ବିହାରର ପୂର୍ବ ଡିଜିପି ଗୁପ୍ତେଶ୍ୱର ପାଣ୍ଡେଙ୍କ ନୂଆ ଅବତାର । ୪୨ ଏନକାଉଣ୍ଟର ପରେ ସାଜିଲେ ପ୍ରବଚକ

298

କନକ ବ୍ୟୁରୋ : ବିହାରର ପୂର୍ବତନ ଡିଜିପି ଗୁପ୍ତେଶ୍ୱର ପାଣ୍ଡେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । ଏଥର ସେ ଏନକାଉଣ୍ଟର ସ୍ପେଶାଲିଷ୍ଟ ନୁହେଁ ଜଣେ ପ୍ରବଚକ ଭାବେ ଲୋକଙ୍କ ସାମ୍ନାକୁ ଆସିଛନ୍ତି । ଗୁପ୍ତେଶ୍ୱର ପାଣ୍ଡେ ଏକ ବ୍ୟାନର ଲଗାଇ ଶ୍ରୀମଦ୍ ଭଗବତ୍ ଉପରେ ପ୍ରବଚନ ଦେଉଥିବା ଦେଖିବାକୁ ମିଳିଛି । ଏହି ବ୍ୟାନର ଗୋଟିଏ ପଟେ ରାଧା କୃଷ୍ଣଙ୍କର ଛବି ରହିଥିବା ବେଳେ ଅନ୍ୟପଟେ ଗୁପ୍ତେଶ୍ୱରଙ୍କର ଛବି ରହିଛି । ଏହାସହ ଏହି ବ୍ୟାନର ତଳେ ଜୁମ୍ ଆଇଡି ଓ ପାସୱାର୍ଡ ଲେଖା ରହିଛି  ।

କହିରଖୁ କି ଏହା ପ୍ରଥମଥର ନୁହେଁ, ଗୁପ୍ତେଶ୍ୱର ପାଣ୍ଡେ ଯେତେବେଳେ ଗଣମାଧ୍ୟମରୁ ହଜି ଯାଆନ୍ତି ସେତେବେଳେ ସେ କିଛି ନା କିଛି ଏଭଳି କାମ କରନ୍ତି ଯାହାକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଥାଏ । ଏହା ପୂର୍ବରୁ ସେ ଡିଜିପି ପଦରୁ ଇସ୍ତଫା ଦେଇ ନୀତିଶଙ୍କ ଜେଡିୟୁରେ ସାମିଲ ହୋଇଥିଲେ । ହେଲେ ବିହାର ନିର୍ବାଚନରେ ତାଙ୍କୁ ଟିକେଟ ନମିଳିବାରୁ ସେ ନିର୍ବାଚନ ଲଢିପାରି ନଥିଲେ ।

୧୯୮୭ ବ୍ୟାଚର ଆଇପିଏସ୍ ଗୁପ୍ତେଶ୍ୱର ପାଣ୍ଡେ ବିଭିନ୍ନ ପଦରେ ରହି ବିହାର ୨୬ ଟି ଜିଲ୍ଲାରେ କାମ କରିଛନ୍ତି । ସେ ବିହାର ବକ୍ସର ଜିଲ୍ଲାରେ ଏକ କୃଷକ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ।

ପୋଲିସ ବିଭାଗରେ ଥିବା ବେଳେ ସେ ଜଣେ ଏନକାଉଣ୍ଟର ସ୍ପେଶାଲିଷ୍ଟ ଭାବେ ବେସ୍ ଜଣାଶୁଣା ଥିଲେ । ୧୯୯୩-୯୪ ମଧ୍ୟରେ ବେଗୁସରାଇ ଓ ୧୯୯୫-୯୬ ମଧ୍ୟରେ ସେ ଜାହନବାଦ ଜିଲ୍ଲାରେ ବେସ୍ ଚର୍ଚ୍ଚାକୁ ଆସିଥିଲେ । ସେହି ସମୟରେ ବେଗୁସରାଇ ବିହାରର ଏକ ସମ୍ବେଦନଶୀଳ ଜିଲ୍ଲା ଭାବେ ପରିଚିତ ଥିଲା । ସେଠାରେ ଚାକିରୀ କରୁଥିବା ବେଳେ ସେ ୭ ମାସ ମଧ୍ୟରେ ୪୨ ଜଣ ଅପରାଧୀଙ୍କୁ ଏନକାଉଣ୍ଟର କରିଥିଲେ ।