ୟାଙ୍କୁ କିଏ ଧରୁଛ ଧର… ଟ୍ରାଫିକ ପୋଲିସ ଧରିବା ପୂର୍ବରୁ ପାଞ୍ଚଥର ଭାବିବେ । କାରଣ ହେଲମେଟରେ ଅଛି ସବୁ ଡକ୍ୟୁମେଣ୍ଟ

3,757

କନକ ବ୍ୟୁରୋ: ଟ୍ରାଫିକ ନିୟମ ଟାଇଟ ହେବା ପରେ ସବୁଠି ଚାଲିଛି ଧରପଗଡ । ନିୟମ ପରେ ପୋଲିସ- ପବ୍ଲିକ ମଧ୍ୟରେ ଛକାପଞ୍ଝା ଚାଲିଛି । ନିୟମରେ ଟିକେ ଭୁଲ ହେଲେ ସମସ୍ତଙ୍କୁ ଜରିମାନା ଦେବାର ଭୟ ଘାରିଛି । ତେଣୁ ଫାଇନ ଡରରେ ରାସ୍ତା ଉପରକୁ ଗାଡି କାଢିବାକୁ କେହି ଚାହୁଁନାହାନ୍ତି । ଆଉ ଘରୁ ଗାଡି ବାହାର କରିବା ପୂର୍ବରୁ ହଜାର ଥର ଭାବିବାକୁ ପଡୁଛି ।

ସେପ୍ଟେମ୍ବର ୧ ପରେ ଜରିମାନା ଡରରେ କିଏ ଗାଡି ଜାଳିଦେଉଛି ତ ଆଉ କିଏ ଘୋଡା ୬ ଟଙ୍କାକୁ ଦାନା ୯ ଟଙ୍କା ନ୍ୟାୟରେ ଫାଇନ ପଡିବା ପରେ ରାସ୍ତାରେ ଗାଡି ଛାଡି ପଳାଉଛି । ତେବେ ଏତିକି ବେଳେ ସାମ୍ନାକୁ ଆସିଛି ଡକ୍ୟୁମେଂଟ ମ୍ୟାନଙ୍କ କାହାଣୀ । ଯାହାଙ୍କୁ ଟ୍ରାଫିକ ପୋଲିସ ଧରିବା ଆଗରୁ ସାତଥର ଭାବିବେ । କାରଣ ସେ ନିଜ ହେଲମେଟରେ ଗାଡିର ସବୁ କାଗଜ ପତ୍ର ଚିପକେଇ ବୁଲୁଛନ୍ତି ।

ତେବେ ଗୁଜୁରାଟ ଭଦୋଦରାର ରାମ ଶାହା ପେସାରେ ଜଣେ ଇନସ୍ୟୁରାନ୍ସ ଏଜେଣ୍ଟ । ନୂଆ ନିୟମ ଲାଗୁ ପରେ କାଳେ ଟ୍ରାଫିକ ହାବୁଡରେ ପଡିଲେ ଫାଇନ ଗଣିବାକୁ ପଡିବ ତେଣୁ ସେ ନିଜ ହେଲମେଟରେ ସବୁ କାଗଜପତ୍ର ଲଗାଇ ବୁଲୁଛନ୍ତି । ହେଲମେଟ ଉପରେ ଡ୍ରାଇଭିଂ ଲାଇସେନ୍ସ, ଗାଡି ଇନସ୍ୟୁରାନ୍ସ, ଆରସି ଏବଂ ପ୍ରଦୂଷଣ ସାର୍ଟିଫିକେଟ ଲଗାଇ ବୁଲୁଛନ୍ତି । ତେବେ ଜରିମାନା ଜଲରୁ ବର୍ତ୍ତିବାକୁ ରାମ ଶାହା ଏଭଳି ଅଭିନୟ ଉପାୟ ଆପଣେଇଥିବା କହିଛନ୍ତି ।