କନକ ବ୍ୟୁରୋ: ଦେଶର ୧୦ଟି ରାଜ୍ୟସଭା ସିଟରେ ଖୁବଶୀଘ୍ର ହେବାକୁ ଯାଉଛି ନିର୍ବାଚନ । ଏଥିପାଇଁ ଆସନ୍ତା ଜୁଲାଇ ୨୪ ତାରିଖରେ ହେବ ମତଦାନ । ତେବେ ଏହି ୧୦ଟି ରାଜ୍ୟସଭା ସିଟ୍ ମଧ୍ୟରୁ ୬ଟି ପଶ୍ଚିମବଙ୍ଗରୁ ଥିବାବେଳେ, ଗୁଜରାଟରୁ ୩ଟି ଏବଂ ଗୋଆରୁ ଗୋଟିଏ ରାଜ୍ୟସଭା ସିଟ୍ ରହିଛି । ମିଳିଥିବା ସୂଚନା ମୁତାବକ, କେନ୍ଦ୍ର ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ଏହି ରାଜ୍ୟସଭା ନିର୍ବାଚନରେ ଗୁଜରାଟରୁ ନାମାଙ୍କନ ପତ୍ର ଦାଖଲ କରିବେ । କେନ୍ଦ୍ର ବିଦେଶ ମନ୍ତ୍ରୀଙ୍କ ରାଜ୍ୟସଭା କାର୍ଯ୍ୟକାଳ ଅଗଷ୍ଟ ମାସରେ ଶେଷ ହେଉଛି । ତେଣୁ ଏହା ପୂର୍ବରୁ ହେଉଥିବା ରାଜ୍ୟସଭା ନିର୍ବାଚନରେ ସେ ଭାଗ ନେବେ ।

Advertisment

ଜୟଶଙ୍କରଙ୍କ ବ୍ୟତୀତ ଗୁଜରାଟର ରାଜ୍ୟସଭା ସାଂସଦ ଦିନେଶ ଜମେଲଭାଇ ଅନାବଡିୟା ଏବଂ ଲୋଖଣ୍ଡବାଲା ଜୁଗଲ ସିଂଙ୍କ କାର୍ଯ୍ୟକାଳ ମଧ୍ୟ ଅଗଷ୍ଟ ୧୮ ତାରିଖରେ ଶେଷ ହେଉଛି । ଯେଉଁଥିପାଇଁ ପାଇଁ ଏବେ ରାଜ୍ୟସଭା ନିର୍ବାଚନ ହେବ । ତେବେ ଗୁଜରାଟରେ ହେବାକୁ ଥିବା ୩ଟି ଯାକ ରାଜ୍ୟସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଦେବ ନାହିଁ । ରାଜ୍ୟସଭା ନିର୍ବାଚନରୁ କଂଗ୍ରେସ ନିଜର ନାଁ ଫେରାଇ ନେଇଛି । ଗୁଜରାଟ କଂଗ୍ରେସ ଅଧ୍ୟକ୍ଷ ମନୀଷ ଦୋଷୀଙ୍କ କହିବା କଥା, ଗତବର୍ଷ ବିଧାନସଭା ନିର୍ବାଚନରେ ଦଳ ଭଲ କରିପାରିନଥିଲା । ସେଥିପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି ।

ଏତଦବ୍ୟତୀତ ଗୋଆର ବିନୟ ତେନ୍ଦୁଲକରଙ୍କ କାର୍ଯ୍ୟକାଳ ମଧ୍ୟ ଜୁଲାଇ ୨୮ ତାରିଖରେ ଶେଷ ହେଉଛି । ତାଙ୍କ ସହିତ ଡେରେକ୍ ଓ ବ୍ରାଏନ୍, ଡୋଲା ସେନ୍, ସୁଷ୍ମିତା ଦେବ, ଶୁଖେନ୍ଦୁ ଶେଖର, ପ୍ରଦୀପ ଭଟ୍ଟାଚାର୍ଯ୍ୟ ଏବଂ ଶାନ୍ତା ଛେତ୍ରୀଙ୍କ କାର୍ଯ୍ୟକାଳ ମଧ୍ୟ ଅଗଷ୍ଟ ୧୮ରେ ଶେଷ ହେଉଛି । ତେଣୁ ଏହି ୧୦ଟି ରାଜ୍ୟସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେବ ।

ରାଜ୍ୟସଭା ନିର୍ବାଚନରେ ସାମିଲ ହେବାକୁ ଥିବା ଆଶାୟୀ ପ୍ରାର୍ଥୀମାନେ ଜୁଲାଇ ୧୩ ସୁଦ୍ଧା ନିଜର ନାମାଙ୍କନ ଦାଖଲ କରିବେ । ଜୁଲାଇ ୧୭ ତାରିଖ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି । ଅନ୍ୟପଟେ ଜୁଲାଇ ୬ ତାରିଖରେ ଏଥିପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ, ଜୁଲାଇ ୨୪ ତାରିଖରେ ଭୋଟଗ୍ରହଣ ହେଇ, ମତଗଣନା ଘୋଷଣା ହେବ ।