରିବାର ।  ୨୦୧୪ ମସିହାରେ କାଜୁ ଜଙ୍ଗଲକୁ ନେଇ ଗଣ୍ଡଗୋଳ ହୋଇଥିଲା । ଘଟଣା ନେଇ ଖୋର୍ଦ୍ଧା ସଦର ଥାନାରେ ଅଭିଯୋଗ କରିବା ପରେ ପୋଲିସ ବି ସେତେବେଳେ ଚୁପ୍ ବସିଥିବା ଅଭିଯୋଗ ହୋଇଛି । ମାନବବାଦ ସଂଗଠନର ଆଇନ ଅନୁସାରେ ଯିଏ ସଂଗଠନରେ ସାମିଲ ନହେବ, ଏଭଳି କଷ୍ଟ ଭୋଗିବାକୁ ପଡିବ ବୋଲି ପୀଡ଼ିତ ପରିବାର । ଅଭିଯୋଗ ହୋଇଛି ମାନବବାଦୀ ସଂଗଠନରେ ସାମିଲ ହେବା ପାଇଁ ଫତୱା ଜାରି କରିଥିଲା ମାନସ ଦାସ ।
ମାନବବାଦୀ ସଂଗଠନର ଫତୱା
ଶଙ୍ଖା ସିନ୍ଦୁର ପିନ୍ଧିବେନି ମହିଳା
ମହିଳାଙ୍କୁ ମନ୍ଦିର ଯିବା ମନା
ବିବାହ କରିପାରିବେନି ମହିଳା
ଯଦି କେହି ପୁରୁଷ ବିବାହ କରନ୍ତି, ତେବେ ବେଦୀ ହେବନି
ପରିବାରରେ କିଏ ମରିଗଲେ ଶୁଦ୍ଧି ହେବେନି ମହିଳା
ଚାକିରି କରିଥିଲେ, ଅଧା ଦରମା ସଂଗଠନକୁ ଦେବେ
ଏହି ଫତୱାରେ ରହିଛି ମହିଳାମାନେ ଶଙ୍ଖା ସିନ୍ଦୁର ପିନ୍ଧିବେ ନାହିଁ । ମନ୍ଦିରକୁ ମହିଳାମାନଙ୍କୁ ଯିବା ପାଇଁ ବାରଣ କରାଯାଇଛି । ଏହା ସହ ମହିଳାମାନେ ବିବାହ କରିପାରିବେ ନାହିଁ । ଯଦି ପୁରୁଷମାନେ ବିବାହ କରନ୍ତି, ତେବେ ବେଦୀ ହେବନି । ଯଦି କାହାର ମୃତ୍ୟୁ ହୁଏ, ତେବେ ମହିଳାମାନେ ଶୁଦ୍ଧି ହେବେନାହିଁ  । ଚାକିରି କରିଥିଲେ ଅଧା ଦରମା ସଂଗଠନକୁ ଦେବେ ।
 ମାନସ ଦାସ ବିରୋଧରେ ଖୋଲିବାରେ ଲାଗିଛି ଗୋଟିଏ ପରେ ଗୋଟିଏ ଭୟଙ୍କର ଅପରାଧର ଫର୍ଦ୍ଦ । ରାଜଧାନୀ ଠାରୁ ମାତ୍ର ୫୦-୬୦ କିଲୋମିଟର ଦୂରରେ କିପରି ମାନସ ଦାସ, ତା’ର ଅପରାଧ ସାମ୍ରାଜ୍ୟକୁ ଏତେ ବଡ଼ କରିପାରିଥିଲା, ତାହା ହିଁ ସବୁଠୁ ଆଶ୍ଚର୍ଯ୍ୟର ବିଷୟ ।