କନକ ବ୍ୟୁରୋ : ପଞ୍ଜାବରେ ଏବେ ନିର୍ବାଚନୀ ମାହୋଲ ସରଗରମ । ଗୋଟିଏ ପଟେ ସେଠାରେ କ୍ଷମତାରେ ଥିବା କଂଗ୍ରେସ ବିରୋଧୀ ଦଳମାନଙ୍କୁ ପରାସ୍ତ କରି ପୁଣି କ୍ଷମତା ହାସଲ କରିବାକୁ ଅଣ୍ଟା ଭିଡିଥିବା ବେଳେ ଦଳୀୟ କନ୍ଦଳ କିନ୍ତୁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ରାଜ୍ୟ ରାଜନୀତିରେ ବିଦ୍ରୋହୀ ସାଜିଥିବା ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ନବଜୋତସିଂ ସିଦ୍ଧୁ ଟିକେ ଶାନ୍ତ ପଡିଥିବା ବେଳେ ଏବେ ତାଙ୍କ ଝିଅ ରାବିୟା ସିଦ୍ଧୁଙ୍କ ବୟାନ ଦଳକୁ ଅଡୁଆରେ ପକାଇଛି ।
ଆଗକୁ ନିର୍ବାଚନ ଥିବାରୁ ସିଦ୍ଧୁଙ୍କ ଝିଅ ଦଳପାଇଁ ଜୋରଦାର ପ୍ରଚାର କରୁଛନ୍ତି । ପୂର୍ବ ଅମୃତସରରେ ପ୍ରଚାର କରୁଥିବା ସିଦ୍ଧୁଙ୍କ ଝିଅ ରାବିୟା ସିଦ୍ଧୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଚରଣଜିତସିଂ ଚନ୍ନିଙ୍କୁ ଟାର୍ଗେଟ କରିଛନ୍ତି । ରାବିୟା କହିଛନ୍ତି କି ଚନ୍ନିଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଘୋଷଣା କରିବା ପଛରେ ଦଳର ହାଇକମାଣ୍ଡଙ୍କର କିଛି ବାଧ୍ୟ ବାଧକତା ରହିଛି ।
ଏନେଇ ଗଣମାଧ୍ୟମକୁ ରାବିୟା କହିଛନ୍ତି ହାଇକମାଣ୍ଡ ସର୍ବଦା ହାଇକମାଣ୍ଡ, ଚନ୍ନିଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଘୋଷଣା କରିବା ପଛରେ କିଛି ବାଧ୍ୟ ବାଧକତା ଥାଇପାରେ ହେଲେ କୌଣସି ସଚ୍ଚୋଟ ବ୍ୟକ୍ତିଙ୍କୁ ଆପଣ ଅଧିକ ସମୟ ଅଟକାଇ ପାରିବେ ନାହିଁ । ହେଲେ ବେଇମାନ ଲୋକଙ୍କୁ ଅଟକାଇବାର ଆବଶ୍ୟକତା ରହିଛି ।
କହିରଖୁ କି, ପଞ୍ଜାବ ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଏବେକାର ମୁଖ୍ୟମନ୍ତ୍ରୀ ଚରଣଜିତସିଂ ଚନ୍ନିଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରିଛନ୍ତି କଂଗ୍ରେସ ହାଇକମାଣ୍ଡ । ଏହାକୁ ନେଇ ପ୍ରଥମେ ସିଦ୍ଧୁ ବିଦ୍ରୋହ ଆରମ୍ଭ କରିଥିଲେ ବି କୌଣସି କାରଣରୁ ଏବେ ଶାନ୍ତ ପଡିଯାଇଛନ୍ତି ।
Follow Us