ମୋଦିଙ୍କ ଗଡରେ ଜିତିବ କିଏ? ମିଶନ ଗୁଜୁରାଟ ରାସ୍ତାରେ ଅନେକ କଂଟା, ପାର ହେବ ତ ବିଜୟ ରଥ ? ଆପଣଙ୍କ ଜାଣିବା ପାଇଁ ଗୁଜୁରାଟର ସବୁ ଗଣିତ ।

85

ଗୁଜୁରାଟରେ ଲଗାତର ତିନି ତିନି ଥର ନିର୍ବାଚନ ଜିତି ନରେନ୍ଦ୍ର ମୋଦି ଜାତୀୟ ବିଜେପିରେ ନିଜ ଦବଦବା ଜାହିର କରିବା ସହ ନିଜକୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଉପସ୍ଥାପିତ କରିବାରେ ମଧ୍ୟ ସକ୍ଷମ ହୋଇଥିଲେ । ଏଥିଲା ୨୦୧୨ର କଥା । ଯେତେବେଳେ ଦେଶରେ ସାଧାରଣ ନିର୍ବାଚନକୁ ଦୁଇ ବର୍ଷ ବାକି ଥିଲା । ଏବେ ଠିକ ସମାନ ସ୍ଥିତି । ଦେଶରେ ସାଧାରଣ ନିର୍ବାଚନକୁ ଆଉ ଦୁଇ ବର୍ଷ ବାକି ଅଛି, ଆଉ ତାଆଗରୁ ଆସିଛି ଗୁଜୁରାଟ ବିଧାନସଭା ନିର୍ବାଚନ । ହେଲେ ଫରକ ଏତିକି ୨୦୧୨ରେ କେନ୍ଦ୍ରରେ ୟୁପିଏ ଓ ଗୁଜୁରାଟରେ ବିଜେପି କ୍ଷମତାରେ ଥିଲା । ହେଲେ ୨୦୧୭ରେ ଉଭୟ ସ୍ଥାନରେ ବିଜେପି ଶାସନରେ । ମୋଦି ଦେଶର ପ୍ରଧାନମନ୍ତ୍ରୀ । ଅମିତ ଶାହା ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ । ମୋଦି ଅନୁଗତ ବିଜୟ ରୁପାନୀ ଗୁଜୁରାଟ ମୁଖ୍ୟମନ୍ତ୍ରୀ । ଏଭଳି ସ୍ଥିତିରେ ଗୁଜୁରାଟରେ ବିଜୟ ହାସଲ କରିବା ବେଶ ସହଜ ହେବା କଥା । ହେଲେ ଲାଗୁଛି, ଗୁଜୁରାଟର ବିଜୟ ପଥରେ ମୋଦିଙ୍କ ସାମ୍ନାରେ ଥିବା ଏକାଧିକ କଂଟା ଏବେ ତାଙ୍କ ସ୍ଥିତିକୁ ଟଳମଳ କରିଛି ।
ଭାରତର ରାଜନୈତିକ ଦୃଶ୍ୟପଟ୍ଟ ବହୁମାତ୍ରାରେ ଗୁଜୁରାଟର ଫଳାଫଳ ଉପରେ ନିର୍ଭର କରୁଛି । ଯଦି ଡିସେମ୍ବର ୧୮ରେ ଆସିବାକୁ ଥିବା ଫଳାଫଳରେ ବିଜେପି ବାଜିମାତ କରେ ତେବେ ୨୦୧୯ ଦିଲ୍ଲୀ ଦଖଲ ପାଇଁ ରାସ୍ତା ଏକପ୍ରକାର ସଫା ହୋଇଯିବ । ହେଲେ ଯଦି ବିଜେପି ପରାସ୍ତ ହୁଏ ଏବଂ ସାମ୍ପ୍ରତିକ ରାଜନୈତିକ ପରିସ୍ଥିତିକୁ ବିଜେପି ମୁକାବିଲା