ପିଏମଓ ଅଧିକାରୀ ପରିଚୟରେ କାଶ୍ମୀର ପହଞ୍ଚିଲେ । ବୁଲେଟ୍ ପ୍ରୁଫ୍ ଗାଡିରେ ଯାଇ ସୀମା ସୁରକ୍ଷା ଯାଞ୍ଚ କଲେ । ଶେଷରେ ଧରାପଡିଲେ

304

କନକ ବ୍ୟୁରୋ: କାଶ୍ମୀରରେ ଜାଲିଆତିର ଏକ ନିଆରା ଘଟଣା ସାମ୍ନାକୁ ଆସିଛି । ଗୁଜରାଟର ଜଣେ ବ୍ୟକ୍ତି ନିଜକୁ ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟ (ପିଏମଓ)ର ଜଣେ ବରିଷ୍ଠ ଅଧିକାରୀ ପରିଚୟ ଦେଇ ବୁଲେଟ୍ ପ୍ରୁଫ୍ ଗାଡ଼ିରେ ଯାଇ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରିଛନ୍ତି ।। ନିଜକୁ ପିଏମଓର ଅଧିକାରୀ ବୋଲି ପରିଚୟ ଦେଇଥିବା ଠକର ମାମଲା ସାମ୍ନାକୁ ଆସିବା ପରେ ତାଙ୍କୁୁ ଗିରଫ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟର ଅତିରିକ୍ତ ନିର୍ଦ୍ଦେଶକ ବୋଲି ଦାବି କରୁଥିବା ଗୁଜୁରାଟର କିରଣ ପଟେଲଙ୍କୁ ମାର୍ଚ୍ଚ ୩ ତାରିଖରେ ଗିରଫ କରାଯାଇଥିଲା। ତାଙ୍କୁ ଶ୍ରୀନଗରର ଏକ ସ୍ଥାନୀୟ ଅଦାଲତ ବିଚାର ବିଭାଗୀୟ ହାଜତକୁ ପଠାଇଦେଇଛନ୍ତି ଏବଂ ବର୍ତ୍ତମାନ ମାର୍ଚ୍ଚ ୧୭ ପର୍ୟ୍ୟନ୍ତ ପୋଲିସ ରିମାଣ୍ଡରେ ଅଛନ୍ତି।

ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି)ର ଧାରା ୪୧୯, ୪୨୦, ୪୬୭, ୪୬୮ ଏବଂ ୪୭୧ ଅନୁଯାୟୀ ଏକ ଏଫଆଇଆର ରୁଜୁ କରାଯାଇ ସମ୍ବେଦନଶୀଳ ମାମଲାର ଗଭୀର ତଦନ୍ତ ଆରମ୍ଭ କରାଯାଇଛି ବୋଲି କଶ୍ମୀର ପୁଲିସ କହିଛି। ଜମ୍ମୁ-କଶ୍ମୀର ପୁଲିସର ସିଆଇଡି ଶାଖା ଲଳିତ ଗ୍ରାଣ୍ଡ ହୋଟେଲରେ ରହୁଥିବା କିରଣ ପଟେଲଙ୍କ ସମ୍ପର୍କରେ କାଶ୍ମୀର ପୁଲିସକୁ ଗୁଇନ୍ଦା ସୂଚନା ଦେବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ଏହାପରେ ଏସପି ପୂର୍ବ ଶ୍ରୀନଗର ଓ ଏସଡିପିଓ ନେହେରୁ ପାର୍କର ଏକ ଟିମ୍ ତଦନ୍ତ କରିଥିଲେ। ତେବେ ଏହି ମାମଲାର ତଦନ୍ତ ଏବେ ପ୍ରାଥମିକ ପର୍ୟ୍ୟାୟରେ ରହିଛି। ବ୍ୟକ୍ତି ଜଣଙ୍କୁ ଅଟକ ରଖାଯାଇଛି ।