କନକ ବ୍ୟୁରୋ : କଂଗ୍ରେସରୁ ନିଜକୁ ଆଜାଦ କରିଛନ୍ତି ଦଳର ବରିଷ୍ଠ ନେତା ଗୁଲାମନବୀ । ଦଳ ସହ ନିଜର ୫୦ ବର୍ଷର ସଂପର୍କ ଛିନ୍ନ କରିଛନ୍ତି ଜାମ୍ମୁ-କାଶ୍ମୀରର ଏହି ବରିଷ୍ଠ ନେତା । ନିଜର ଇସ୍ତଫା ପତ୍ରରେ ଗୁଲାମନବୀ ଦଳର ସମସ୍ତ ପଦ ପଦବୀରୁ ଇସ୍ତଫା ଦେବା ସହ ପ୍ରାଥମିକ ସଦସ୍ୟତା ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଏକ ଆବେଗଭରା ଇସ୍ତଫା ପତ୍ର ଲେଖିଛନ୍ତି ଗୋଲାମନବୀ । ବ୍ୟକ୍ତିଗତ ଭାବେ ସୋନିଆ ଗାନ୍ଧୀଙ୍କ ପ୍ରତି ନିଜର ଆନୁଗତ୍ୟ ପ୍ରଦର୍ଶନ କରିବାକୁ ଭୁଲି ନାହାଁନ୍ତି ଗୋଲାମନବୀ ହେଲେ ରାହୁଲ ଗାନ୍ଧୀଙ୍କୁ କରିଛନ୍ତି ଶାଣିତ ଆକ୍ରମଣ । ସେ କହିଛନ୍ତି, କଂଗ୍ରେସରେ ଚାଲିଛି ତୋଗଲକୀ ଶାସନ । ପି.ଏ ଏବଂ ସିକ୍ୟୁରିଟି ଗାର୍ଡ ଦେଉଛନ୍ତି ପରାମର୍ଶ । ବରିଷ୍ଠ ନେତାଙ୍କୁ ଅପମାନିତ କରାଯାଇଛି । ରାହୁଲଙ୍କର ଅପରିପକ୍ୱତା ବା ପିଲାଳିଆମୀ ଯୋଗୁଁ ଆଜି କଂଗ୍ରେସ ଦୁର୍ବଳ ଓ ଦିଶାହୀନ ହୋଇଛି ।

Advertisment

ସଂଜୟଙ୍କ ଅନୁରୋଧରେ ଦଳରେ ଯୋଗ ଦେଇଥିଲି :
ଗୁଲାମନବୀଙ୍କର ଆବେଗଭରା ଇସ୍ତଫା ପତ୍ର କିଛି ଏଭଳି ଆରମ୍ଭ ହୋଇଛି । ଦଳର ସୁପ୍ରିମୋ ସୋନିଆ ଗାନ୍ଧୀଙ୍କ ଉଦ୍ଦେଶ୍ୟରେ ଲେଖାଯାଇଥିବା ଇସ୍ତଫା ପତ୍ରରେ ଗୁଲାମନବୀ କହିଛନ୍ତି ୭୦ ଦଶକର ମଧ୍ୟଭାଗରେ ଯେତେବେଳେ କଂଗ୍ରେସର ଛବି ଜାମ୍ମୁ-କାଶ୍ମୀରବାସୀଙ୍କ ବିଶ୍ୱାସଭାଜନ ଥିଲା ସେ ଦଳରେ ଯୋଗ ଦେଇଥିଲେ । ଗାନ୍ଧୀ, ନେହରୁ, ପଟେଲ ସୁବାସ ଚନ୍ଦ୍ର ବୋଷ, ମୌଲାନା ଅବଦୁଲକାଲାମ ଆଜାଦ ଏମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଏବଂ ସଂଜୟ ଗାନ୍ଧୀଙ୍କର ବ୍ୟକ୍ତିଗତ ଅନୁରୋଧ କ୍ରମେ ସେ ଜାମ୍ମୁ-କାଶ୍ମୀର ଯୁବ କଂଗ୍ରେସରେ ଦାୟୀତ୍ୱ ନେଇଥିଲେ । ଏବେ ତାଙ୍କ ରାଜନୈତିକ କ୍ୟାରିଅର ତୃଣମୂଳ ସ୍ତରରୁ ଆରମ୍ଭ ହୋଇଥିବା କଥା ସେ ସୂଚାଇବାକୁ ଭୂଲି ନାହାଁନ୍ତି ।

ଆନ୍ଦୋଳନ କରି ଜେଲ ଯାଇଥିଲି :
୮୦ ଦଶକରେ କଂଗ୍ରେସର ବିପର୍ଯ୍ୟୟ ବେଳେ ସଂଜୟ ଗାନ୍ଧୀଙ୍କ ନେତୃତ୍ୱରେ ସେ ଆନ୍ଦୋଳନ କରିଥିଲେ ଓ ଗିରଫ ହୋଇ ତିହାଡ଼ ଜେଲରେ ମଧ୍ୟ ରହିଥିଲେ । ବିଭିନ୍ନ ଆନ୍ଦୋଳନର ନେତୃତ୍ୱ ନେଇଥିଲେ । ସେତେବେଳର ୩ ବର୍ଷର ସଂଗ୍ରାମ ପରେ ୧୯୮୦ ରେ କଂଗ୍ରେସ କିଭଳି କ୍ଷମତାକୁ ଫେରିଥିଲା ତାହା ହାଇକମାଣ୍ଡଙ୍କୁ ଚେତାଇ ଦେଇଛନ୍ତି । ଯୁବ କଂଗ୍ରେସରେ ତାଙ୍କର ନେତୃତ୍ୱ ଓ ରାଜୀବ ଗାନ୍ଧୀଙ୍କୁ ସେ କିଭଳି ରାଜନୀତିକୁ ଆଣିଥିଲେ ସେ ବିଷୟରେ ସୂଚନା ଦେଇଛନ୍ତି ଗୋଲାମନବୀ ଆଜାଦ । ଏହାସହ ୧୯୮୨ ରୁ ୨୦୧୪ ପର୍ଯ୍ୟନ୍ତ ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ, ପି.ଭି ନରସିଂମା ରାଓ ଓ ମନମୋହନ ସିଂଙ୍କ ସରକାରରେ କେନ୍ଦ୍ରମନ୍ତ୍ରୀ ଦାୟୀତ୍ୱରେ ରହିବା କଥା ଉଲ୍ଲେଖ କରିଛନ୍ତି ଗୋଲାମନବୀ ।

 ଦଳ ପାଇଁ ପରିବାରକୁ କରିଛି ଅଣଦେଖା :
ନିସ୍ୱାର୍ଥ ଭାବେ ସେ ଦଳ ପାଇଁ କାର୍ଯ୍ୟ କରିଛନ୍ତି । ୭ ବର୍ଷ ପର୍ଯ୍ୟନ୍ତ ରାଜ୍ୟସଭାରେ ବିରୋଧୀଦଳର ନେତା ଭାବେ ରହିଛନ୍ତି । ନିଜର ସମ୍ପୂର୍ଣ୍ଣ ଯୌବନ, ପରିବାର ଓ ସ୍ୱାସ୍ଥ୍ୟ ପରିସ୍ଥିତିକୁ ଅଣଦେଖା କରି ସେ ପାର୍ଟି ପାଇଁ ଉତ୍ସର୍ଗିକୃତ ରହିଥିବା କଥା ଗୋଲାମନବୀ ତାଙ୍କ ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି । ଏହାସହ ସୋନିଆ ଗାନ୍ଧୀଙ୍କ ନେତୃତ୍ୱକୁ ପ୍ରଶାଂସା କରିଥିଲେ ଗୋଲାମନବୀ । ୟୁପିଏ-୧ ଓ ୟୁପିଏ -୨ ସରକାର ଗଠନରେ ସୋନିଆଙ୍କ ଭୂମିକା, ଦଳର ବରିଷ୍ଠ ନେତାଙ୍କ ଉପରେ ତାଙ୍କର ଅତୁଟ ବିଶ୍ୱାସ ଓ ଭରସାକୁ ନେଇ ହାଇକମାଣ୍ଡଙ୍କୁ ପ୍ରଶଂସା କରିବାକୁ ଭୁଲି ନାହାଁନ୍ତି ଗୋଲାମନବୀ ।

ଗୋଲାମନବୀଙ୍କ ଆକ୍ରୋଶ :
ସୋନିଆଙ୍କୁ ପ୍ରଶଂସା ପରେ ରାହୁଲଙ୍କ ଉପରେ ଅସନ୍ତୋଷର ପାହାଡ ଲଦିଛନ୍ତି ଗୋଲାମନବୀ । ୨୦୧୩ ଜାନୁଆରୀରେ ରାହୁଲ ଆସିବା ପର ଠାରୁ କଂଗ୍ରେସର ସବୁ ଉପଦେଷ୍ଠାମଣ୍ଡଳୀ ବ୍ୟବସ୍ଥାକୁ ଭାଙ୍ଗି ଦିଆଯାଇଛି । ବରିଷ୍ଠ ନେତାଙ୍କୁ କଣଠେସା କରାଯାଇଛି । ଚାଟୁକାରମାନଙ୍କ ଦ୍ୱାରା ଦଳ ପରିଚାଳିତ ହେଉଛି । ରାହୁଲଙ୍କ ଦ୍ୱାରା ଭରା ଗଣମାଧ୍ୟମ ଆଗରେ ସରକାରୀ ଅର୍ଡିନାନ୍ସ ଚିରାଯିବା ଦଳର ଶୀର୍ଷନେତାଙ୍କ କ୍ଷେତ୍ରରେ ସବୁଠାରୁ ବଡ ଅପରିପକ୍ୱତା ଓ ପିଲାଳିଆମୀ ବୋଲି ଗୁଲାମନବୀ ଦର୍ଶାଇଛନ୍ତି । ଦଳର ଏହି ଅର୍ଡିନାନ୍ସଙ୍କୁ କଂଗ୍ରେସର କୋର କମିଟି ଦ୍ୱାରା ପ୍ରସ୍ତୁତ କରାଯାଇଥିବା ବେଳେ ଏଥିରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ଏହାକୁ ପାରିତ କରିବା ସହ ଓ ରାଷ୍ଟ୍ରପତିଙ୍କ ମୋହର ଲାଗିଥିଲା । ରାହୁଲଙ୍କ ପିଲାଳିଆମୀ ପ୍ରଧାନମନ୍ତ୍ରୀ ଓ ଭାରତ ସରକାରଙ୍କ ଗରିମାକୁ କୋଠାରଘାତ କରିଥିଲା । ଯାହାର ଫଳ ସ୍ୱରୂପ ୨୦୧୪ ରେ ୟୁପିଏ ସରକାର ଲୋକସଭା ନିର୍ବାଚନରେ ଲଜ୍ଜାଜନକ ପରାଜୟ ସ୍ୱୀକାର କରିଥିଲା ।
ଏହାସହ ଗୁଲାମନବୀ କହିଛନ୍ତି କି, ବିଭିନ୍ନ ସମୟରେ କଂଗ୍ରେସର ଦଳୀୟ ସାଂଗଠନିକ ବୈଠକରେ ନିଆଯାଉଥିବା ନିଷ୍ପତ୍ତିକୁ କିଭଳି ଅଣଦେଖା କରାଯାଉଥିଲା ସେ ବିଷୟରେ ଉଲ୍ଲେଖ କରିଛନ୍ତି, ସି.ଡବ୍ଲ୍ୟୁ. ସି ର ଜୟପୁରର ଦଳୀୟ ସାଂଗଠନିକ ନିଷ୍ପତ୍ତିକୁ ସ୍ୱୀକୃତି ମିଳିଥିଲେ ମଧ୍ୟ ପ୍ରସ୍ତାବଗୁଡିକ ୯ ବର୍ଷ ଧରି ଷ୍ଟୋରରେ ପଡିରହିଥିବା କଥା ଗୁଲାମନବୀ କହିଛନ୍ତି । ୨୦୧୪ ନିର୍ବାଚନ ପୂର୍ବରୁ ଏହି ପ୍ରସ୍ତାବଗୁଡିକୁ ଲାଗୁ କରିବାର ଥିଲା । ହେଲେ ବ୍ୟକ୍ତିଗତଭାବେ ରାହୁଲ ଓ ସୋନିଆଙ୍କୁ ଅନୁରୋଧ କରାଯାଇଥିଲେ ବି ଏହାକୁ କାର୍ଯ୍ୟକାରୀ କରାଯାଇ ନଥିବା କହିଛନ୍ତି ଗୁଲାମନବୀ ।

