ଗୁଜୁରାଟ ବଦୋଦରା ନିକଟ ହରନୀ ହ୍ରଦରେ ବଡ ଅଘଟଣ । ବୋଟ୍ ଓଲଟି ଯିବାରୁ ୧୬ ସ୍କୁଲ ଛାତ୍ରଛାତ୍ରୀ ଓ ୨ ଶିକ୍ଷକଙ୍କ ମୃତ୍ୟୁ ।

1,321

କନକ ବ୍ୟୁରୋ: ଗୁଜରାଟର ବଡୋଦରା ଜିଲ୍ଲା ହରନୀ ହ୍ରଦରେ ଡଙ୍ଗା ବୁଡି ୧୬ ସ୍କୁଲ ଛାତ୍ରଛାତ୍ରୀ ଓ ୨ ଜଣ ଶିକ୍ଷକଙ୍କ ମୃତ୍ୟୁ ହୋଇଛି । ମୃତ ଛାତ୍ରଛାତ୍ରୀଙ୍କ ବୟସ ୧୪ରୁ ୧୫ ବର୍ଷ ଭିତରେ ଓ ଉଭୟ ଶିକ୍ଷକଙ୍କ ବୟସ ୪୫ ବର୍ଷ ବୋଲି ଜଣାପଡିଛି । ହ୍ରଦରେ ବୋଟ ଓଲଟି ପଡିବାରୁ ବଣଭୋଜି କରିବାକୁ ଯାଇଥିବା ସନରାଇଜ ସ୍କୁଲର ୧୬ ଜଣ ସ୍କୁଲ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଛି ।
ସୂଚନା ଅନୁସାରେ ବୋଟ ହ୍ରଦର କୂଳ ନିକଟରେ ଥିବା ବେଳେ ଓଲଟି ପଡିଥିଲା । ସେହି ସମୟରେ ବୋଟରେ ୨୭ ଜଣ ଛାତ୍ରଛାତ୍ରୀଙ୍କ ସମେତ ୩୪ ଜଣ ଯାତ୍ରୀ ଥିଲେ । ଉପସ୍ଥିତ ଲୋକମାନେ ତୁରନ୍ତ ଉଦ୍ଧାର ଉଦ୍ୟମ କରିଥିବା ବେଳେ ପାଣିରେ ବୁଡି ୨ ଶିକ୍ଷକଙ୍କ ସମେତ ୧୬ ଜଣ ସ୍କୁଲ ପିଲାଙ୍କ ଶୋଚନୀୟ ମୃତ୍ୟୁ ହୋଇଛି । ଖବର ପାଇ ତୁରନ୍ତ ଏନଡିଆରଏଫ ଟିମ ପହଂଚି ହ୍ରଦରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।

ସୁରକ୍ଷାରେ ତ୍ରୁଟି ଓ ଅବହେଳା ଯୋଗୁଁ ବୋଟ ଦୁର୍ଘଟଣା ଘଟିଥିବା କୁହାଯାଉଛି । ସ୍କୁଲ ପିଲାଙ୍କୁ ଲାଇଫ ଜ୍ୟାକେଟ ଦିଆଯାଇଥିଲେ ନୀରିହ ଶିଶୁଙ୍କ ଜୀବନ ଯାଇନଥାନ୍ତା ବୋଲି ଅଭିଯୋଗ ହୋଇଛି । ବଡୋଦରା ଦୁର୍ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏଥିସହ ମୃତ ଛାତ୍ରଛାତ୍ରୀଙ୍କ ପରିବାରକୁ ୨ ଲ କ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି । ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଆୟୋଜକଙ୍କ ବିରୋଧରେ ଆଇପିସିର ବିଭିନ୍ନ ଧାରାରେ ମାମଲା ରୁଜୁ ହୋଇଛି । ବର୍ତମାନ ସୁଦ୍ଧା ୨ ଜଣଙ୍କୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି ।