ଗୁଜରାଟରେ ଚିତପତାଙ୍ଗ କଂଗ୍ରେସ: ସେପଟେ ହିମାଚଳ ପ୍ରଦେଶରେ ବିଜେପି-କଂଗ୍ରେସ ମଧ୍ୟରେ ସାପସିଡି ଖେଳ 

120

କନକ ବ୍ୟୁରୋ: ଗୁଜରାଟ ଓ ହିମାଚଳ ପ୍ରଦେଶରେ କିଏ ବାଜି ମାରୁଛି, ତା’ ଉପରେ ନଜର । ସକାଳ ୮ଟାରୁ ଗୁଜରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନର ଭୋଟ୍ ଗଣତି ହୋଇଛି । ଗୁଜରାଟରେ ବିଜେପି ବହୁତ ଆଗରେ ରହିଥିବା ବେଳେ କଂଗ୍ରେସ ପଛରେ ପଡିଛି । ଗୁଜରାଟରେ ବିଜେପି ୧୪୬ ସିଟରେ ଆଗୁଆ ରହିଛି ଆଉ କଂଗ୍ରେସ ୨୪ ସିଟ୍ ଦଖଲ କରିପାରିଛି । ହେଲେ ହିମାଚଳ ପ୍ରଦେଶରେ କଡା ଟକ୍କର ଦେଖିବାକୁ ମିଳିଛି । ହିମାଚଳ ପ୍ରଦେଶରେ ସାପ ସିଡି ଖଳେୁଛନ୍ତି ବିଜେପି – କଂଗ୍ରେସ । ବିଜେପି ୩୪ ସିଟରେ ଆଗୁଆ ଥିବା ବେଳେ କଂଗ୍ରେସ ୩୧ ସିଟ ହାତେଇଛି ।

ଗୁଜରାଟରେ ମୋଟ ୧୮୨ ବିଧାନସଭା ଆସନ ପାଇଁ ଭୋଟ୍ ଗଣତି ହେଉଛି । ବିଜେପି ୨୭ ବର୍ଷ ଧରି ଗୁଜରାଟରେ ଶାସନ କରିଆସୁଛି । ସପ୍ତମଥର ପାଇଁ ମଧ୍ୟ ପଦ୍ମ ଦଳ କ୍ଷମତାକୁ ଫେରିବା ନେଇ ଦୃଢ଼ ଆଶାୟୀ ରହିଛି । ବିଜେପି ଗୁଜରାଟରେ ବିପୁଳ ଜନମତ ହାସଲ କରିବ ବୋଲି ବିଭିନ୍ନ ଏଗଜିଟ୍ ପୋଲ ଗୁଡ଼ିକ ଦର୍ଶାଇଛନ୍ତି । ଗୁଜରାଟରେ ଶାସକ ବିଜେପି ୧୧୭ରୁ ୧୫୧ ଆସନ ଜିତିବା ନେଇ ଆକଳନ ହୋଇଛି । କଂଗ୍ରେସକୁ ୧୬ରୁ ୫୧ ଆସନ ଏବଂ ଆପ୍ ୨ରୁ ୧୩ ଆସନ ଜିତିପାରେ ବୋଲି ପୂର୍ବାନୁମାନ କରାଯାଇଛି ।

ସେହିଭଳି ହିମାଚଳ ପ୍ରଦେଶରେ ମୋଟ ୬୮ଟି ବିଧାନସଭା ଆସନ ପାଇଁ ଭୋଟ୍ ଗଣତି ହେବ । ହିମାଚଳରେ ବିଜେପି ଓ କଂଗ୍ରେସ ମଧ୍ୟ କଡ଼ା ଟକ୍କର ହେବ ବୋଲି ଏଗଜିଟ୍ ପୋଲଗୁଡ଼ିକ ଆକଳନ କରିଛନ୍ତି । ଯଦି ବିଜେପି ହିମାଚଳରେ ପୁଣି ସରକାର ଗଠନ କରେ, ତାହେଲେ ଏହା ରେକର୍ଡ ସୃଷ୍ଟି କରିବ । ଏହାବ୍ୟତୀତ ଉତରପ୍ରଦେଶର ମୈନପୁର ଲୋକସଭା ଆସନ ଏବଂ ୫ ରାଜ୍ୟର ୬ ବିଧାନସଭା ଆସନର ମଧ୍ୟ ଭୋଟ୍ ଗଣତି ହେବ । ଏହି ବିଧାନସଭା ଆସନ ଗୁଡ଼ିକ ଉତର ପ୍ରଦେଶ, ଓଡ଼ିଶା, ରାଜସ୍ଥାନ, ବିହାର ଓ ଛତିଶଗଡ଼ରେ ରହିଛି । ଭୋଟ୍ ଗଣନା ସମୟରେ ମୋବାଇଲ ଫୋନ, ଆଇପ୍ୟାଡ, ଲାପଟପ ଏବଂ ଅନ୍ୟ ରେକର୍ଡିଂ ଡିଭାଇସକୁ ବ୍ୟାନ କରାଯାଇଛି ।