 ରାହୁଲଙ୍କ ଅସଫଳତା :
୨୦୧୪ ରେ ରାହୁଲ ଗାନ୍ଧୀ ଦଳର ଦାୟିତ୍ୱ ନେବା ପରେ ୨-୨ଟି ଲୋକସଭା ନିର୍ବାଚନରେ କଂଗ୍ରେସ ଲଜ୍ଜାଜନକ ପରାଜୟ ବରଣ କରିଛି । ୨୦୧୪ ରୁ ୨୦୨୨ ମଧ୍ୟରେ ୪୯ ଟି ବିଧାନସଭା ନିର୍ବାଚନ ମଧ୍ୟରୁ ୩୯ ଟିରେ କଂଗ୍ରେସ ପରାଜୟ ବରଣ କରିଛି । ମାତ୍ର ୪ ଟି ବିଧାନସଭା ନିର୍ବାଚନ ଜିତିଛି ଓ ୬ ଟିରେ ମେଣ୍ଟ ସରକାର ଗଠନ କରିଛି । ବର୍ତମାନ କଂଗ୍ରେସ ୨ ଟି ରାଜ୍ୟରେ ଏକାକୀ ଶାସନ କ୍ଷମତାରେ ଥିବା ବେଳେ ମେଣ୍ଟରେ ୨ ଟି ରାଜ୍ୟରେ ସଂକୋଚିତ ଭାବେ ସରକାରରେ ରହିଛି । ଶୀର୍ଷ ନେତାଙ୍କ ରିମୋର୍ଟ କଣ୍ଟ୍ରୋଲ ମଡେଲ ୟୁପିଏ ଭଳି ଅନୁଷ୍ଠାନର ବିଶ୍ୱସନୀୟତାକୁ ଭାଙ୍ଗିଛି । ଦଳର ସାଂଗଠନିକ ସ୍ତରରେ ଏଭଳି ବିିପର୍ଯ୍ୟୟ ପାଇଁ ସୋନିଆଙ୍କ ଭୂମିକା ଗୌଣ ରହିଥିବା ବେଳେ ଏଭଳି ନିଷ୍ପତ୍ତି ରାହୁଲଙ୍କର ପିଏ ଓ ସିକ୍ୟୁରିଟି ଗାର୍ଡଙ୍କ ଦ୍ୱାରା ନିଆଯାଉଥିବା ଗୁଲାମ କହିଛନ୍ତି ।
ଜି-୨୩ ର ପରାମର୍ଶକୁ ଅଣଦେଖା :
ଏହାସହ କଂଗ୍ରେସର ଜି-୨୩ କଥା ପରୋକ୍ଷରେ ଉଲ୍ଲେଖ କରିଛନ୍ତି ଗୁଲାମନବୀ ଆଜାଦ । ‘୨୦୨୦ ରେ ମୋ ସହ ଦଳର ୨୨ ଜଣ ବରିଷ୍ଠ ନେତା କଂଗ୍ରେସର ବିପର୍ଯ୍ୟୟର କାରଣ ଓ ଏହାର ନିରାକରଣ ନେଇ ଆପଣଙ୍କୁ ଚିଠି ଲେଖିଥିଲୁ । ହେଲେ ନିର୍ଦ୍ଧିଷ୍ଠ କୋଠରୀରେ ଚାଟୁକାରମାନଙ୍କ ଦ୍ୱାରା ଆମେ ଆକ୍ରୋଶରେ ଶିକାର ହେଲୁ ଓ ଅପମାନିତ ମଧ୍ୟ ହେଲୁ, ଏହାସହ ବରିଷ୍ଠ କଂଗ୍ରେସ ନେତା କପିଲ ଶିବଲଙ୍କ ବାସଭବନ ଉପରେ ଆକ୍ରମଣ କରାଗଲା, ଯେଉଁ କପିଲ ଶିବଲ ଆପଣଙ୍କୁ ଆଇନଗତ ପରାମର୍ଶ ଦେଉଥିଲେ ’ ବୋଲି ଗୁଲାମ କହିଛନ୍ତି

ପ୍ରକ୍ସି ନେତୃତ୍ୱ ଦ୍ୱାରା କଂଗ୍ରେସ ପରିଚାଳିତ:
