ରେଳ ବଜେଟରେ ପୁଣି ଉପେକ୍ଷିତ ହେଲା ଗୁଣୁପୁର-ଥେରୁବାଲି ରେଳ ପ୍ରକଳ୍ପ : ଏବର୍ଷ ବି ମଂଜୁର ହେଲାନାହିଁ ଆଖି ଦୃଶିଆ ଟଙ୍କା; ଦାନା ବାନ୍ଧୁଛି ଅସନ୍ତୋଷ

114

କନକ ବ୍ୟୁରୋ : ଚଳିତ ରେଳ ବଜେଟରେ ପୁଣି ଉପେକ୍ଷିତ ହୋଇଛି ଗୁଣପୁର-ଥେରୁବାଲି ରେଳପ୍ରକଳ୍ପ । ବଜେଟରେ ମିଳିଛି ମାତ୍ର ଲକ୍ଷେ ଟଙ୍କା । ଗୁଣପୁର-ନୌପଡା ଏକ ଐତିହାସିକ ଓ ସର୍ବପୁରାତନ ରେଳପଥ । ପାରଳାଖେମୁଣ୍ଡିର ତତାକାଳୀନ ମହାରାଜ ନିଜସ୍ୱ ଅର୍ଥରେ ଏହି ରେଳଲାଇନ ତିଆରି କରିଥିଲେ । ଚଳିତ ବଜେଟରେ ଗୁଣପୁର-ଥେରୁବାଲି ନୂତନ ରେଳପଥ ସଂଯୋଗୀକରଣ ପାଇଁ ସେଭଳି ଆଖିଦୃଶିଆ ଟଙ୍କା ଦିଆଯାଇନାହିଁ ।

ଏହାକୁ ନେଇ ସ୍ଥାନୀୟ ଅଚଂଳରେ ଅସନ୍ତୋଷ ଦେଖାଦେଇଛି । ଗୁଣପୁର ନାଗରିକ ମଂଚ ପକ୍ଷରୁ ଏ ନେଇ ଜରୁରୀକାଳୀନ ବୈଠକ ଡକାଯାଇଛି । ୧୧ ଜଣିଆ କମିଟିକୁ ନେଇ ଏକ କୋର କମିଟି ଗଠନ ହୋଇଛି । ଏହି କମିଟି ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଦିଆଯିବ । କେନ୍ଦ୍ର ଓ ରାଜ୍ୟ ସରକାର ଏ ନେଇ ପଦକ୍ଷେପ ନ ନେଲେ ଗୁଣପୁରବାସୀ ଆନ୍ଦୋଳନ କରିବେ ବୋଲି ନାଗରିକ ମଂଚ କହିଛି ।

ଅନୁଦାନ ଅଭାବରୁ ୨୦୧୬ ବଜେଟରୁ କାମ ଆରମ୍ଭ ହୋଇଥିବା ମାଲକାନଗିରି-ଜୟପୁର, ଜୟପୁର-ନବରଙ୍ଗପୁର ରେଳପଥ କାମ ଆଦୌ ଆରମ୍ଭ ହୋଇପାରିନାହିଁ । ସେହିପରି ୨୦୧୭-୧୮ ରେଳ ବଜେଟରେ ନୌପଡ଼ା-ଗୁଣପୁର ରେଳପଥକୁ ଥେରୁବାଲି ପର୍ଯ୍ୟନ୍ତ ସଂପ୍ରସାରଣ ପାଇଁ ତତ୍କାଳୀନ ରେଳମନ୍ତ୍ରୀ ସୁରେଶ ପ୍ରଭୁ ୯୩୫କୋଟି ଟଙ୍କାର ଅନୁଦାନ ଘୋଷଣା କରିଥିଲେ। ହେଲେ ପରବର୍ତ୍ତୀ ସମୟରେ ଏହି ରେଳପଥ ଭବିଷ୍ୟତ ପାଇଁ ଲାଭବାନ୍ ନଥିବା ଦର୍ଶାଇ ଅନୁଦାନ ଦେଉନି। ୨୦୧୮-୧୯ ବଜେଟରେ ଗୁଣପୁର-ଥେରୁବାଲି ପ୍ରକଳ୍ପକୁ ଟଙ୍କାଟିଏ ଅନୁଦାନ ମିଳି ନ ଥିବା ବେଳେ ବିଗତ ୩ ଆର୍ଥିକ ବର୍ଷରେ ମିଳିଛି ମାତ୍ର ୩ଲକ୍ଷ ଟଙ୍କା।

୧୯୭୨ରେ ସର୍ଭେ ଆରମ୍ଭ ହୋଇ ୨୦୧୪ରେ ଶେଷ ହେବା ପରେ ୭୯କିମି ରେଳପଥର ରେଟ୍ ଅଫ୍ ରିଟର୍ଣ ୧୩.୫ ଥିଲା । କିନ୍ତୁ ଡିପିଆର ପ୍ରସ୍ତୁତ ସତ୍ତ୍ବେ ଗତ ୬ଟି ରେଳ ବଜେଟରେ ଏହି ପ୍ରକଳ୍ପକୁ ସବୁଜ ସଂକେତ ମିଳିପାରୁନି। ବିଶାଖାପାଟଣା-କିରୁଣ୍ଡୋଲ୍, ସମ୍ବଲପୁର-କୋରାପୁଟ, ରାୟଗଡ଼ା-ଝାରସୁଗୁଡ଼ା ଏବଂ ଥେରୁବାଲିଠୁ ଆରମ୍ଭ କରି କେନ୍ଦୁଝର ଶିଳ୍ପ କରିଡର୍ ସହ ସଂଯୋଗ ହୋଇଛି ଏହି ରେଳପଥ। ଦୈନିକ ଶହେରୁ ଊର୍ଦ୍ଧ୍ବ ମାଲବାହୀ ଟ୍ରେନ୍ ଏହି ରେଳପଥ ଦେଇ ଚଳାଚଳ କରୁଥିବା ବେଳେ ରାଜସ୍ବ ବାବଦକୁ ମାସିକ ଆଦାୟ ହେଉଛି ଶହ ଶହ କୋଟି କୋଟି ଟଙ୍କା। କିନ୍ତୁ ବଜେଟରେ ସବୁଠୁ କମ୍ ଅନୁଦାନ ପାଉଛି ଏହି ରେଳପଥ। କେବଳ ଦୋହରୀକରଣକୁ ଛାଡ଼ିଲେ ନୂଆ ପ୍ରକଳ୍ପକୁ ସରକାର ଗୁରୁତ୍ବ ଦେଉନାହାନ୍ତି।