କଂଗ୍ରେସକୁ ବାଏ ବାଏ କହିଲେ ହାର୍ଦ୍ଦିକ ପଟେଲ । ସୋନିଆଙ୍କୁ ଇସ୍ତଫା ପତ୍ର ପଠାଇ ଲେଖିଲେ ଏମିତି କିଛି…

869

କନକ ବ୍ୟୁରୋ: ଗୁଜରାଟ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ଼ ଝଟକା । କଂଗ୍ରେସରୁ ଇସ୍ତଫା ଦେଲେ ହାର୍ଦ୍ଦିକ ପଟେଲ । ସୋନିଆ ଗାନ୍ଧୀଙ୍କ ନିକଟକୁ ହାର୍ଦ୍ଦିକ ଇସ୍ତଫା ପତ୍ର ପଠାଇଛନ୍ତି । ଏବେ ସକରାତ୍ମକ ଭାବେ କାମ କରିପାରିବି  । ମୋ ନିଷ୍ପତ୍ତିକୁ ଜନତା ସ୍ୱାଗତ କରିବେ ବୋଲି ମୋର ବିଶ୍ୱାସ ବୋଲି କହିଛନ୍ତି ହାର୍ଦ୍ଦିକ ।

ଅନ୍ୟପଟେ କଂଗ୍ରେସର ହାତ ଛାଡି ବିଜେପିରେ ଯୋଗ ଦେଇ ପାରନ୍ତି ହାର୍ଦ୍ଦିକ ପଟେଲ ବୋଲି ଚର୍ଚ୍ଚା ହେଉଛି । ଏହା ପଛର ବଡ କାରଣ ହେଉଛି ହାର୍ଦ୍ଦିକ ପଟେଲଙ୍କ ନୂଆ ଫଟୋ । ହ୍ୱାଟସଆପର ନୂଆ ପ୍ରୋଫାଇଲ ଫଟୋରେ ହାର୍ଦ୍ଦିକ ପଟେଲ ଗେରୁଆ ଗାମୁଛା ପକାଇଥିବାର ଦେଖିବାକୁ ମିଳିଛି । କେବଳ ଏତିକି ନୁହେଁ ହାର୍ଦ୍ଦିକ ପଟେଲ ହ୍ୱାