କିଏ ହେବ ଗୁଜୁରାଟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ, ଦୌଡରେ ସାମିଲ ହେଲା ପୁଣି ଏକ ନାମ

73

କନକ ବ୍ୟୁରୋ : ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ଇସ୍ତଫା ପରେ ଗୁଜୁରାଟ ରାଜନୀତିରେ ହଟ ଚମଟ ଦେଖିବାକୁ ମିଳିଛି । କିଏ ହେବ ମୁଖ୍ୟମନ୍ତ୍ରୀ ତାକୁ ନେଇ ସସ୍ପେନ୍ସ ଲାଗି ରହିିଥିବା ବେଳେ ମୁଖ୍ୟମନ୍ତ୍ରୀ ଦୌଡରେ ଥିବା ବିଜେପି ନେତାଙ୍କ ମଧ୍ୟରେ ପୁଣି ଏକ ନାମ ଯୋଡି ହୋଇଛି । ହେଲେ କିଛି ସମୟ ପରେ ଆରମ୍ଭ ହେବାକୁ ଯାଉଥିବା ବିଧାୟକ ଦଳ ବୈଠକ ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ତାହା ସ୍ପଷ୍ଟ ହେବ ବୋଲି ଅନୁମାନ କରାଯାଉଛି ।

କିଛି ସମୟ ପରେ ବିଧାୟକ ଦଳ ବୈଠକ ଆରମ୍ଭ ହେବାକୁ ଯାଉଥିବା ବେଳେ ଉପ ମୁଖ୍ୟମନ୍ତ୍ରୀ ନିତୀନ ପଟେଲଙ୍କ ବୟାନକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ନିତୀନ ପଟେଲ କହିଛନ୍ତି କି, ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଏମିତି ଜଣେ ହେବା ଦରକାର ଯାହାଙ୍କୁ ପୁରା ଗୁଜୁରାଟର ଲୋକେ ଜାଣିଥିବେ ଓ ଜିଏ ଗୁଜୁରାଟର ଲୋକଙ୍କୁ ସାଙ୍ଗରେ ନେଇ ଚାଲିପାରିବ । ପଟେଲଙ୍କ ଏଭଳି ବୟାନ ସ୍ପଷ୍ଟ କରୁଛି ଯେ ସେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବାକୁ ଇଚ୍ଛା ପ୍ରକାଶ କରୁଛନ୍ତି । କହିରଖୁ କି ମୁଖ୍ୟମନ୍ତ୍ରୀ ଦୌଡରେ ଅନେକ ନେତାଙ୍କ ନାମ ସାମ୍ନାକୁ ଆସୁଥିବା ବେଳେ ଏହାକୁ ବି ଅସ୍ୱିକାର କରାଯାଇ ପାରିବ ନାହିଁ ଉତ୍ତରାଖଣ୍ଡ ଭଳି ଗୁଜୁରାଟରେ ବି ବିଜେପି ହାଇକମାଣ୍ଡ ପୁଣି ଜଣେ ନୂଆ ଚେହେରାଙ୍କୁ  ମୁଖ୍ୟମନ୍ତ୍ରୀ ଆସନରେ ବସାଇ ପାରନ୍ତି ।

ଏହା ପୂର୍ବରୁ ବିଜୟ ରୂପାଣୀ ଯେତେବେଳେ ମୁଖ୍ୟମନ୍ତ୍ରୀ ହୋଇଥିଲେ ସେତେବେଳେ ମୁଖ୍ୟମନ୍ତ୍ରୀ ଦୌଡରେ ସବୁଠାରୁ ଆଗରେ ଥିଲେ ନିତୀନ ପଟେଲ । ହେଲେ ହଠାତ ମୁଖ୍ୟମନ୍ତ୍ରୀ ଦୌଡରେ ନଥିବା ବିଜୟ ରୂପାଣୀଙ୍କ ନାମ ବିଧାୟକ ଦଳ ବୈଠକରେ ଘୋଷଣା କରାଯାଇଥିଲା । ଏହାସହ ନିତୀନ ପଟେଲଙ୍କୁ ଦଳ ସନ୍ତୁଷ୍ଟ କରିବାକୁ ଉପ ମୁଖ୍ୟମନ୍ତ୍ରୀ ପଦ ଦେଇଥିଲା ।

ସେପଟେ ପଟିଦାର ସଂପ୍ରଦାୟରୁ ଆସିଥିବା କେନ୍ଦ୍ର ,ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ୍ ମଣ୍ଡାଭିୟାଙ୍କ ନାମ ବି ମୁଖ୍ୟମନ୍ତ୍ରୀ ଦୌଡରେ ରହିଛି । ଆଜି ବିଧାୟକ ଦଳ ବୈଠକରେ ଯୋଗଦେବାକୁ ସେ ଗୁଜୁରାଟରେ ପହଂଚିଛନ୍ତି । ଅନ୍ୟପଟେ ପୁରୁଷୋତ୍ତମ ରୂପାଲାଙ୍କ ନାମ ବି ଚର୍ଚ୍ଚା ହେଉଛି । ହେଲେ ମୁଖ୍ୟମନ୍ତ୍ରୀ ଦୌଡରେ ଏବେ ଜଣେ ନୂଆ ଚେହେରାଙ୍କ ନାମ ସାମ୍ନାକୁ ଆସିଛି । ରୂପାଣୀ ସରକାରରେ ମନ୍ତ୍ରୀ ଥିବା ରଣଛୋଡ ଫାଲଦୁଙ୍କ ନାମ ଆସିବା ପରେ ଏବେ ଅନୁମାନ କରାଯାଉଛି କି ବିଧାୟକ ଦଳ ବୈଠକରେ ଫାଲଦୁଙ୍କ ନାମକୁ ଅଗ୍ରାଧିକାର ମିଳିପାରେ । ସେପଟେ ଲାକ୍ଷାଦ୍ୱୀପରେ ପ୍ରଶାସକ ଥିବା ପ୍ରଫୁଲ୍ଲ ପଟେଲଙ୍କ ସହ ଗୌରଧନ ଝଣ୍ଡାଫିୟାଙ୍କ ନାମ ବି ଚର୍ଚ୍ଚାରେ ରହିଛି ।