ଗୁଣୁପୁର ଟ୍ରିପଲ ମର୍ଡର ମାମଲାରେ ୯ଜଣଙ୍କୁ ଫାଶୀ ଦଣ୍ଡାଦେଶ ! ରାୟ ଶୁଣାଇଲେ ଗୁଣୁପୁର ଏଡିଜେ କୋର୍ଟ

43

କନକ ବ୍ୟୁରୋ: ଗୁଣୁପୁର ଟ୍ରିପଲ ମର୍ଡର ମାମଲାରେ ୯ ଜଣଙ୍କୁ ଫାଶୀ ଦଣ୍ଡାଦେଶ । ୯ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି ଗୁଣୁପର ଏଡିଜେ କୋର୍ଟ । ୧୭ ସେପ୍ଟେମ୍ବର ୨୦୧୬ରେ ପୁଟାସିଂ ଥାନା କିପୁମ ଗାଁରେ ୩ ଜଣଙ୍କୁ ହତ୍ୟା କରାଯାଇଥିଲା । ଗୁଣିଆ ସନ୍ଦେହରେ ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା କରିଥିଲେ ସେହି ଗାଁର କିଛି ଲୋକ । ଗୋଟିଏ ପରିବାରର ବାପା, ମା’ ଓ ଝିଅକୁ ବିଷ ଇଂଜେଂକସନ୍ ଦେଇ ପିଟି ପିଟି ମାରିଥିଲେ ଦୁର୍ବୁତ୍ତ । ତାପରେ ସେମାନଙ୍କୁୁ ପୋତି ଦେଇଥିଲେ । ପ୍ରମାଣ ନଷ୍ଟ କରିବାକୁ ମୃତ ଦେହ ବାହାର କରି ପୋଡ଼ି ଦେଇଥିଲେ ଅଭିଯୁକ୍ତ ।

ଉଲ୍ଲେଖ ଥାଉ କି,ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଗୋଟିଏ ପରିବାର ଗୁଣି ଗାରେଡି କରୁଥିବା ସନ୍ଦେହରେ ଘରୁ ଭିଡ଼ି ଆଣି ପରିବାରର ୩ ଜଣଙ୍କୁ ହତ୍ୟା କରିବା ଘଟଣାରେ ୯ଜଣଙ୍କୁ ମାନ୍ୟବର କୋର୍ଟ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ରାୟଗଡା ଜିଲ୍ଲା ଗୁଣପୁର ବ୍ଲକର କିତୁଙ୍ଗ ଗ୍ରାମରେ ଗୁଣି ସନ୍ଦେହରେ ୨୦୧୬ ସେପ୍ଟେମ୍ବର ମାସରେ ଗୋଟିଏ ପରିବାରର ୩ଜଣଙ୍କୁ ହତ୍ୟା ଘଟଣାରେ ଆଜି ଗୁଣପୁର ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ ଡ. ଶୁଭେନ୍ଦୁ କୁମାର ପତି ୯ ଜଣଙ୍କୁ ଫାଶୀଦଣ୍ଡାଦେଶ ଶୁଣାଇଛନ୍ତି। ଫାଶୀ ଦଣ୍ଡ ପାଇଥିବା ଆସାମୀମାନେ ହେଉଛନ୍ତି ଅଜନ୍ତ ଶବର, ବୁୁଭୁନା ଶବର, ମାଲୁକୁ ଶବର, ପୋଡନ୍ତୁ ଶବର, ଇରୁ ଶବର, ଲାକିଆ ଶବର, ଡେଗୁନ ଶବର, ଦଶନ୍ତ ଶବର ଓ ଦାଲସା ଶବର। ଘଟଣାର ଅନ୍ୟତମ ନାବାଳକ ଅଭିଯୁକ୍ତଙ୍କୁ ଦୋଷୀ ଘୋଷଣା କରାଯାଇଥିଲେ ମଧ୍ୟ ତାଙ୍କୁ ଦଣ୍ଡାଦେଶ ହୋଇ ନାହିଁ।