କଂଗ୍ରେସରେ ପ୍ରକ୍ସି ନେତୃତ୍ୱ ଦ୍ୱାରା ପରିଚାଳିତ ହେଉଛି । ଏକ୍ସାପେରିମେଣ୍ଟ ଫେଲ ମାରିଛି । ଜାତୀୟ ରାଜନୀତି ଆମେ ଆମର ସ୍ଥାନ ବିଜେପିକୁ ଦେଇସାରିଛି । ଏହାର କାରଣ ୮ ବର୍ଷ ହେବ ଦାୟୀତ୍ୱହୀନ ଲୋକଙ୍କ ହାତରେ ଦଳର ଦାୟୀତ୍ୱ ରହିଛି  ସାରିଛୁ ବୋଲି ଗୁଲାମ କହିଛନ୍ତି । ସାଂଗଠନିକ କ୍ଷେତ୍ରରେ ଏଆଇସିସିର ନେତୃତ୍ୱ ଗୋଟେ ବଡ ଘୋଟାଲା କରିଛନ୍ତି । ଦଳୀୟ ନିର୍ବାଚନ ଠିକ୍ ଭାବେ କରାଯାଉ ନାହିଁ । ୨୪ ଆକବର ରୋଡରେ ନିର୍ଦ୍ଧିଷ୍ଟ କୋଠରୀର ଚାଟୁକାରଙ୍କ ନିର୍ଦ୍ଦେଶରେ ଏଆଇସିସିର ନେତାମାନେ କେବଳ ସଂଗଠନର ଦସ୍ତାବିଜରେ ଦସ୍ତଖତ କରୁଛନ୍ତି । ଦେଶର ସ୍ୱାଧୀନତାକୁ ୭୫ ବର୍ଷ ବିତିଛି  । କଂଗ୍ରେସ ଦେଶର ସ୍ୱାଧୀନତା ସଂଗ୍ରାମରେ ସବୁଠାରୁ ବଡ ଦାୟୀତ୍ୱ ନେଇଥିଲା । ହେଲେ ଦେଶ ସ୍ୱାଧୀନ ହେବାର ୭୫ ବର୍ଷ ପରେ କ’ଣ କଂଗ୍ରେସ ଏହି ପରିସ୍ଥିତିର ହକ୍ଦାର ବୋଲି ପ୍ରଶ୍ନ କରିଛନ୍ତି ଗୁଲାମନବୀ ।

ଦଳ ଛାଡିଲେ ବି ରହିବ ଆନୁଗତ୍ୟ:
ତେବେ ସୋନିଆ ଗାନ୍ଧୀଙ୍କ ପରିବାର ପ୍ରତି ତାଙ୍କ ଆତ୍ମିୟତାକୁ ଦୋହରାଇଛନ୍ତି ଗୁଲାମନବୀ । ତାଙ୍କ ପ୍ରତି ସମ୍ମାନ ଆଗକୁ ରହିବ ବୋଲି କହିଛନ୍ତି ଗୁଲାମନବୀ । ଯେଉଁ ଉଦେଶ୍ୟ ପାଇଁ ସେ ଜୀବନର ୫୦ ବର୍ଷ ଉତ୍ସର୍ଗ କରିଛନ୍ତି ଏଆଇସିସି ବାହାରେ ତାଙ୍କର ବନ୍ଧୁ ଓ ଶୁଭଚିନ୍ତକଙ୍କ ନେଇ କାମ କରିବେ ବୋଲି କହିବା ପରେ ଗୁଲାମନବୀ କାଶ୍ମୀର ରାଜନୀତିରେ ନୂଆ ସମିକରଣ ସୃଷ୍ଟି କରିବା ନେଇ ସଂକେତ ଦେଇଛନ୍ତି ।
ଶେଷରେ କଂଗ୍ରେସରେ ତୋଗଲକ ଶାସନ ଚାଲିଛି ବୋଲି ଗୁଲାମନବୀ କହିବା ସହ ଦେଶରେ କ’ଣ ଆବଶ୍ୟକତା ରହୁଛି ତାହା ଆଜିର ଦିନରେ ପୁରା କରିବାର ଇଚ୍ଛା ଓ ଶକ୍ତି କଂଗ୍ରେସ ହରାଇଛି ବୋଲି କହିବା ସହ ଭାରତ ଯୋଡ ଅଭିଯାନ ପୂର୍ବରୁ କଂଗ୍ରେସ ଯୋଡ ଅଭିଯାନ ଆରମ୍ଭ କରିବାକୁ ହାଇକମାଣ୍ଡଙ୍କୁ ଗୁଲାମନବୀ ଆହ୍ୱାନ ଦେଇଛନ୍ତି ।