କନକ ବ୍ୟୁରୋ: ଚାଲିଥିଲା ବିବାହ ଉତ୍ସବ । ହେଲେ ସେଠାରେ ଗୀତ ବାଜିବାରୁ ହେଲା ରକ୍ତପାତ । ଗୀତ ବାଜିବାରୁ ୩ଜଣ ନିଜକୁ ତାଲିବାନୀ ବୋଲି ପରିଚୟ ଦେବା ସହ ଆଖିବୁଜା ଗୁଳି ଚଳାଇଥିଲେ ।  ଚାହୁଁଚାହୁଁ ଚାଲିଗଲା ୩ଜଣଙ୍କ ଜୀବନ  । ଏକାଧିକ ଆହତ ହେଲେ  ।ଏପରି ଘଟଣା ଘଟିଛି କାବୁଲ ନିକଟ ନଙ୍ଗରହାର ଜିଲ୍ଲା ଶସ୍ମପୁର ଇଲାକାରେ । ଏହା ନିଜେ ତାଲିବାନ ସରକାରଙ୍କ ପ୍ରବକ୍ତା ଜବିହୁଲ୍ଲା ମୁଜାହିଦ୍ ଘୋଷଣା କରିଛନ୍ତି । ହେଲେ ଏହା ତାଲିବାନୀଙ୍କ କାମ ନୁହେଁ ବୋଲି ସଫେଇ ଦେଇଛନ୍ତି ।

Advertisment

ସୂଚନା ମୁତାବକ, ଗୀତ ପରିବେଷଣ ମଧ୍ୟରେ ବିବାହ ଉତ୍ସବ ଚାଲିଥିଲା । ହେଲେ ସେଥିରେ ଉପସ୍ଥିତ ଅତିଥିଙ୍କ ମଧ୍ୟରୁ ୩ ଜଣ ନିଜକୁ ତାଲିବାନୀ ବୋଲି ପରିଚୟ ଦେବା ପରେ ଗୀତ ବନ୍ଦ ହୋଇଯାଇଥିଲା । ହେଲେ ଉତ୍ସବରେ କାହିଁକି ଗୀତ ବଜାଯାଉଥିଲା ବୋଲି କହି ଲୋକଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ । ଫଳରେ ଘଟଣା ସ୍ଥଳରେ ୩ଜଣଙ୍କ ମୃତ୍ୟୁ ହେବା ସହ ଏକାଧିକ ଆହତ ହୋଇଛନ୍ତି । ଏହି ଘଟଣାକୁ ତାଲିବାନ୍ ସରକାର ସ୍ୱୀକାର କରିଥିଲେ ବି ହତ୍ୟାକରୀ ତାଲିବାନୀ ନୁହଁନ୍ତି ବୋଲି କହିଛନ୍ତି । ପୂର୍ବରୁ ଗୀତ ପରିବେଣେ ଉପରେ ତାଲିବାନ ସରକାର କଟକଣା ଲଗାଇଥିବାରୁ ଏହାର ଫାଇଦା ନେଇ କିଛି ଦୁର୍ବୃତ୍ତ ଏପରି କରିଛନ୍ତି ବୋଲି କୁହାଯାଉଛି । ଏମାନେ କୌଣସି ବ୍ୟକ୍ତିଗତ ଶତ୍ରୁତାର ପ୍ରତିଶୋଧ ନେବାକୁ ତାଲିବାନୀଙ୍କୁ ଢାଲ କରିଥିବା ଜବିହୁଲ୍ଲା ମୁଜାହିଦ କହିଛନ୍ତି । ଏମାନଙ୍କୁ ଗିରଫ କରାଯାଇ ତଦନ୍ତ ଚଳାଇବା ସହ ଏମାନଙ୍କର ସରିଆ ନିୟମ ଅଧିନରେ ବିଚାର ହେବ ବୋଲି କୁହାଯାଇଛି ।