କରିବାରେ ବିଫଳ ହୁଏ ତେବେ ମୋଦିଙ୍କ ୨୦୧୯ର ଦିଲ୍ଲୀ ଲଡୁ ସ୍ୱପ୍ନ ଅଧୁରା ରହିଯିବ । ଖାଲି ଏତିକି ନୁହେଁ ୨୦୧୭ର ଏହି ନିର୍ବାଚନ ମୋଦିଙ୍କ ଭାଗ୍ୟ ମଧ୍ୟ ନିର୍ଣ୍ଣୟ କରିବ । ଗୁଜୁରାଟରେ ମିଶନ ୧୫୦ର କଥା କହୁଥିବା ଅମିତ ଶାହା ତଥା ମାଳ ମାଳ କେନ୍ଦ୍ରମନ୍ତ୍ରୀ ଦେଉଥିବା ବିଜୟର ଦ୍ୱାହି ଭିତରେ ଲାଗୁଛି, ବିଜେପି କ୍ୟାମ୍ପ ମଧ୍ୟ ନିଶ୍ଚିତ ନୁହେଁ, ଯେ କଣ ହେବାକୁ ଯାଉଛି । ଏପରିକି ବିଜେପିର ଚାଣକ୍ୟ ନିଜେ ମଧ୍ୟ ଦ୍ୱନ୍ଦ୍ୱରେ ଥିବା ଅନୁମାନ କରାଯାଉଛି । ପବନରେ ପରିବର୍ତ୍ତନ ହାୱା ବହୁଥିବା ଆକଳନ କରୁଛନ୍ତି ରାଜନୈତିକ ଦଳ ଓ ସମୀକ୍ଷକ । ନେତାଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ ଆସୁଛି । ମୋଦି ଘନ ଘନ ଗୁଜୁରାଟ ଗସ୍ତ କରୁଛନ୍ତି, ମାଳ ମାଳ ଯୋଜନାର ଶୁଭ ଉଦଘାଟନ ତଥା ଶିଳାନ୍ୟାସ କରୁଛନ୍ତି । ତେବେ ବଡ କଥା ହେଉଛି, ରାହୁଲ ପୁର୍ବାପେକ୍ଷା ଅଧିକ ଆକ୍ରମଣାତ୍ମକ ମୁଦ୍ରାକୁ ଆସିଛନ୍ତି । ନୁଆ ଅବତାରରେ ଦେଖିବାକୁ ମିଳୁଛି କଂଗ୍ରେସ ଯୁବରାଜଙ୍କୁ ।
୨୦୧୨ରେ ଯେତେବେଳେ ଗୁଜୁରାଟରେ ନିର୍ବାଚନ ହୋଇଥିଲା, ସେହି ସମୟରେ ଦୁର୍ନୀତି ଏକ ପ୍ରମୁଖ ମୁଦ୍ଦା ଥିଲା । କେନ୍ଦ୍ରରେ ଥିବା ୟୁପିଏ ସରକାର ଦେହରେ ଲାଗିଥିଲା ଗୋଟିଏ ପରେ ଗୋଟିଏ ଦୁର୍ନୀତିର ଦାଗ । ଏତେ ବଡ ପରିମାଣର ଦୁର୍ନୀତି ଯାହା ଭାରତୀୟ ଇତିହାସରେ କେବେ ଶୁଣିବାକୁ ମିଳିନଥିଲା, ସେହି କାଦୁଅରେ ବୁଡି ସାରିଥିଲା କଂଗ୍ରେସ । ସାରା ଭାରତରେ ଯେତେବେଳେ ଗୋଟିଏ ଦଳ ବିଶ୍ୱାସ ହରାଉଥିଲା, ସେତିକି ବେଳେ ଗୁଜୁରାଟରେ ଦଳ କିଭଳି ବିଶ୍ୱାସ ଜିତିଥାନ୍ତା? ସ୍ୱାଭାବିକ ଭାବେ ଏକତରଫା ଭାବେ ମୋଦି ବାଜି ମାରିନେଇଥିଲେ । ବିକାଶ ପୁରୁଷ ଓ ଗୁଜୁରାଟ ମଡେଲକୁ ପାଥେୟ କରି ମୋଦି ଗୁଜୁରାଟକୁ ଗଡ ଭାବେ ତିଆରି କରିଥିଲେ । ୨୦୧୩ରେ ବିଜେପିର ଗୋଆ କନକ୍ଲେଭରେ ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କ ବିରୋଧ ସତ୍ତେ୍ୱ ମୋଦିଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ବିଜେପି ଉପସ୍ଥାପନ କରିଥିଲା । ଆଉ ଆରମ୍ଭ ହୋଇଥିଲା ମୋଦି ଯୁଗ । ସାଇଡ୍ ହୋଇଯାଇଥିଲେ ଆଡଭାନୀଙ୍କ ଭଳି ତୁଙ୍ଗ ନେତା । ହେଲେ ଏବେ ଦୃଶ୍ୟପଟ୍ଟ ଅଲଗା । ଗୁଜୁରାଟ ବାସୀଙ୍କୁ ମୋଦି ତଥା ବିଜେପି ଉତ୍ତର ଦେବାର ସମୟ ଆସିଛି, ଯେତେବେଳେ ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେପି କ୍ଷମତାରେ ଅଛି । ସରକାର ବିରୋଧୀ ହାୱା ବିଜେପି ପାଇଁ ବଡ ଚାଲେଂଜ ଆଣିପାରେ ।
ଗୁଜୁରାଟରେ ମୋଦି-ଶାହା ଯୋଡି ପ୍ରଚାର କରିବେ । ହେଲେ ଦେଶର ପ୍ରଧାନମନ୍ତ୍ରୀ ପଦ ଛାଡି ତ’ ମୋଦି ଆସି ଗୁଜୁରାଟ ମୁଖ୍ୟମନ୍ତ୍ରୀ ହେବେନି । ତେବେ କିଏ ବିଜେପିର ଚେହେରା ହେବ । ଧନୀ ତଥା ସହରୀ ମଧ୍ୟବିତ୍ତଙ୍କ ମଧ୍ୟରେ ବେଶ ଲୋକପ୍ରିୟ ଥିଲେ ମୋଦି । ଶିଳ୍ପପତିଙ୍କ ପାଇଁ ସେ ଥିଲେ ଡାର୍ଲିଂ । ୨୦୧୨ରେ ଲୋକ ମୋଦିଙ୍କୁ ବାଛିଥିଲେ । ଦେଶର ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିବା ପରେ ମୋଦି ଆଉ ଗୁଜୁରାଟର ହୋଇ ନାହାନ୍ତି । ପ୍ରଥମେ ଆନନ୍ଦୀ ବେନ ପଟେଲ ଆଉ ଏବେ ବିଜୟ ରୁପାନୀ । ୩ ବର୍ଷ ଭିତରେ ଦୁଇ ଦୁଇ ଜଣ ମୁଖ୍ୟମନ୍ତ୍ରୀଙ୍କୁ ଗୁଜୁରାଟ ଦେଖିଛି । ତେଣୁ ଗୁଜୁରାଟବାସୀ କାହାକୁ ବାଛିବେ, ତାହା ମଧ୍ୟ ଏକ ବଡ ପ୍ରଶ୍ନ । ମୋଦିଙ୍କ ମିଶନ ଗୁଜୁରାଟ ରାସ୍ତାରେ ଯେ କେବଳ ଏସବୁ ପ୍ରତିବନ୍ଧକ ଅଛି, ତାହା ନୁହେଁ, ବରଂ ଗୁଜୁରାଟରେ ମୁଣ୍ଡ ଟେକିଥିବା ତିନି ଯୁବ ନେତା ଓ କିଛି ପ୍ରସଙ୍ଗ ଦେଶର ପ୍ରଧାନମନ୍ତ୍ରୀ ଏବଂ ବିଜେପିର ଚାଣକ୍ୟଙ୍କ ଗଣିତକୁ ଓଲଟା କରିଦେବାର ଦକ୍ଷତା ରଖୁଛନ୍ତି ।
