ସୁରତରୁ ଫେରିଥିବା ଶ୍ରମିକଙ୍କୁ ବୁଝାଇବା ପାଇଁ ଗଂଜାମ ପହଂଚିଲେ ଗୁଜୁରାଟ ଓଡିଆ ସମାଜର କର୍ମକର୍ତା । କହିଲେ ଚାକିରୀ ଗ୍ୟାରେଂଟୀ ଓ ବୀମା ନମିଳିଲେ ଫେରନ୍ତୁ ନାହିଁ ଶ୍ରମିକ, ସରକାର କରନ୍ତୁ ପଞ୍ଜୀକରଣ

899

କନକ ବ୍ୟୁରୋ : କରୋନା ଭୟ ଓ କଳ କାରଖାନା ବନ୍ଦ ହୋଇଯିବା ପରେ ବହୁତ ବାଧା ବିଘ୍ନ ଦେଇ ଘରେ ପହଁଚିଥିବା ଶ୍ରମିକଙ୍କୁ ବୁଝାଇବାକୁ ଗଂଜାମ ଆସିଛନ୍ତି ଗୁଜରାଟରେ କାମ କରୁଥିବା ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟର କର୍ମକର୍ତା । ଗଂଜାମର ବେଗୁନିଆପଡ଼ା ଓ ଖଲ୍ଲିକୋଟ ଅଂଚଳରେ ଗାଁ ଗାଁ ବୁଲି ସୁରତରୁ ଫେରିଥିବା ଶ୍ରମିକଙ୍କ ସହ ଆଲୋଚନା କରିଛନ୍ତି ।

ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟର କର୍ମକର୍ତାମାନେ ଶ୍ରମିକଙ୍କୁ ବୁଝାଉଛନ୍ତିି ଯେ ଏଥର ସୁରତ ଫେରିଲେ ଯେଭଳି କିଛି ସମସ୍ୟା ହେବନାହିଁ, ସେ ଦିଗରେ ଉଭୟ କାରଖାନା ମାଲିକ, ଓଡ଼ିଶା ଓ ଗୁଜରାଟ ସରକାର ଏ ନେଇ ଶ୍ରମିକଙ୍କ କଥା ବୁଝିବା ଦରକାର । ଯେପରିକି ଇପିଏଫ୍, ଇଏସଆଇ ଓ ଜବ୍ ଗ୍ୟାରେଂଟି ଦେଲେ ଯାଇ ଶ୍ରମିକମାନେ ଫେରିବା କଥା ଚିନ୍ତା କରିବେ । ସରକାର ଶ୍ରମିକଙ୍କର ପଂଜିକରଣ କରନ୍ତୁ ଏବଂ ସୁରତରେ ନୋଡାଲ ଅଫିସର ନିଯୁକ୍ତି କରନ୍ତୁ ଓଡ଼ିଶା ସରକାର ।

ଏପଟେ ବିନା ସର୍ତରେ ସୁରଟ ଫେରିବାକୁ ନାରାଜ ଗଂଜାମ ଜିଲ୍ଲାର ପ୍ରବାସୀ ଶ୍ରମିକ । ଯେଉଁ କଂପାନୀକୁ ଝାଳ ବୁହାଇ ଗଢ଼ିଥିଲେ, କରୋନା ବିପଦ ବେଳେ ସେହି କଂପାନୀ ସେମାନଙ୍କୁ ପର କରି ଦେଇଥିଲା । ଏବେ କାରଖାନା ଖୋଲିବା କଥା ଆସିବାରୁ ଶ୍ରମିକଙ୍କ କଥା ମନେ ପଡିଛି କଂପାନୀ ମାଲିକଙ୍କର । କିନ୍ତୁ ପ୍ରବାସୀ ଶ୍ରମିକଙ୍କ ଦାବି ପ୍ରଥମେ ପଂଜିକରଣ କର, ବୀମାଭୁକ୍ତ କର, ଚାକିରିର ଗ୍ୟାରେଂଟି ଦିଅ, ଏହା ପରେ ଫେରିବୁ ସୁରତକୁ । ନହେଲେ ରାଜ୍ୟ ସରକାର ସେମାନଙ୍କୁ କାମ ଦିଅନ୍ତୁ ବୋଲି ଦାବି କରିଛନ୍ତି ପ୍ରବାସୀ ଶ୍ରମିକ ।  ଗଂଜାମ ଜିଲ୍ଲାରୁ ଲକ୍ଷ ଲକ୍ଷ ଶ୍ରମିକ ସୁରତର ସୂତାକଳ ଓ ଅନ୍ୟାନ୍ୟ କଂପାନୀରେ କାମ କରିଥାନ୍ତି । ହେଲେ କାହା ପାଖରେ ସେମାନଙ୍କର ହିସାବ ନାହିଁ । ନା ଓଡ଼ିଶା ସରକାର ସେମାନଙ୍କର ହିସାବ ରଖିଛନ୍ତି, ନା ହିସାବ ରଖିଛନ୍ତି ଗୁଜରାଟ ସରକାର ।