ପ୍ରମାଣ ଅଭାବରୁ ଗୁଜରାଟ ଦଙ୍ଗାର ୨୨ ଜଣ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ, ୨ ଶିଶୁ ସମେତ ୨୨ଜଣଙ୍କୁ ହତ୍ୟା କରି ପୋଡିଦେଇଥିବା ଭଳି ଥିଲା ସଙ୍ଗୀନ ଅଭିଯୋଗ

102

କନକ ବ୍ୟୁରୋ : ଗୁଜରାଟ ଦଙ୍ଗାକୁ ନେଇ ବିବିସି ପ୍ରସ୍ତୁତ କରିଥିବା ଡକ୍ୟୁମେଣ୍ଟାରୀ ଏବେ ଭାରତୀୟ ରାଜନୀତିରେ ହଇଚଇ ସୃଷ୍ଟି କରିଥିବା ବେଳେ ଏହି ଦଙ୍ଗାକୁ ନେଇ ପୁଣି ଆସିଛି ଏକ ବଡ ଖବର । ୨୦୦୨ ଗୁଜରାଟ ଦଙ୍ଗା ମାମଲାରେ ଗୁଜରାଟର ଏକ ଅଦାଲତ ୨୨ଜଣଙ୍କୁ ପ୍ରମାଣ ଅଭାବରୁ ଦୋଷମୁକ୍ତ କରିଛନ୍ତି । ଏହି ୨୨ଜଣଙ୍କ ଉପରେ ୨ଶିଶୁ ସମେତ ୧୭ଜଣଙ୍କୁ ହତ୍ୟାକରି ପୋଡି ଦେଇଥିବାର ଅଭିଯୋଗ ରହିଥିଲା । ଏହି ହତ୍ୟାକାଣ୍ଡ ପଞ୍ଚମହଲର ହଲୋଲରେ ହୋଇଥିଲା । ଏହି ମାମଲାରେ ୨୨ଜଣଙ୍କ ଉପରେ ମାମଲା ରୁଜୁ ହୋଇଥିଲା । ହେଲେ ଶୁଣାଣି କ୍ରମରେ ୮ଜଣ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିଲା ।

ସଂପୃକ୍ତ ମାମଲାରେ ଅଭିଯୁକ୍ତଙ୍କ ତରଫରୁ ମାମଲା ଲଢୁଥିବା ଓକିଲ ଗୋପାଲସିଂ ସୋଲଙ୍କୀ କହିଛନ୍ତି କି, ଜଷ୍ଟିସ ହର୍ଷ ଦ୍ୱିବେଦୀଙ୍କ ଖଣ୍ଡପୀଠ ୨୨ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ସେସନ କୋର୍ଟ ପ୍ରମାଣ ଅଭାବରୁ ଏଭଳି ରାୟ ଶୁଣାଇଥିବା କଥା ଗୋପାଲସିଂ କହିଛନ୍ତି । ଏହି ମାମଲାର ଶୁଣାଣି ହଲୋଲ ନିକଟ ଏକ ଅଦାଲତରେ ହୋଇଥିଲା ।

ସେପଟେ ଅଭିଯୋଗକାରୀଙ୍କ ପକ୍ଷରୁ ମାମଲା ଲଢୁଥିବା ଓକିଲ କୋର୍ଟରେ କହିଥିଲେ କି, ୨୦୦୨ ଫେବୃଆରୀ ୨୮ ତାରିଖରେ ପଞ୍ଚମହଲ ଜିଲ୍ଲା ହଲୋଲରେ ୧୭ଜଣଙ୍କୁ ହତ୍ୟା କରାଯାଇଥିଲା   । ଏଥିରେ ୨ଜଣ ଶିଶୁ ମଧ୍ୟ ରହିଥିଲେ । ଏହାପରେ ଅଭିଯୁକ୍ତମାନେ ପ୍ରମାଣ ନଷ୍ଟ କରିବାକୁ ମୃତକଙ୍କ ଶବକୁ ପୋଡି ଦେଇଥିଲେ ।

ଏଭଳି ହତ୍ୟାକାଣ୍ଡ ପରେ ହତ୍ୟା ଓ ଦଙ୍ଗା ସମ୍ବନ୍ଧିତ ଧାରାରେ ପୋଲିସ ମାମଲା ରୁଜୁ କରିଥିଲା । ୨୦୦୪ ମସିହାରେ ୨୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ହେଲେ ଏହି ମାମଲାର ଶୁଣାଣି ବେଳେ ଅଭିଯୋଗକାରୀ ପକ୍ଷ ଅଭିଯୁକ୍ତଙ୍କ ବିରୋଧରେ ପ୍ରମାଣ ଯୋଗାଡ କରିପାରିନଥିଲେ । ଏହାସହ ପ୍ରଥମେ ପ୍ରମାଣ ଦେଇଥିବା କିଛି ଲୋକ ପରେ ପ୍ରମାଣ ଦେବାରୁ ବିରତ ରହିଥିଲେ । ଅଭିଯୁକ୍ତଙ୍କ ଓକିଲ କୋର୍ଟକୁ କହିଥିଲେ କି ମୃତକଙ୍କ ଶବ ମିଳିନାହିଁ । ପୋଲିସ କେବଳ ନଦୀତଟରୁ କିଛି ହାଡ ଜବତ କରିଥିଲା ।