ଗୁଜରାଟ ନିର୍ବାଚନ : ବିଜେପି ଟିକେଟ ରେସରେ ଅନେକ ମୁସଲମାନ

61

କନକ ବ୍ୟୁରୋ : ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ଗୁଡିକ ଅଙ୍କକଷିବା ଆରମ୍ଭ କରିଛନ୍ତି । ଜାତୀୟ ଦଳ ଠାରୁ ଆରମ୍ଭ କରି ଆଂଚଳିକ ଦଳ ସମସ୍ତେ ନିର୍ବାଚନ ପାଇଁ ତତ୍ପରତା ଦେଖାଇଛନ୍ତି । ତେବେ ଏଥର ବିଜେପି ଟିକେଟରେ ଲଢିବା ପାଇଁ ମୁସଲିମ ସଂପ୍ରଦାୟର ଅନେକ ନେତା ଆଗ୍ରହ ପ୍ରକାଶ କରଥିବା ଜଣାପଡିଛି ।

୨୦୧୧ରେ ବହୁମାତ୍ରାରେ ମୁସଲିମଙ୍କ ସମର୍ଥନ ବଢିଥିଲା । ତତକାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ଭାବମୂର୍ତ୍ତି ସ୍ୱଚ୍ଛ ପାଇଁ ପ୍ରୟାସ କରିଥିଲେ ଓ ସଂଖ୍ୟାଲଘୁ ସଂପ୍ରଦାୟକୁ ଆକୃଷ୍ଟ କରିବା ପାଇଁ ସଦଭାବନା ମିଶନ ଆରମ୍ଭ କରିଥିଲେ । ବର୍ଷେ ପରେ ‘ସଦଭାବନା’ର ବାସ୍ତବତା ଦେଖିବାକୁ ମିଳିଥିଲା । ୨୦୧୨ ବିଧାନସଭା ନିର୍ବାଚନରେ ମୁସଲିମଙ୍କୁ ପ୍ରାର୍ଥୀ କରିନଥିଲା ଗେରୁଆ ଦଳ । ଏପରିକି, ବିଜେପି ୨୦୧୦ର ପୌର ନିର୍ବାଚନରେ ମୁସଲିମ ସଂପ୍ରଦାୟ ପ୍ରାର୍ଥୀଙ୍କୁ ଟିକେଟ ଦେଇଥିଲା,ସେ ଭିତରୁ ଅନେକ ଜିତିଥିଲେ । ୧୯୮୦ରୁ ୧୯୯୮ ଏହି ୧୮ ବର୍ଷ ଭିତରେ ପଦ୍ମ ଦଳ ଜଣେ ମାତ୍ର ମୁସଲିମ ପ୍ରାର୍ଥୀଙ୍କୁ ମୈଦାନକୁ ଛାଡିଥିଲା ।

ପାଂଚବର୍ଷ ପରେ ମୁସଲିମ ନେତା ‘ଅସଲ ସଦଭାବନା’ ଚାହୁଁଛନ୍ତି । ଏଥର ନିର୍ବାଚନରେ ଅଧିକ ଟିକେଟ ଆଶା କରୁଛନ୍ତି । ସେପଟେ ବିଜେପି ମୁସଲିମ ସଂପ୍ରଦାୟକୁ ଅଧିକ ଟିକେଟ ଦେଲେ ରାଜନୀତିରେ ନୂଆ ରଙ୍ଗ ଆସିବ ଓ ସଂଖ୍ୟାଲଘୁ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନୂଆ ବାଟ ଫିଟିବ । ଆଗାମୀ ବିଧାନସଭା ନିର୍ବାଚନରେ ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚା ଅନେକ ଆସନ ଦାବି କରୁଛି । ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚା ପ୍ରଭାରୀ ମେହେବୁବ ଅଲ୍ଲ୍ୀ ଚିସ୍ତି କହିଛନ୍ତିି, ୨୦୧୫ ପୌର ନିର୍ବାଚନରେ ପାଖାପାଖି ୩୫୦ଜଣ ମୁସଲିମ ବିଜେପି ଟିକେଟରେ ଲଢି ଜିତିଥିଲେ । ଆଗାମୀ ବିଧାନସଭା ନିର୍ବାଚନରେ କେତେକ ଆସନରେ ମୁସଲିମ ପ୍ରାର୍ଥୀ ଜିତିପାରିବେ ବୋଲି ସେ କହିଛନ୍ତି । ନିକଟରେ ହୋଇଥିବା ଦଳର ସଂସଦୀୟ ବୋର୍ଡ ବୈଠକରେ ମୁସଲିମ ସଂପ୍ରଦାୟର ନେତାମାନେ ଟିକେଟ ପାଇଁ ଅନୁରୋଧ କରିଥିଲେ । ଜମାଲପୁର –ଖାଡିଆ,ଭେଜଲପୁର,ବାଗ୍ରା,ବାଙ୍କେନାର, ଭୁଜ,ଅବଦସା ଆସନ ପାଇଁ ଦାବି କରିଥିଲେ ।

ଜମାଲପୁର –ଖାଡିଆ ଆଶାୟୀ ଅଛନ୍ତି ଶାହା-ଇ-ଆଲାମ ର ପ୍ରତିଷ୍ଠାତା ଉସମାନ ଘାଂଚି । ଗତ ଦଶନ୍ଧି ଧରି ବିଜେପି ସହ ଅଛନ୍ତି । ଏହି ଆସନ ପାଇଁ ତାଙ୍କ ପ୍ରାର୍ଥୀତ୍ୱକୁ ପାଂଚ ଜଣ ମୈାଲବୀ ବା ଧର୍ମଗୁରୁ ସୁପାରିଶ କରିଛନ୍ତି । ଏହି ନିର୍ବାଚନମଣ୍ଡଳୀର ସମୁଦାୟ ଭୋଟରଙ୍କ ମଧ୍ୟରୁ ୬୧ପ୍ରତିଶତ ହେଉଛନ୍ତି ମୁସଲିମ ସଂପ୍ରଦାୟର । ତାଙ୍କ ଟିକେଟ ପାଇବା ଆଶା ଅଧିକ ବୋଲି ସେ ଭାବୁଛନ୍ତି । ମୋର ବିଜେପି ପ୍ରତି ସମ୍ମାନ ରହିଛି । ଯଦି ମୋତେ ଥରେ ସୁଯୋଗ ମିଳେ ସେ ନିଶ୍ଚିତ ଭାବେ ଜିତିବେ ବୋଲି କହିଛନ୍ତି । ଭାରତୀୟ ଜନତା ଦଳ ଏକ ମଜବୁତ,କ୍ୟାଡର ଭିତ୍ତିକ ଦଳ ଓ ଦକ୍ଷ ନେତୃତ୍ୱ ଅଛନ୍ତି ଏବଂ ତାଙ୍କୁ ଜନସମର୍ଥନ ମିଳିବ ବୋଲି ସେ ଆଶାବାଦୀ ଅଛନ୍ତି । ସେହିପରି ପୂର୍ବତନ ଆଇପିଏସ ଅଧିକାରୀ ଏ. ଆଇ,ସାୟିଦ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବା ପାଇଁ ପ୍ରସ୍ତୁତ ଅଛନ୍ତି । ସେ ବିଜେପିରେ ୯ବର୍ଷ ହେଲା ଅଛନ୍ତି । ଯଦି ବିଜେପି ତାଙ୍କୁ ଟିକେଟ ପ୍ରଦାନ କରେ, ସେ ନିର୍ବାଚନ ଲଢିବେ ବୋଲି କହିଛନ୍ତି । ୨୦୧୦ରେ ସେ ପୌର ନିର୍ବାଚନ ଲଢି ପରାଜୟବରଣ କରିଥିଲେ । ପରେ ତାଙ୍କୁ ଗୁଜରାଟ ୱାକଫ ବୋର୍ଡର ଅଧ୍ୟକ୍ଷ କରାଯାଇଥିଲା ।

ଗୁଜରାଟ ନିର୍ବାଚନରେ ଘଡିକେ ଘୋଡା ଛୁଟୁଛି । କେତବେଳେ କିଏ କେଉଁ ଦଳରେ ମିଶୁଛି ତ କେତେବେଳେ ଦଳ ଛାଡୁଛନ୍ତି । ଆରୋପ ପ୍ରତ୍ୟାରୋପ ଲାଗିରହିଛି ବିଜେପି ଓ କଂଗ୍ରେସ ଭିତରେ । ପଟିଦାର ନେତା, ପ୍ରମୁଖ ବିରୋଧୀ କଂଗ୍ରେସର ‘ସାମ୍ପ୍ରଦାୟିକ’ ଅଭିଯୋଗ ପରିସ୍ଥିତି ବିଜେପି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଥିବା ବେଳେ, ବିଜେପି ଟିକେଟ ପାଇଁ ମୁସଲମାନଙ୍କ ରେସ ଦଳ ପାଇଁ ସାମାନ୍ୟ ଆଶ୍ୱସ୍ତି ଆଣିବ ।