ଗୁଣପୁର ବ୍ଲକ ଟଲଣା ପଞ୍ଚାୟତ ଅନ୍ତର୍ଗତ କିତୁଙ୍ଗ ଗ୍ରାମର ଅସୀମ ଶବର, ପତ୍ନୀ ଆମ୍ବଏ ଶବର ଓ ବଡ ଝିଅ ଆଶାମଣି ଗୁଣି ଗାରେଡି କରୁଥିବା ଗ୍ରାମର କିଛି ଲୋକ ସନ୍ଦେହ କରିଥିଲେ। ଏହାକୁ କେନ୍ଦ୍ର କରି ଗତ ଗତ ୨୦୧୬ ସେପ୍ଟେମ୍ବର ୯ ତାରିଖ ସଂଧ୍ୟାରେ ଏହି ୩ଜଣଙ୍କୁ ଗ୍ରାମର ଅଜନ୍ତ ଶବର, ବୁୁଭୁନା ଶବର, ମାଲୁକୁ ଶବର, ପୋଡନ୍ତୁ ଶବର, ଇରୁ ଶବର, ଲାକିଆ ଶବର, ଡେଗୁନ ଶବର, ଦଶନ୍ତ ଶବର, ଦାଲସା ଶବର ଓ ଜଣେ ନାବାଳକ ଗାଁ ଶେଷ ମୁଣ୍ଡରେ ଥିବା ଗିରଜାଙ୍ଗ ଶବରଙ୍କ ଗାଈ ଗୁହାଳରେ ଗୋଡହାତ ବାନ୍ଧି ନିସ୍ତୁକ ମାଡ ମାରିଥିଲେ। ବାରମ୍ବାର କାକୁତି ମିନତି ହେବା ପରେ ମଧ୍ୟ କେହି କିଛି ଶୁଣିନଥିଲେ। ଅଭିଯୁକ୍ତମାନେ ପ୍ରଥମେ ଆଶାମଣିଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ପରେ ଦଶନ୍ତ ଶବର ନାମକ ଜଣେ ଯୁବକ ଏକ ସିରିଞ୍ଜ ଦ୍ୱାରା ଆଶାମଣିଙ୍କ ପାଟି, ଆଖି ଓ ସମ୍ବେଦନଶୀଳ ଅଙ୍ଗରେ କୀଟନାଶକ ଔଷଧ ପ୍ରୟୋଗ କରିଥିଲେ। ଏହାପରେ ଆଶାମଣିଙ୍କ ବାପା ଓ ମାଙ୍କୁ ନିସ୍ତୁକ ମାଡ ମାରିଥିଲେ। ସେଠାରୁ ୩ଜଣଙ୍କୁ ଗାଁ ଶ୍ମଶାନ ପର୍ଯ୍ୟନ୍ତ ଘୋଷାରି ଘୋଷାରି ନେଇ ନିସ୍ତୁକ ମାଡ ମାରିଥିଲେ। ଇତି ମଧ୍ୟରେ ୩ଜଣ ଅଚେତ ହୋଇଯିବାରୁ ସମସ୍ତଙ୍କୁ ମାଟି ତଳେ ପୋତି ଦେଇଥିଲେ। ତେବେ ଏହି ଖବର ପ୍ରଘଟ ହୋଇଯିବା ଭୟରେ ପୁଣି ଥରେ ମାଟି ତଳେ ପୋତା ହୋଇଥିବା ଶବକୁ ଉଦ୍ଧାର କରି ପୋଡି ଦେଇଥିଲେ। ଏହି ସମସ୍ତ ଘଟଣା ମୃତ ଅସୀନଙ୍କ ମଝିଆ ଝିଅ ମେଳିତା ଶବରଙ୍କ ସମ୍ମୁଖରେ ହିଁ ଘଟିଥିଲା। ଘଟଣା ସଂପର୍କରେ କାହାରିକୁ କହିଲେ ତାଙ୍କୁ ମଧ୍ୟ ଜୀବନରେ ମାରି ଦିଆଯିବ ବୋଲି ଅଭିଯୁକ୍ତ ମାନେ ଭୟଭୀତ କରାଇ ତାକୁ ଗାଁର ବୁବୁନୁ ଶବରଙ୍କ ଘରେ ନଜରବନ୍ଦୀ କରି ରଖିଥିଲେ।