କନକ ବ୍ୟୁରୋ: ଆତ୍ମ ସମ୍ମାନ ସହ ବଞ୍ଚିବାକୁ ସେମାନେ ପ୍ରତିଦିନ ଲଢେଇ କରିଥାନ୍ତି । ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଲୋକଙ୍କ ଟାହି ଟାପରାକୁ ମଧ୍ୟ ସହିଥାନ୍ତି । ତଥାପି ଏ ସମାଜରେ ବଞ୍ଚିବାକୁ ସେମାନେ ସଂଘର୍ଷ କରିଥାନ୍ତି । ଭିକ୍ଷାବୃତ୍ତିରେ ଇଚ୍ଛା ନଥିଲେ ମଧ୍ୟ ଏ ସମାଜ ତାଙ୍କୁ ସେହି କାମ କରିବାକୁ ବାଧ୍ୟ କରାଇଥାଏ । ଏହାରି ମଧ୍ୟରେ ବି ସେମାନେ ନିଜକୁ ଗଢି ତୋଳିଥାନ୍ତି । ଆଉ ନିଜ ପାଇଁ ନିଜେ ସଫଳତାର କାହାଣୀ ଲେଖନ୍ତି । ଆମେ ଆଜି ସେମିତି ଜଣେ କିନ୍ନରଙ୍କ କଥା କହିବୁ ଯିଏ ଏବେ ରାଜନୀତି ମୈଦାନକୁ ଓହ୍ଲାଇଛନ୍ତି । ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ହୋଇ ଘରକୁ ଘର ବୁଲି ଭୋଟ ବି ମାଗୁଛନ୍ତି ।
ଜିଲ୍ଲା ପରିଷଦ ପ୍ରାର୍ଥୀ ହୋଇଛନ୍ତି ଗୁରୁମା କିନ୍ନର । ଲୋଟନ ସେଠୀ ନାଁରେ ଚର୍ଚିତ ଚେହେରା ଏବେ ଗୁରୁମା କିନ୍ନର ନାଁରେ ରାଜନୀତିରେ ପାଦ ଦେଇଛନ୍ତି । ଲୋକଙ୍କ ସୁଖ ଦୁଃଖର ସାଥି ହେବା ପାଇଁ ଆଉ ଅଞ୍ଚଳର ବିକାଶ ପାଇଁ ନିର୍ବାଚନୀ ମୈଦାନକୁ ଓହ୍ଲାଇଛନ୍ତି । ସବୁ ଆଲୋଚନା ଓ ସମାଲୋଚନାକୁ ପଛରେ ପକାଇ ସେ ଲୋକଙ୍କ ସେବା ପାଇଁ ଅଣ୍ଟାଭିଡଛନ୍ତି । ଗୁରୁମା କିନ୍ନର ଘର ଘର ବୁଲି ପ୍ରଚାର କରୁଥିବା ବେଳେ ତାଙ୍କ ସହ ତାଙ୍କ ଚେଲ୍ଲାମାନେ ମଧ୍ୟ ପ୍ରଚାର କରୁଥିବା ଦେଖିବାକୁ ମିଳିଛି ।
ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀର ୨୪ ନମ୍ବର ଜୋନରୁ ପ୍ରାର୍ଥୀ ହୋଇଛନ୍ତି ଲୋଟନ ସେଠୀ ଓରଫ ଗୁରୁମା ସ୍ୱପ୍ନା କିନ୍ନର । ସେ ଆମ ଆଦମୀରୁ ଜିଲ୍ଲା ପରିଷଦ ପ୍ରାର୍ଥୀ ହୋଇଛନ୍ତି । ନିଜ ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି ଓ ବିକାଶ ପାଇଁ ଏଥର ନିର୍ବାଚନକୁ ଆସିଥିବା କହିଛନ୍ତି । ତାଙ୍କ ପାଇଁ ପ୍ରଚାର କରୁଛନ୍ତି ଭଦ୍ରକ କିନ୍ନର ସଂଘର ସଦସ୍ୟ । ଲୋଟନଙ୍କୁ ସାଙ୍ଗରେ ନେଇ ଗାଁ ଗାଁ ବୁଲୁଛନ୍ତି କିନ୍ନରମାନେ ଓ ଲୋକଙ୍କୁ ଭୋଟ ମାଗୁଛନ୍ତି । ଆଉ ସାଧାରଣ ପ୍ରାର୍ଥୀଙ୍କ ଭଳି ଜଣେ ତୃତୀୟ ଲିଙ୍ଗୀ ମଧ୍ୟ ଲୋକଙ୍କ ସେବା କରିପାରିବ ବୋଲି ସେ କହିଛନ୍ତି ।
ପଞ୍ଚାୟତ ନିର୍ବାଚନରେ ପ୍ରତିଦିନ ନିଆରା ପ୍ରାର୍ଥୀଙ୍କୁ ଦେଖିବାକୁ ମିଳୁଥିବା ବେଳେ ଆଜି ଜଣେ କିନ୍ନର ପ୍ରାର୍ଥୀଙ୍କ ଖବର ସାମ୍ନାକୁ ଆସିଛି । ତେବେ ଗୁରୁମା କିନ୍ନରଙ୍କ ଏହି ପ୍ରୟାସ ପୂରା କିନ୍ନର ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିବ । ସମାଜର ମୁଖ୍ୟ ସ୍ରୋତରୁ ଦୂରେଇଯାଉଥିବା କିନ୍ନରଙ୍କୁ ଗୁରୁମା ନୂଆ ରାସ୍ତା ଦେଖାଇଛନ୍ତି ।