ବିହାରରୁ କଟକ ଆସୁଛି ଚୋରା ବନ୍ଧୁକ । ୭ ଦିନରେ ଜବତ ହେଲାଣି ୨୩ ବନ୍ଧୁକ ଓ ଶହେରୁ ଅଧିକ ଗୁଳି, ଡି ବ୍ରଦର୍ସ ଗ୍ୟାଙ୍ଗ୍ ସହ ଥାଇପାରେ ଲିଙ୍କ୍ ।

228

କନକ ବ୍ୟୁରୋ : ବିହାରରୁ ଓଡିଶା ପର୍ଯ୍ୟନ୍ତ ଲମ୍ବିଛି ଚୋରା ବନ୍ଧୁକର ଚେର । କଟକରୁ ଲଗାତାର ଭାବେ ବନ୍ଧୁକ ଓ ଗୁଳି ଜବତ ପରେ ଏଭଳି ସାଂଘାତିକ ତଥ୍ୟ ସାମନାକୁ ଆସିଛି । ଜବତ ହୋଇଥିବା ସମସ୍ତ ବନ୍ଧୁକ ଓ ଗୁଳି ବିହାର ମୁଙ୍ଗେରରୁ ଆସିଥିବା କୁହାଯାଉଛି । ତେବେ ଏତେ ପରିମାଣର ବନ୍ଧୁକ କାହିଁକି ଓ କେଉଁ ଉଦ୍ଦେଶ୍ୟରେ ବିହାରରୁ ଓଡିଶାକୁ ଆସୁଥିଲା ଏହାର କନେକସନ ଖୋଜିବ ପୁଲିସ୍ । ଏଥିସହ ଧଳ ସାମନ୍ତ ଭ୍ରାତାଙ୍କର ଏହି କାରବାର ସହ କଣ ସମ୍ପୃକ୍ତି ରହିଛି ସେନେଇ ମଧ୍ୟ ଖୋଳତାଡ କରିବ ।

ବିହାରରୁ ଆସୁଛି ବନ୍ଧୁକ । ଓଡ଼ିଶାରେ ହେଉଛି ଷଡଯନ୍ତ୍ର ? ରୁପେଲି ନଗରରେ ଅପରାଧର ସାମ୍ରାଜ୍ୟ ବଢ଼ାଇବା ପାଇଁ ହୁଏତ ଏମିତି କିଛି ମାରଣାସ୍ତ୍ର ହିଁ ଅପରାଧୀଙ୍କୁ ବଳିଆନ୍ କରୁଛି । ବିହାର ମୁଙ୍ଗେରରୁ ଆସୁଥିବା ଏହି ସବୁ ବନ୍ଧୁକ ଏବଂ ଗୁଳିଗୋଳା ଓଡ଼ିଶା ପୁଲିସ୍ ପାଇଁ ଏକ ବଡ଼ ଆହ୍ୱାନ ସୃଷ୍ଟି କରିଛି । କାରଣ, ଚୋରା ବନ୍ଧୁକ ଚାଲଣ ପଛରେ ରହିଛି କିଛି ନା କିଛି ଅପରାଧିକ ଷଡଯନ୍ତ୍ର ।

୭ ଦିନ ଭିତରେ ୨୩ଟି ବନ୍ଧୁକ ଏବଂ ୧ ଶହରୁ ଅଧିକ ଗୁଳି ଜବତ କରିଛି ପୁଲିସ୍ । ମଙ୍ଗଳବାର ୭ଟି ବନ୍ଧୁକ, ୩୫ ଗୁଳି ସହ ୧୨ ଜଣ ଅପରାଧୀଙ୍କୁ ଗିରଫ କରିଛି । ଜବତ ହୋଇଥିବା ସମସ୍ତ ବନ୍ଧୁକ ଓ ଗୁଳି ମୁଖ୍ୟତଃ ଅପରାଧ ଘଟାଇବା ପାଇଁ କିମ୍ବା ଅପରାଧୀଙ୍କୁ ବିକ୍ରି ପାଇଁ ଅଣାଯାଇଥିବା ପୁଲିସ୍ କହିଛି । ଆଉ ବନ୍ଧୁକ ଚାଲାଣର ଲିଙ୍କ୍ ଖୋଲିବା ପାଇଁ ବିହାର ମୁଙ୍ଗେର ଯିବ ପୁଲିସର ଏକ ଟିମ୍ । ବଡ଼ କଥା ହେଉଛି ଏହି ବନ୍ଧୁକ ଚାଲାଣ ସହ ଧଳସାମନ୍ତ ବ୍ରଦର୍ସ ଗ୍ୟାଙ୍ଗ ସହ ସଂପୃକ୍ତ ଥିବା ଅନୁମାନ କରାଯାଉଛି । ପୂର୍ବରୁ ଡି-ବ୍ରଦର୍ସଙ୍କ ଘରୁ ୧୬ଟି ବନ୍ଧୁକ ଏବଂ ଏକ ହଜାର ୯୫ ରାଉଣ୍ଡ ଗୁଳି ଜବତ ହୋଇଥିଲା ।