ସନ୍ଥ ଶ୍ରୀ ହଜୁର ସାହିବଙ୍କ ବଡ ଘୋଷଣା । ମେଡିକାଲ ନିର୍ମାଣ ପାଇଁ ଦିଆଯିବ ୫୦ ବର୍ଷ ହେବ ଗୁରୁଦ୍ୱାରରେ ଗଚ୍ଛିତ ସୁନା

147

କନକ ବ୍ୟୁରୋ : ଦୁନିଆରେ କୌଣସି କୋଣରେ କିଛି ବି ବିପଦ ଆସୁ ଶୀଖ୍ ସମୁଦାୟର ଲୋକମାନେ ନିଶ୍ଚିତଭାବେ ସହାୟତା କରିବାକୁ ସେଠାରେ ପହଂଚି ଯାଇଥାନ୍ତି । ହେଲେ ଏବେ ଦେଶରେ କରୋନା ମହାମାରୀ ଯେଭଳି ଭାବେ ବିପଦ ଆଣିଛି ତାହାକୁ ଦେଖି ସହାୟତାର ହାତ ବଢାଇଛନ୍ତି ଶୀଖ୍ ସମୁଦାୟ । ଶୀଖ୍ ସମୁଦାୟର ଲୋକମାନେ କେଉଁଠି କରୋନା ସଂକ୍ରମିତଙ୍କ ପାଇଁ ଖାଦ୍ୟ ବାଣ୍ଟୁଛନ୍ତି ତ କେଉଁଠି ଅକ୍ସିଜେନ ଯୋଗାଉଛନ୍ତି । ଏହାରି ମଧ୍ୟରେ ମହାରାଷ୍ଟ୍ର ନାଦେଡ ଗୁରୁଦ୍ୱାରର ସନ୍ଥ ଶ୍ରୀ ହଜୁର ସାହିବ ଏକ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି ଗୁରୁଦ୍ୱାରରେ ପୂର୍ବ ୫୦ ବର୍ଷରୁ ଯେତେ ସୁନା ଗଚ୍ଛିତ ରହିଛି ତାହାକୁ ଦାନ କରାଯିବ ଓ ସେହି ଦାନ ଅର୍ଥରେ ମେଡିକାଲ ନିର୍ମାଣ କରାଯିବ ।

ଗୁରୁଦ୍ୱାରର ଅନ୍ୟଜଣେ ସନ୍ଥ ବାବା କୁଲବନ୍ତ ସିଂ ଜୀ କହିଛନ୍ତି କି ଲୋକମାନେ ଚିକିତ୍ସା ପାଇଁ ନାଦେଡରୁ ହାଇଦ୍ରାବାଦ, ମୁମ୍ବାଇ ଭଳି ବଡ ସହରକୁ ଯିବାକୁ ପଡୁଛି । ହେଲେ ଯଦି ନାଦେଡରେ ଏକ ବଡ ହସ୍ପିଟାଲ ନିର୍ମାଣ କରାଯାଇ ପାରିବ ତେବେ ଲୋକମାନେ ଚିକିତ୍ସା ସୁବିଧା ପାଇବା ସହ ଅନେକଗୁଡିଏ ଅର୍ଥ ଖର୍ଚ୍ଚକରି ଦୂରକୁ ଯିବାକୁ ପଡିବ ନାହିଁ ।

କୁଲବନ୍ତ ସିଂ ଜୀ ଆହୁରି କହିଛନ୍ତି କି, ଗୁରୁଦ୍ୱାରରେ ଯେଉଁ ସୁନା ୫୦ ବର୍ଷ ହେବ ଗଚ୍ଛିତ ହୋଇ ରହିଛି ତାହାକୁ ଆଉ ଗଚ୍ଛିତ ହୋଇ ରହିବାକୁ ଦିଆଯିବ ନାହିଁ । ଏହାକୁ ଏବେ ଲୋକମାନଙ୍କ ସେବାରେ ଲଗାଇ ଦିଆଯିବ । ଏହାକୁ ମେଡିକାଲ ଓ ସ୍କୁଲ ନିର୍ମାଣରେ ଖର୍ଚ୍ଚ କରାଯିବ ।

କହିରଖୁ କି ନାଦେଡ ଠାରେ ୧୮୩୨ ରୁ ୧୮୩୭ ମସିହା ମଧ୍ୟରେ ଏହି ଗୁରୁଦ୍ୱାରା ନିର୍ମାଣ କରାଯାଇଥିଲା । ଗୋଦାବରୀ କୂଳରେ ଥିବା ଏହି ଗୁରୁଦ୍ୱାର ନାଦେଡ ହଜୁର ସାହିବ ସଚଖଣ୍ଡ ଗୁରୁଦ୍ୱାର ଭାବେ ସାରା ବିଶ୍ୱରେ ପ୍ରସିଦ୍ଧ । ବର୍ଷ ସାରା ଦେଶ ବିଦେଶରୁ ହଜାର ହଜାର ଶ୍ରଦ୍ଧାଳୁ ଏଠାକୁ ଆସି ନିଜର ମନସ୍କାମନା ମାଗିଥାନ୍ତି । କୁହାଯାଏ କି ୧୭୦୮ ମସିହା ପୂର୍ବରୁ ଗୁରୁ ଗୋବିନ୍ଦ ସିଂ ଧର୍ମପ୍ରଚାର କରିବା ସମୟରେ ଏଠାରେ ତାଙ୍କର ଭକ୍ତ ମାନଙ୍କ ସହ କିଛିଦିନ ରହିଥିଲେ ।