କନକ ବ୍ୟୁରୋ : ପଞ୍ଜାବ ବିଧାନସଭା ପୂର୍ବରୁ ଜେଲରୁ ବାହାରିଛନ୍ତି ସିରସା ସ୍ଥିତ ଡେରା ସଚ୍ଚା ସୌଦା ମୁଖ୍ୟ ରାମ ରହିମ । ୨୧ ଦିନ ଛୁଟି (ଫର୍ଲୋ) ରେ ଜେଲରୁ ବାହାରିଛନ୍ତି ରାମ ରହିମ । ହରିୟାଣା ର ସୁନାରିଆ ଜେଲରେ ବନ୍ଦ ଥିବା ରାମ ରହିମ ଜେଲରୁ ବାହାରିବା କ୍ଷଣି ତୁରନ୍ତ ତାଙ୍କୁ ଲୁଚାଇ ନିଆଯାଇଥିଲା । ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତ ଭାବେ ଜେଲଦଣ୍ଡ ଭୋଗୁଥିବା ରାମ ରହିମଙ୍କ ଜେଲରୁ ୨୧ ଦିନ ଛୁଟିରେ ଆସିବା ରାଜନୈତିକ ଦୃଷ୍ଟିକୋଣରୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି । କାରଣ ରାମ ରହିମଙ୍କର ଅନେକ ଅନୁଗତ ଥିବା ବେଳେ ପଞ୍ଜାବ ନିର୍ବାଚନରେ ଏହାର ବଡ ଧରଣର ପ୍ରଭାବ ପଡିପାରେ ବୋଲି କୁହାଯାଉଛି । କାରଣ ପଞ୍ଜାବର ୨୩ ଜିଲ୍ଲାରେ ୩୦୦ଟି ଡେରା ରହିଛି । ଯେଉଁମାନଙ୍କର ସିଧାସଳଖ ଦଖଲ ରାଜନୀତି ସହ ରହିଛି । ତେଣୁ ରାମ ରହିମଙ୍କ ଜେଲରୁ ବାହାରିବା ସହ ପଞ୍ଜାବ ନିର୍ବାଚନକୁ ଯୋଡାଯାଉଛି ।

Advertisment

ରାମ ରହିମଙ୍କୁ ମଞ୍ଜୁର ହୋଇଥିବା ଫର୍ଲୋ ଏକପ୍ରକାର ଛୁଟି, ଯାହା ଜେଲରେ ବନ୍ଦୀ ଜୀବନଯାପନ କରୁଥିବା ଅଭିଯୁକ୍ତଙ୍କୁ ମିଳିଥାଏ । ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ଅଭିଯୁକ୍ତଙ୍କୁ ଛୁଟି (ଫର୍ଲୋ) ମିଳିଥାଏ । ଯେଉଁ ସମୟରେ ସେମାନେ ନିଜ ଘରକୁ ଯାଇପାରିବେ । ଏହାଛଡା କାଗଜରେ ଉଲ୍ଲେଖ ଥିବା ସ୍ଥାନ ଛଡା ଅନ୍ୟ କେଉଁଠିକୁ ଯାଇପାରିବେ ନାହିଁ ।

ଏହାପୂର୍ବରୁ ଡେରାରେ ଗତ ୨୫  ଜାନୁଆରୀରେ ଏକ ସଭାର ଆୟୋଜନ କରାଯାଇଥିଲା । ଆଉ ଏହି ସଭାରେ ରାମ ରହିମଙ୍କର ଏକ ଚିଠି ପଢାଯାଇଥିଲା । ଯେଉଁଥିରେ ଉଲ୍ଲେଖ ଥିଲା ଯେ, ରାମ ରହିମ ନିଜ ଅନୁଗତ ମାନଙ୍କୁ ଖୁବଶୀଘ୍ର ଭେଟିବେ । ଆଉ ଏହା ସଂକେତ ଦେଇଥିଲା ଯେ, ଖୁବଶୀଘ୍ର ରାମ ରହିମ ଜେଲ ବାହାରେ ପାଦ ରଖିବେ ।

ତେବେ ରାମ ରହିମଙ୍କ ଫର୍ଲୋ ମିଳିବା ପରେ ହେଉଥିବା ଚର୍ଚ୍ଚାକୁ ନେଇ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କହିଛନ୍ତି, ରାମ ରହିମଙ୍କୁ ନିର୍ବାଚନ ପୂର୍ବରୁ ଫର୍ଲୋ ମିଳିବା ଏକ ସଂଯୋଗ ହୋଇପାରେ । ଏଥିରେ କୌଣସି ରାଜନୈତିକ ଅଭିସନ୍ଧି ନାହିଁ । କୌଣସି ବି କଏଦୀ ୩ ବର୍ଷ ଜେଲରେ ରହିବା ପରେ ଫର୍ଲୋ ପାଇଁ ଆବେଦନ କରିପାରିବେ । ଏହାପରେ ସମୀକ୍ଷା କରାଯାଇ କଏଦୀଙ୍କୁ ଫର୍ଲୋ ଦିଆଯିବା ଉଚିତ୍ କି ନୁହେଁ ତାହାର ନିଷ୍ପତ୍ତି ନିଆଯାଇଥାଏ ।  ଏହାପୂର୍ବରୁ ମଧ୍ୟ ୨୧ ଏପ୍ରିଲରେ ରାମ ରହିମଙ୍କୁ ୧୨ ଘଣ୍ଟିଆ ପାରୋଲ ମିଳିଥିଲା । ମା’ଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଥିବା ଦର୍ଶାଇ ଏହି ୨୧ ଦିନ ପାଇଁ ପାରୋଲ ଆବେଦନ କରିଥିଲେ ରାମ ରହିମ । କିନ୍ତୁ ସେତେବେଳେ ତାଙ୍କୁ ମାତ୍ର ୧୨ ଘଣ୍ଟାର ପାରୋଲ ମିଳିଥିଲା ।