କନକ ବ୍ୟୁରୋ : କିଏ ଭଙ୍ଗା ପୋଲରେ ଝୁଲି ରହିଥିଲା ତ କିଏ ପୁଣି ନଦୀକୁ ଖସିପଡି ମୃତ୍ୟୁ ସହ ସଂଗ୍ରାମ କରୁଥିଲା । ଚାରିଆଡୁ ବଞ୍ଚାଅ ବଞ୍ଚଅ ଶବ୍ଦରେ କମ୍ପି ଉଠୁଥିଲା ପୂରା ସହର । ଗୁଜରାଟ ମୌରବି ପୋଲ ଦୁର୍ଘଟଣାରେ ଯେଉଁ ଲୋକଙ୍କ ମୃତ୍ୟୁ ହେଲା ତାହା ଅନେକ ପରିବାରକୁ ସାରା ଜୀବନ ଦୁଖ ଦେଇଗଲା । ହେଲେ ପୋଲ ଭାଙ୍ଗିବାର ମାତ୍ର ୫ ଦିନ ପୂର୍ବରୁ ଅର୍ଥାତ ଅକ୍ଟୋବର ୨୬ ତାରିଖରେ ଏହି ପୋଲର ଦ୍ୱିତୀୟଥର ପାଇଁ ଖୋଲାଯାଇଥିଲା । ଠିକାଦାରଙ୍କ କହିବା ମୁତାବକ ଦୀର୍ଘ ୧୨ ମାସ ଅର୍ଥାତ ୧ ବର୍ଷର ମରାମତି ପରେ ଏହି ପୋଲ ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇଥିଲା । ସବୁଠାରୁ ବଡକଥା କି ଏହି ପୋଲ ମରାମତି ପାଇଁ ଠିକା ପାଇଥିବା ଅଞ୍ଜତା କମ୍ପାନୀ ବିନା ପିଟନେସ ସାର୍ଟିଫିକେଟରେ ଏହି ପୋଲକୁ ସାଧାରଣ ଲୋକଙ୍କ ପାଇଁ ଖୋଲି ଦେଇଥିଲା ।
ଯଦି ଆମେ ଏହି ପୋଲର ଇତିହାସକୁ ଦେଖିବା ତେବେ ଏଡା ୧୪୩ ବର୍ଷ ପୁରୁଣା ପୋଲ । ଏହି ପୋଲର ଲମ୍ବ ୭୬୫ ଫୁଟ ଓ ଚଉଡା ମାତ୍ର ୪ ଫୁଟ ଥିଲା । ଏହି ପୋଲର ଏକ ଐତିହାସିକ ପୋଲ ହୋଇଥିବା କାରଣରୁ ଏହା ଗୁଜରାଟ ପର୍ଯ୍ୟଟନ ତାଲିକାରେ ସାମିଲ କରାଯାଇଥିଲା । ସ୍ୱାଧୀନତା ପୂର୍ବରୁ ଇଂଗ୍ରେଜ ଶାସନ କାଳରେ ମୌରବି ପୋଲର ନିର୍ମାଣ ହୋଇଥିଲା । ମଚ୍ଛ ନଦୀ ଉପରେ ନିର୍ମାଣ ହୋଇଥିବା ଏହି ପୋଲ ମୌରବି ଜିଲ୍ଲାର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଥିଲା । ମୌରବିର ରାଜା ବାଘଜୀ ଶାବଜୀ ଏହି କେବୁଲ ପୋଲ ନିର୍ମାଣ କରିଥିଲେ । ଏହି ପୋଲର ଉଦଘାଟନ ୧୮୭୯ ମସିହାରେ ହୋଇଥିଲା । ବ୍ରିଟିସ ଇଂଜିନୟରଙ୍କ ଦ୍ୱାରା ନିର୍ମାଣ ହୋଇଥିବା ଏହି ପୋଲରେ ଅତ୍ୟାଧୁନିକ ଟେକ୍ନୋଲୋଜୀ ବ୍ୟବହାର କରାଯାଇଥିଲା ।
ସେପଟେ ଏହି ପୋଲ ଭାଙ୍ଗିବା ପଛରେ ଠିକାଦାରଙ୍କର ଅଣଦେଖାକୁ ନେଇ ବେଶ୍ ଚର୍ଚ୍ଚା ହେଉଛି । ଏହି ପୋଲର ମରାମତି ପାଇଁ ମୌରବି ନଗରପାଳିକା ତରଫରୁ ଅଞ୍ଜତା କମ୍ପାନୀକୁ ଠିକା ଦିଆଯାଇଥିଲା । ଠିକା ଚୁକ୍ତି ମୁତାବକ କମ୍ପାନୀ ଏହାର ମରାମତି କାମ ୮-୧୨ ମାସ ମଧ୍ୟରେ ଶେଷ କରିବା କଥା । ଏହାପରେ ଏହାକୁ ସାଧାରଣ ଲୋକଙ୍କ ପାଇଁ ଖୋଲାଯିବା କଥା । ହେଲେ ଚୁକ୍ତି ସମୟର ବହୁ ଆଗରୁ ଏହି ପୋଲ ସାଧାରଣ ଲୋକଙ୍କ ପାଇଁ ଖୋଲି ଦିଆଯାଇଥିଲା । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ ଏହି ପୋଲ ଖୋଲିବା ପୂର୍ବରୁ କମ୍ପାନୀକୁ କୌଣସି ମଞ୍ଜୁରୀ ମିଳିନଥିଲା । ପ୍ରଥମେ ବ୍ରିଜକୁ ୫ ଦିନ ପର୍ଯ୍ୟନ୍ତ ଖୋଲା ଯାଇଥିଲା । ତଥାପି ପ୍ରଶାସନ ତରଫରୁ ଏନେଇ କମ୍ପାନୀ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା । ବ୍ରିଜର ମରାମତି ପାଇଁ ଠିକା କମ୍ପାନୀକୁ ସରକାର ୨ କୋଟି ଟଙ୍କା ଦେଇଥିଲେ । ହେଲେ କୁହାଯାଉଛି କି କମ୍ପାନୀ ତରଫରୁ ଏହାକୁ ମରାମତି କରାନଯାଇ କେବଳ ରଙ୍ଗ କରିଦିଆଯାଇଥିଲା ।
ସେପଟେ କୁହାଯାଉଛି କି ପ୍ରଶାସନ ତରଫରୁ ଏହି ପୋଲର ପରିଚାଳନା ପାଇଁ ଅଞ୍ଜତା କମ୍ପାନୀକୁ ୧୫ ବର୍ଷ ପାଇଁ ଲିଜ ସୂତ୍ରରେ ଦିଆଯାଇଥିଲା । ହେଲେ କମ୍ପାନୀ ଏହାକୁ ଦେବ ପ୍ରକାଶ ସଲୁୃ୍ୟସନ (ତୃତୀୟ ପକ୍ଷ) କୁ ଦେଇ ଦେଇଥିଲା । କମ୍ପାନୀ ତରଫରୁ ପୋଲର ମରାମତି କରି ଲୋକଙ୍କ ପାଇଁ ଖୋଲି ଦେଇଥିଲେ ବି ଏନେଇ କୌଣସି ସୂଚନା ମୌରବି ପ୍ରଶାସନକୁ ଦେଇ ନଥିଲା । ଫଳରେ ଏହି ପୋଲ ମରାମତିର କ୍ୱାଲିଟ୍ ଚେକ୍ ହୋଇନଥିଲା ।