କନକ ବ୍ୟୁରୋ : ବହୁ ଚର୍ଚ୍ଚିତ ରଣଜିତ ସିଂ ହତ୍ୟା ମାମଲାରେ ଏବେ ପଞ୍ଜାବ-ହରିଆଣା ହାଇକୋର୍ଟ ରାମ ରହିମଙ୍କୁ ନିର୍ଦ୍ଦୋଷ ବୋଲି କହିଛନ୍ତି । ଏହି ମାମଲାରେ ସିବିଆଇ କୋର୍ଟ ରାମ ରହିମଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ । ରାମ ରହିମଙ୍କ ଓକିଲ ଜତିନ୍ଦର ଖୁରାନା କହିଛନ୍ତି କି ହାଇକୋର୍ଟ ତଳ କୋର୍ଟଙ୍କ ଆଦେଶକୁ ବଦଳାଇ ଦେଇଛନ୍ତି । ଏହି ହତ୍ୟା ମାମଲାରେ ୫ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି ।

Advertisment

ସିବିଆଇ କୋର୍ଟର ଆଜୀବନ ଜେଲଦଣ୍ଡ ବିରୋଧରେ ରାମ ରହିମ୍ ହାଇକୋର୍ଟରେ ଆବେଦନ କରିଥିଲେ । ହାଇକୋର୍ଟ ଏହି ଆବେଦନ ଉପରେ ଶୁଣାଣି କରି ସିବିଆଇ କୋର୍ଟର ଦଣ୍ଡାଦେଶକୁ ରଦ୍ଦ କରିଛନ୍ତି । ହେଲେ ଏହି ମାମଲାର ବିସ୍ତୃତ ଆଦେଶ ଏପର୍ଯ୍ୟନ୍ତ ଆସିନାହିଁ ।

ରଣଜିତ ସିଂ ସିରଶା ଡେରା ଆଶ୍ରମର ପ୍ରବନ୍ଧକ ଥିଲେ । ଏକ ସନ୍ଦେହ କାରଣରୁ ୨୨ ବର୍ଷ ତଳେ ତାଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା । ସେ କୁରୁକ୍ଷେତ୍ରର ବାସିନ୍ଦା । ୧୦ ଜୁଲାଇ ୨୦୦୨ ମସିହାରେ ତାଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା ।

ଜଣେ ନିଖୋଜ ସ୍ୱାଧୀ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଚିଠି ଲେଖି ରାମ ରହିମଙ୍କ ବିରୋଧରେ ଯାଂଚ କରିବାକୁ ଅନୁରୋଧ କରିଥିଲେ । ହେଲେ ଏହି ଚିଠି ପ୍ରଘଟ ହେବା ପରେ ରାମ ରହିମ ଓ ତାଙ୍କ ଟିମ୍ ଭାବିନେଇଥିଲେ କି, ରଣଜିତ ସିଂ ତାଙ୍କ ଭଉଣୀଙ୍କ ମାଧ୍ୟମରେ ଏହି ଚିଠି ପ୍ରଧାନମନ୍ତ୍ରୀଙ୍କୁ ଲେଖିଛନ୍ତି । ଏହି ସନ୍ଦେହରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା ।

ଏହି ହତ୍ୟାକୁ ନେଇ ପୋଲିସ ଯାଂଚ କରିଥିଲା । ହେଲେ ପୋଲିସ ଯାଂଚ ଉପରେ ସନ୍ଦେହ ପ୍ରକଟ କରି ରଣଜିତଙ୍କ ପୁଅ ଜଗସୀର ସିଂ ହାଇକୋର୍ଟରେ ଏକ ଆବେଦନ କରି ଏହି ମାମଲାର ଯାଂଚ ସିିବିଆଇ ହାତକୁ ଦେବାକୁ ଅନୁରୋଧ କରିଥିଲେ । ଏହାପରେ ସଂପୃକ୍ତ ମାମଲାରେ ସିବିଆଇ ଯାଂଚ କରି ରାମ ରହିମ ସମେତ ୫ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ ।