କନକ ବ୍ୟୁରୋ: ବାପା... ଉଠ ବାପା ଉଠ... ମତେ ଛାଡି ତମେ କୁଆଡେ ଯାଉଛ... ମୁଁ ପରା ଏଯାଏଁ ଚାଲି ଶିଖିନି... ତମେ ଚାଲିଗଲେ ମୋ କୁନିକୁନି ହାତ ଧରି କିଏ ବାଟ ଚଲେଇବ...? ପିଠିରେ ନାଉ କରି ମତେ କିଏ ବୁଲେଇବ... ଉଠ ବାପା ଉଠ...
ପାଟି ଖୋଲି କଥା କହିପାରୁଥିଲେ ହୁଏତ ସହିଦ ବାପାର ଚିତା ପାଖରେ ଅଭିମାନରେ ମୁଣ୍ଡ ପିଟି ଏମିତି କିଛି କଥା କହି କାନ୍ଦୁଥାନ୍ତା ଝିଅ । ହେଲେ ୩ ମାସର ହୋଇଥିବାରୁ ମୁହଁ ଖୋଲି ନିଜ ମନ କଥା କହିପାରୁନି କି କାନ୍ଦି ପାରୁନି କୁନି ଝିଅ । ବରଂ ମଶାଣିରେ ବାପା ଝିଅଙ୍କ ଏ ଭାବବିହ୍ୱଳ ଦୃଶ୍ୟ ଦେଖି ଲୁହକୋହରେ କାନ୍ଦୁଛି ପୂରା ପରିବେଶ ।
ଗୁରୁଦାସପୁରରୁ ଆସିଥିବା ଏ ଚିିତ୍ର ସମସ୍ତଙ୍କ ଆଖି ଭିଜେଇ ଦେଇଛି । ଜାମ୍ମୁ କାଶ୍ମୀରରେ ସହିଦ ହୋଇଥିବା ଯବାନ ରଣଜୀତ ସିଂହଙ୍କ ମୁହଁରେ ନିଜ ତିନି ମାସର କୁନି ଝିଅ ମୁଖାଗ୍ନି ଦେବା ପରେ ପୂରା ଗାଁ ଆଖି ଛଳ ଛଳ କରିଛି ।
ତେବେ ଜାମ୍ମୁ କଶ୍ମୀର ଉରି ସେକ୍ଟରରେ ଡ୍ୟୁଟି କରୁଥିବା ବେଳେ ବରଫ ଝଡରେ ଫଶି ଯାଇଥିଲେ ରଣଜୀତ । ଭୟଙ୍କର ଝଡର ବେଗ ଏତେ ଥିଲା ଯେ ସେଥିରୁ ମୁକୁଳିବା ରଣଜୀତଙ୍କ ପାଇଁ ଏକଦମ ମୁସକିଲ ହୋଇ ପଡିଥିଲା । ଆଉ ଶେଷରେ ପ୍ରାଣ ହରାଇଥିଲେ ବୀର ଯବାନ ।
ସେପଟେ ସହିଦଙ୍କ ପାର୍ଥୀବ ଶରୀର ନିଜ ଜନ୍ମମାଟିରେ ପହଞ୍ଚିବା ପରେ ସୃଷ୍ଟି ହୋଇଥିଲା ଶୋକାକୂଳ ପରିବେଶ । ବୀର ପୁଅର ଶେଷ ଦର୍ଶନ କରିବାକୁ ଲୋକଙ୍କ ସୁଅ ଛୁଟିଥିବା ବେଳେ ୩ ମାସର କୁନି ଝିଅ ସହିଦ ବାପା ମୁହଁରେ ମୁଖାଗ୍ନି ଦେବା ସମସ୍ତଙ୍କ ଛାତିକୁ ଓଦା କରିଦେଇଛି ।