ଆଦିବାସୀ ଯୁବକଙ୍କ ନିଆରା ପ୍ରୟାସ । ପାରମ୍ପରିକ ଚାଷରୁ ହଟି ଛତୁ ଓ ମହୁ ଚାଷ କରୁଛନ୍ତି ଯୁବଚାଷୀ, ୪ଏକର ଜମିରେ ଚାଷ କରି ଅନ୍ୟଙ୍କ ପାଇଁ ପାଲଟିଛନ୍ତି ଉଦାହରଣ ।

325

କନକ ବ୍ୟୁରୋ : ଧାନ ଓ କପା ଚାଷ କରି ଗୁଜୁରାଣ ମେଂଟାଉଥିବା ଲୋକଙ୍କ ପାଇଁ ଉଦାହରଣ ଆଦିବାସୀ ଯୁବକ କୁଲମ୍ପିର । କିଛି ଭିନ୍ନ ଓ ନୂଆ କରିବାକୁ ଯାଇ ସେ ଆରମ୍ଭ କରିଛନ୍ତି ଛତୁ ଓ ମହୁ ଚାଷ । ନିଜ ଗ୍ରାମରେ ରହି ସ୍ୱଳ୍ପ ସମ୍ବଳରେ ଛତୁ ଚାଷ ସହ ମହୁ ଓ ପରିବା ଚାଷ କରି ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟ ମାନକୁ ଆହାର ଯୋଗାଉଛନ୍ତି କୁଲମ୍ପିର ଶବର ।

ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକର ପୋଡସିଂ ଗ୍ରାମ । ଧାନ ଓ କପା ଚାଷ କରି ନିଜର ଗୁଜରାଣ ମେଂଟାଇଥାନ୍ତି ଏଠାକାର ଅଧିବାସୀ । ମାତ୍ର ଏହି ଅଂଚଳର ଜଳବାଯୁ ଯେ କେବଳ ଧାନ ଓ କପା ପାଇଁ ଉଦିଷ୍ଟ ତାହା ନୁହେଁ ବରଂ ଏଠାରେ ମଧ୍ୟ ବିଭିନ୍ନ ପ୍ରକାର ଚାଷ ହୋଇ ପାରିବ । ଏକଥାକୁ ପ୍ରମାଣ କରି ଦେଖାଇଛନ୍ତି ଯୁବଚାଷୀ କୁଲମ୍ପିର ଶବର । ପାରମ୍ପରିକ ଚାଷକୁ ଛାଡି ଏହି ଯୁବଚାଷୀ ଜଣକ ନିଜର ୪ ଏକର ଜମିରେ ବିଭିନ୍ନ ପ୍ରକାର ପରିବା ଚାଷ ସହ ଛତୁ ଓ ମହୁ ଚାଷ କରିଛନ୍ତିି । ଧାନ ଅମଳ ପରେ ନଡାକୁ ସାଇତି ରଖି ଛତୁ ଚାଷ ଆରମ୍ଭ କରିଛନ୍ତି ଏହି ଚାଷୀ ଜଣକ । ପାଳରେ ୧୫୦ରୁ ଉର୍ଦ୍ଧ ବେଡ ତିଆରି କରି ଦିନକୁ ୧୦ କିଲୋରୁ ଉର୍ଦ୍ଧ ଛତୁ ଉତ୍ପାଦନ କରି ନିକଟସ୍ଥ ବଜାରରେ ବିକ୍ରି କରି ଦୁଇ ପଇସା ରୋଜଗାର କରି ପାରୁଛନ୍ତି । ଅଂଚଳରେ ପ୍ରଥମ ଥର କରି ଛତୁ ଉତ୍ପାଦନ ହେଉଥିବାରୁ ଗ୍ରାହକଙ୍କ ମଧ୍ୟ ବେସ ଚାହିଦା ରହୁଛି । ଅନ୍ୟପଟେ ଛତୁ ସହ ମହୁ ଚାଷ ଆରମ୍ଭ କରିଛନ୍ତି ଏହି ଯୁବଚାଷୀ ।

ତେବେ ଏହି ଯୁବଚାଷୀଙ୍କ ଚାଷ ପ୍ରତି ଆଗ୍ରହ ଦେଖି ସ୍ଥାନୀୟ ସରପଂଚ ମଧ୍ୟ ସରକାରଙ୍କ ତରଫରୁ କିଛି ପ୍ରୋତ୍ସାହନ ଯୋଗାଇଦେବା ପାଇଁ ନିବେଦନ କରିଛନ୍ତି । କେବଳ ପାରମ୍ପରିକ ପଦ୍ଧତିରେ ଚାଷ ନ କରି ଜଳବାୟୁ ଅନୁଯାୟୀ ଚାଷ କରି ସ୍ଥାନୀୟ ଅଂଚଳର ଚାଷୀଙ୍କ ପାଇଁ ଏକ ଉଦାହରଣ ଓ ପ୍ରେରଣା ପାଲଟିଛନ୍ତି ଏହି ଯୁବଚାଷୀ ।