ହାର୍ଦ୍ଦିକ ପଟେଲ: ଗତ ୫ ବର୍ଷ ଭିତରେ ଗୁଜୁରାଟର ସାମାଜିକ କ୍ଷେତ୍ରରେ ବହୁ ପରିବର୍ତ୍ତନ ଆସିଛି । ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ କରିବାରେ କିଭଳି ବିଫଳ ହୋଇଛନ୍ତି ତାକୁ ଆଧାର କରି ଅନେକ ଆନ୍ଦୋଳନ ମୁଣ୍ଡ ଟେକିଥିଲା । ଆଉ ପଟ୍ଟିଦାର ସମାଜ କରିଥିବା ଆନ୍ଦୋଳନକୁ ଏକ ଉହାରଣ ରୁପେ ନିଆଯାଇପାରେ । ରାଜନୈତିକ ଓ ଅର୍ଥନୈତିକ ସ୍ତରରେ ଏମାନେ ହେଉଛନ୍ତି ସବୁଠାରୁ ଶକ୍ତିଶାଳୀ ଗ୍ରୁପ୍ । ପୁରା ଗୁଜୁରାଟରେ ଏମାନଙ୍କର ୧୪ ପ୍ରତିଶତ ଭୋଟ ରହିଛି । ଗୋଟିଏ ସମୟ ଥିଲା ଏହି ଗ୍ରୁପ୍ ବିଜେପିର ଦୃଢ ସମର୍ଥକ ଥିଲେ ହେଲେ ଏବେ ହୋଇଯାଇଛନ୍ତି ବିରୋଧୀ । ପଟ୍ଟିଦାର ସମାଜର କିଛି ନେତା ବିଜେପିର ସମର୍ଥନରେ ବହୁତ ଆଗକୁ ବଢିଥିବା ବେଳେ ଏକ ବଡ ଅଂଶ ଆଜି ବି ନିଯୁକ୍ତି ପାଇବାରେ ସକ୍ଷମ ହୋଇନାହାନ୍ତି । ତେଣୁ ସରକାରୀ ସ୍ତରରେ ସଂରକ୍ଷଣ ଦାବି କରି ଆନ୍ଦୋଳନକୁ ଓହ୍ଲାଇଥିଲେ ପଟ୍ଟିଦାର କମ୍ୟୁନିଟି । ଆଉ ସେହି ସମୟରେ ବିଜେପି ସରକାର ଏହାକୁ ଆଲୋଚନା ମାଧ୍ୟମରେ ସମାଧାନ କରିବା ବଦଳରେ ଦୃଢହସ୍ତରେ ଦମନ କରିବାକୁ ଉଦ୍ୟମ କଲେ । ଫଳସ୍ୱରୁପ ୨୨ ବର୍ଷୀୟ ହାର୍ଦ୍ଦିକ ପଟେଲ ପଟ୍ଟିଦାର ସମାଜର ଆନ୍ଦୋଳନର ଚେହେରା ବନିଗଲେ । ଆଉ ଆଜିର ଦିନରେ ଗୁଜୁରାଟରେ ସବୁଠାରୁ ଚର୍ଚ୍ଚିତ ରାଜନେତା ହୋଇଛନ୍ତି ହାର୍ଦ୍ଦିକ ପଟେଲ, ଯାହାଙ୍କ ସମର୍ଥନ ପାଇଁ କଂଗ୍ରେସ ଲଗାତର ଭାବେ ଉଦ୍ୟମ କରିଆସୁଛି । ଆଉ ଯଦି ଉଭୟ ରାହୁଲ ଓ ହାର୍ଦ୍ଦିକଙ୍କ ମଧ୍ୟରେ ବୁଝାମଣା ନିର୍ଣ୍ଣାୟକ ମୋଡ ନିଏ ତେବେ ବିଜେପି ପାଇଁ ଆଗାମୀ ଦିନରେ ସ୍ଥିତି ଅଡୁଆ ଜନକ ହୋଇପାରେ ।
ଅଳ୍ପେଶ ଠାକୋର: ଗୁଜୁରାଟରେ ମଦ ନିଷେଧ । ହେଲେ ବାସ୍ତବତା ପୁରା ଅଲଗା । ଶାହରୁଖ ଖାନଙ୍କ ଫିଲ୍ମ ରଇସ ଏଭଳି କିଛି ଦିଗକୁ ସାମ୍ନାକୁ ଆଣିଥିଲା । ବେଆଇନ ମଦ ବେପାର ଗୁଜୁରାଟରେ ଖୁବ ଚାଲେ । ଏଭଳି ଅନେକ ନଜିର ମଧ୍ୟ ରହିଛି ଯେଉଁଠି ମଦ ବ୍ୟାନ ହୋଇଥିବା ସତ୍ତେ୍ୱ ଗୁଜୁରାଟରେ ମଦମୃତ୍ୟୁ ହୁଏ । କୁହାଯାଉଛି, ଗୁଜୁରାଟରେ ମଦରେ ସବୁଠାରୁ ଅଧିକ ପ୍ରଭାବିତ ପଛୁଆ କ୍ଷତ୍ରୀୟ ସଂପ୍ରଦାୟ । ଆଉ ଏହା ବିରୋଧରେ ମୁହିମ ଆରମ୍ଭ କଲେ ଅଳ୍ପେଶ ଠାକୋର । ମଦ ବିରୋଧରେ ଚଳାଇଲେ ଆନ୍ଦୋଳନ । ଠାକୁର ଯୁବକଙ୍କୁ ନେଇ ସେ ଆରମ୍ଭ କଲେ ଏକ ଯୁବ ସଂଗଠନ । ଆଉ ଏବେ ସେ କଂଗ୍ରେସରେ ସାମିଲ ହୋଇଛନ୍ତି । ରାଜନୈତିକ ସମୀକ୍ଷକଙ୍କ ମତରେ ଗୁଜୁରାଟ ନିର୍ବାଚନ ସମୟରେ ଉଭୟ ଅଳ୍ପେଶ ଓ ହାର୍ଦ୍ଦିକଙ୍କ ଉପରେ ସମସ୍ତଙ୍କ ନଜର ରହିବ । କାରଣ, ହାର୍ଦ୍ଦିକ ପଟ୍ଟିଦାର ଭୋଟକୁ ବିଜେପି ଠାରୁ ଛଙ୍ଗାଇ ଆଣିବାରେ ସକ୍ଷମ ହେବେ ଓ ଅଳ୍ପେଶ ପାରମ୍ପରିକ କ୍ଷତ୍ରିୟ ଭୋଟକୁ କଂଗ୍ରେସ ଆଡକୁ ଆଣିପାରିବେ ।
ଜିଗ୍ନେଶ ମେବାନି: ଦଳିତଙ୍କ ନେତା ଭାବେ ଉଭା ହୋଇଛନ୍ତି ଜିଗ୍ନେଶ । ଉନ୍ନାରେ ଯେଉଁଭଳି ଜଣେ ଦଳିଙ୍କ ଉପରେ ତଥାକଥିତ ଗୋରକ୍ଷକ ଆକ୍ରମଣ କରିଥିଲେ, ତାହା ବିଜେପିର ଦଳିତ ବିରୋଧୀ ଆଭିମୁଖ୍ୟ ପ୍ରମାଣିତ କଲା ବୋଲି ଏହି ଗୋଷ୍ଠୀ ଚିନ୍ତା କଲା । ଗତବର୍ଷ ଜୁଲାଇରେ ପୋଲିସ ଉପସ୍ଥିତିରେ ଦଳିତଙ୍କ ଉପରେ ଆକ୍ରମଣକୁ କେହି ସହଜରେ ହଜମ କରିପାରିଲେ ନାହିଁ । ଖାସ କରି ରାଜ୍ୟ ପ୍ରଶାସନ ଏହି ଘଟଣା ଉପରେ ନୀରବତା ଅବଲମ୍ବନ କରିବା ବିଜେପି ପାଇଁ ଅଡୁଆ ଜନକ ସ୍ଥିତି ସୃଷ୍ଟି କଲା । ଯଦିଓ ଜିଗ୍ନେଶ ଦଳିତ ଭୋଟକୁ ସଂପୁର୍ଣ୍ଣ ଭାବେ ବିଜେପି ଠାରୁ ଦୁରେଇ ନେଇପାରିବେ ନାହିଁ ବା ତାଙ୍କ ପାଖରେ ଏତେ ପରିମାଣରେ ଭୋଟ ନାହିଁ, ତେଣୁ ବିଜେପି ପାଇଁ ସେ ଏତେବଡ ଚାଲେଂଜ ହେଉନାହାନ୍ତି । ହେଲେ ଯଦି ହାର୍ଦ୍ଦିକ ଜିଗ୍ନେଶ ଓ ଅଳ୍ପେଶ ଏକାଠି ହୁଅନ୍ତି, ଯେଉଁମାନେ ଏବେ ଯୁବଗୋଷ୍ଠୀର ଚେହେରା ଭାବେ ମୁଣ୍ଡ ଟେକିଛନ୍ତି, ତାହା ବିଜେପି ରାସ୍ତାରେ ସବୁଠାରୁ ବଡ କଂଟା ହୋଇ ଉଭାହେବେ ।

ନୋଟବ୍ୟାନ୍, ଜିଏସଟି ପ୍ରଭାବ: ଗୁଜୁରାଟର ବ୍ୟବସାୟୀଙ୍କ ଭିତରେ ବିମୁଦ୍ରାକରଣନ ଓ ଜିଏସଟିକୁ ନେଇ ଏକ ନକରାତ୍ମ ଚିନ୍ତାଧାରା ରହିଛି । ଚଳିତବର୍ଷ ଜୁଲାଇରେ ସୁରଟରେ ସରକାରୀ ନୀତି ବିରୋଧରେ ବ୍ୟବସାୟୀ ସବୁଠାରୁ ବଡ ଆନ୍ଦୋଳନ ଚଳାଇଥିଲେ । ଏହି କମ୍ୟୁନିଟି ମୋଦିଙ୍କର ଦୃଢ ସମର୍ଥକ ଭାବେ ଠିଆ ହୋଇଥିଲେ, ହେଲେ ଏବେ ଧୀରେ ଧୀରେ ବିଜେପି ଠାରୁ ଦୁରେଇବା ଆରମ୍ଭ କରିଛନ୍ତି । ଖାସକରି ଜିଏସଟି ଓ ବିମୁଦ୍ରାକରଣକୁ ଯେଉଁଭଳି ଭାବେ ଲାଗୁ କରାଗଲା. ତାକୁ ନେଇ ବ୍ୟବସାୟୀ ବେଶ କ୍ଷୁବ୍ଧ । ତେବେ ଗତ ମାସରେ ଜିଏସଟି କାଉନସିଲ କିଛି ସାମଗ୍ରୀ ଉପରେ ରେଟ କମାଇ ବ୍ୟବସାୟୀଙ୍କୁ ମନାଇବାକୁ ବିଜେପି ଉଦ୍ୟମ କରିଥିଲା । ଏପରିକି ମୋଦି ଏକ ନିର୍ବାଚନ ରାଲିରେ କହିଥିଲେ, ଗୁଜୁରାଟ ବ୍ୟବସାୟୀଙ୍କ ପାଇଁ ଦିପାବଳୀ ଜଲଦି ଆସିଗଲା ।
କଂଗ୍ରେସର ଶକ୍ତିବୃଦ୍ଧି: ଗାନ୍ଧୀନଗରରୁ ନୁଆଦିଲ୍ଲୀକୁ ମୋଦି ଯିବା ପରେ ଗୁଜୁରାଟରେ ବିଜେପି ରାଜନୀତିରେ ଏକ ବଡ ଶୁନ୍ୟସ୍ଥାନ ତିଆରି ହୋଇଥିଲା । ଆଉ ଏହାପରେ ଗୁଜୁରାଟରେ ହୋଇଥିବା ପଂଚାୟତ ଓ ମ୍ୟୁନିସିପାଲିଟି ନିର୍ବାଚନରେ ବିଜେପିକୁ କଡା ଟକ୍କର ଦେଇଥିଲା କଂଗ୍ରେସ । ନିର୍ବାଚନରେ ବିଜେପି ଓ କଂଗ୍ରେସ ଭିତରେ ଯେ କବେଳ ଦୁରତା କମିଥିଲା ତାହା ନୁହେଁ କିଛି ସ୍ଥାନରେ କଂଗ୍ରେସ ବିଜେପି ଠାରୁ ଆଗକୁ ମଧ୍ୟ ଚାଲି ଆସିଥିଲା । ଗୁଜୁରାଟରେ କଂଗ୍ରେସ ସପକ୍ଷରେ ଏକ ଅଣ୍ଡ କରେଂଟ ଥିବା ଅନୁମାନ କରାଯାଉଛି । ଏହାକୁ ଆଖି ଆଗରେ ରଖି ଅହମ୍ମଦ ପଟେଲ କହିଥିଲେ, ଯଦି ୨୦୧୭ର ନିର୍ବାଚନ ଜିତିବାରେ କଂଗ୍ରେସ ବିଫଳ ହେଉଛି ତେବେ ରାଜ୍ୟରେ ଆଗାମୀ ନିର୍ବାଚନ ଜିତିବା ମଧ୍ୟ ସମ୍ଭବପର ହେବନି । ବୋଧହୁଏ ସ୍ଥିତି ସଂପୁର୍ଣ୍ଣ ଅନୁକୁଳ ଥିବା ଅନୁମାନ କରି କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧୀ ଏହି ନିର୍ବାଚନରେ ବାଜିମାତ କରିବାକୁ ଅଂଟା ଭିଡିଛନ୍ତି ।
ଭୋଟ ଗଣିତ: ବିଜେପି ବେଶ ଭଲଭାବେ ଜାଣିଛନ୍ତି, ୨୦୦୨ ପରଠାରୁ କଂଗ୍ରେସର ଆଭରେଜ ଭୋଟ ରହିଛି ୩୯ ପ୍ରତିଶତ । ଆଉ ବିଜେପି କଂଗ୍ରେସ ଠାରୁ ୯ ପ୍ରତିଶତ ଅଧିକ ଭୋଟରେ ରହିଛି । ତେବେ ୨୦୧୫ ପରଠାରୁ ହୋଇଥିବା ସ୍ଥାନୀୟ ନିର୍ବାଚନ କିଛି ଅଲଗା ଦୃଶ୍ୟକୁ ବୟାନ କରୁଛି । ପଂଚାୟତ ନିର୍ବାଚନରେ କଂଗ୍ରେସ ବିଜେପି ଠାରୁ ଯଥେଷ୍ଟ ଭଲ ପ୍ରଦର୍ଶନ କରିଥିଲା । ୪୮ ପ୍ରତିଶତ ଭୋଟ ସହ ୨୪ଟି ଜିଲ୍ଲା ପଂଚାୟତକୁ ଦଖଲ କରିଥିଲା କଂଗ୍ରେସ ଆଉ ବିଜେପି ୪୪ ପ୍ରତିଶତ ଭୋଟ ସହ ମାତ୍ର ୬ଟି ଜିଲ୍ଲା ପଂଚାୟତରେ ବାଜି ମାରିନେଇଥିଲା । ସେହିଭଳି ତାଲୁକା ପଂଚାୟତ ନିର୍ବାଚନରେ କଂଗ୍ରେସ ବିଜେପି ଠାରୁ ଆଗରେ ରହିଥିଲା । ୪୬ ପ୍ରତିଶତ ଭୋଟ ସହ କଂଗ୍ରେସ ୧୩୪ ଆସନରେ ଜିତିଥିବା ବେଳେ ୪୨ ପ୍ରତିଶତ ଭୋଟ ସହ ବିଜେପି ୬୭ଟି ଆସନରେ ଜିତିବାକୁ ସମର୍ଥ ହୋଇଥିଲା । ତେବେ ମ୍ୟୁନିସିପାଲିଟି ନିର୍ବାଚନରେ ବିଜେପି ନିଜ ସ୍ଥିତିକୁ ସୁଦୃଢ କରିପାରିଥିଲା । ହେଲେ ଭୋଟ ପ୍ରତିଶତରେ ଥିବା ବ୍ୟବଦାନ କମିଥିଲା । ୨୦୧୦ ମ୍ୟୁନିିସିପାଲିଟି ନିର୍ବାଚନରେ ବିଜେପି ଓ କଂଗ୍ରେସର ଭୋଟ ପ୍ରତିଶତରେ ବ୍ୟବଧାନ ଥିଲା ୧୮ ପ୍ରତିଶତ । ହେଲେ ୨୦୧୫ରେ ଏହା ଖସି ଆସିଥିଲା ୫ ପ୍ରତିଶତକୁ । ମହାନଗର ନିର୍ବାଚନରେ ମଧ୍ୟ ବିଜେପି ଓ କଂଗ୍ରେସମଧ୍ୟରେ ଥିବା ଭୋଟ ବ୍ୟବଧାନ କମିଥିଲା ।
