କନକ ବ୍ୟୁରୋ : ମାନହାନୀ ମାମଲାରେ ତଳ କୋର୍ଟ ଦେଇଥିବା ଦଣ୍ଡାଦେଶ ଉପରେ ରୋକ ଲଗାଇବାକୁ ମନା କରିବା ସହ ରାହୁଲ ଗାନ୍ଧୀଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି ଗୁଜରାଟ ହାଇକୋର୍ଟ । ହାଇକୋର୍ଟ କହିଛନ୍ତି, ତଳ କୋର୍ଟ ଦେଇଥିବା ରାୟ ଯଥାର୍ଥ ଓ ଆଇନସମ୍ମତ ଏହାସହ ରାଜନୀତିରେ ଶାଳୀନତାର ଆବଶ୍ୟକତା ରହିଛି ବୋଲି କୋର୍ଟ କହିଛନ୍ତି ।

Advertisment

ତଳ କୋର୍ଟ ଦେଇଥିବା ୨ ବର୍ଷର ସଜା ଉପରେ ରୋକ୍ ଲଗାଇବାକୁ ଗୁଜରାଟ ହାଇକୋର୍ଟ ମନା କରିବା ପରେ ଲୋକସଭା ସାଂସଦ ପଦରୁ ଅଯୋଗ୍ୟ ରହିବେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ସେପଟେହାଇକୋର୍ଟଙ୍କ ନିଷ୍ପତି ପରେ ଜୁଲାଇ ୨୦ରେ ମୌସୁମୀ ଅଧିଶେସନକୁ ରାହୁଲ ଗାନ୍ଧୀ ଫେରିବା ଆଶା ମଉଳିଲା ।

ଯଦି ହାଇକୋର୍ଟ ରାହୁଲଙ୍କ ସପକ୍ଷରେ ମତ ଦେଇଥାନ୍ତେ ଏବଂ ୨ ବର୍ଷର ଦଣ୍ଡାଦେଶ ଉପରେ ରୋକ ଲଗାଇଥାନ୍ତେ, ତେବେ ରାହୁଲ ତାଙ୍କ ସଂସଦ ପଦ ଫେରି ପାଇଥାନ୍ତେ ଏବଂ ୨୦୨୪ ନିର୍ବାଚନ ଲଢ଼ିବା ନେଇ କୌଣସି ପ୍ରତିବନ୍ଧ ରହିନଥାନ୍ତା । ଏବେ ରାହୁଲଙ୍କ ନିକଟରେ ଦୁଇଟି ରାସ୍ତା ରହିଛି । ମାମଲାର ପୁନର୍ବିଚାର ପାଇଁ ଗୁଜରାଟ ହାଇକୋର୍ଟଙ୍କ ଡିଭିଜନ ବେଂଚରେ ଆବେଦନ କରିପାରିବେ ନହେଲେ ସିଧା ସୁପ୍ରିମକୋର୍ଟରେ ଏ ନେଇ ଅପିଲ୍ କରିପାରିବେ ।

ଗୁଜରାଟ ହାଇକୋର୍ଟଙ୍କ ରାୟ ପରେ ଦେଶବ୍ୟାପୀ ଏହାର ପ୍ରତିବାଦ କରିଛି କଂଗେସ । ଅହମଦାବାଦ, ଦିଲ୍ଲୀ, ଜୟପୁର ସମେତ ବିଭିନ୍ନ ରାଜ୍ୟରେ କଂଗ୍ରେସ କର୍ମୀ ପ୍ରତିବାଦ କରିଛନ୍ତି । ଭୁବନେଶ୍ୱର କଂଗ୍ରେସ ଭବନରେ ପ୍ରତିବାଦ କରାଯାଇଛି । ଦଳ ଉପରେ ଏହା କୌଣସି ପ୍ରଭାବ ପକାଇବ ନାହିଁ । ଏହାକୁ ହୀନ ରାଜନୀତି କହିବା ସହ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି କହିଛନ୍ତି ପିସିସି ସଭାପତି । ସେପଟେ ବିଜେପି ରାଜ୍ୟ ସଭାପତି କହିଛନ୍ତି ହୀନ ରାଜନୀତି ବିଜେପି ନୁହେଁ କଂଗ୍ରେସ କରିଆସିଛି । ମାପିଚୁପି ବୟାନ ଦେଇଛନ୍ତି ବିଜେଡି ନେତା ।

ଏକ ଜନସଭାକୁ ଉଦବୋଧନ ଦେଇ ରାହୁଲ ଗାନ୍ଧୀ କହିଥିଲେ କି, ନୀରବ ମୋଦୀ, ଲଳିତ ମୋଦୀ, ନରେନ୍ଦ୍ର ମୋଦୀଙ୍କ ସାଂଜ୍ଞା ଏକା କାହିଁକି? ସବୁ ଚୋରଙ୍କ କାହିଁକି ଗୋଟିଏ ସାଂଜ୍ଞା?

ଏ ନେଇ ସୁରଟର ଏକ କୋର୍ଟରେ ମାନହାନୀ ମାମଲା ଦାୟର କରିଥିଲେ ବିଜେପି ନେତା ପୂର୍ଣ୍ଣେଶ ମୋଦୀ । ଏହାର ବିଚାର କରି ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୨ ବର୍ଷର ସଜା ଶୁଣାଇଥିଲେ କୋର୍ଟ । ଏହାପରେ ରାହୁଲ ସଦସ୍ୟ ପଦ ହରାଇଥିଲେ ଏବଂ ୮ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢ଼ିବା ଉପରେ ଅଙ୍କୁଶ ଲାଗିଥିଲା ।