ଭୋଟର ଏହି ଗଣିତକୁ ଦେଖିଲେ ଅନୁମାନ କରାଯାଇପାରେ, ବିଜେପି ଏବେ ଗୁଜୁରାଟରେ ଏକ ଚାଲେଂଜର ସାମ୍ନା କରୁଛି । ହେଲେ ଏହା ମଧ୍ୟ ବାସ୍ତବତା ଯେ, ପଂଚାୟତ ନିର୍ବାଚନର ଭୋଟ ଓ ବିଧାନସଭା ନିର୍ବାଚନର ଭୋଟର ତରିକା ଅଲଗା ଅଲଗା । ଜାତୀୟ ସ୍ତରରେ ହୋଇଥିବା କିଛି ଓପିନିଅନ ପୋଲ୍ ବିଜେପି ଜିତିବାର ସଂକେତ ଦେଉଛି । ୨୦୧୫ର ସ୍ଥାନୀୟ ନିର୍ବାଚନ ପରେ କେନ୍ଦ୍ର ସ୍ତରରେ ଦୁଇ ଦୁଇଟି ବଡ ଧରଣର ନିଷ୍ପତ୍ତି ହୋଇଛି । ଗୋଟିଏ ହେଲା ବିମୁଦ୍ରୀକରଣ ଓ ଅନ୍ୟଟି ଜିଏସଟି । ଯାହାର ବଡ ଧରଣର ପ୍ରଭାବ ଗୁଜୁରାଟରେ ରହିଛି । ମୋଦି ଏହା ମଧ୍ୟ ବେଶ ଭଲ ଭାବେ ଅବଗତ ଅଛନ୍ତି, ଯେ ୨୦୧୨ରେ ଗୁଜୁରାଟରେ ନିର୍ବାଚନ ଜିତିବା ପରେ ହିଁ ୨୦୧୪ ପାଇଁ ବିଜେପି ଓ ନିଜ ସପକ୍ଷରେ ସେ ଏକ ବାତାବରଣ ସୃଷ୍ଟି କରିବାରେ ସକ୍ଷମ ହୋଇଥିଲେ । ଆଉ ଯଦି ୨୦୧୭ରେ ସେ ନିଜ ଗଡ ଅର୍ଥାତ୍ ଗୁଜୁରାଟରେ ପରାସ୍ତ ହୁଅନ୍ତି ତେବେ ତାଙ୍କ ରାଜନୈତିକ ପଥ ବଦଳିଯିବ । ତେଣୁ ସମସ୍ତ ଦୃଷ୍ଟିକୋଣରୁ ଗୁଜୁରାଟ ନିର୍ବାଚନ ବେଶ ଗୁରୁତ୍ୱପୁର୍ଣ୍ଣ । ମୋଦିଙ୍କ ରାଜନୈତିକ ଭବିଷ୍ୟତ ଆଉ ଦେଶରେ ୨୦୧୯ ପାଇଁ ବାର୍ତ୍ତା ଦେବ ଗୁଜୁରାଟ ବିଧାନସଭା ନିର୍ବାଚନ । ଯଦି ଗୁଜୁରାଟରେ ବିଜେପି ଜିତୁଛି ତେବେ ୨୦୧୯ରେ ଦିଲ୍ଲୀ ଦଖଲ କରିବା ତାଙ୍କ ପାଇଁ ସହଜ ହେବ ଆଉ ଯଦି ହାରନ୍ତି ତେବେ ଏକ ଅନିଶ୍ଚିତ ଭବିଷ୍ୟତ ମୋଦିଙ୍କ ପାଇଁ ଅପେକ୍ଷା କରିବ । ତେଣୁ ମୋଦିଙ୍କ ପାଇଁ ଏବେ ଅଗ୍ନିପରୀକ୍ଷା ହୋଇଛି ଗୁଜୁରାଟ । ନିଜ ରାଜ୍ୟରେ ପରୀକ୍ଷା ଦେଇ ପ୍ରଧାନମନ୍ତ୍ରୀ ପାଶ ହେଉଛନ୍ତି କି ଫେଲ, ଅପେକ୍ଷା କରିବାକୁ ପଡିବ ଡିସେମ୍ବର ୧୮କୁ ।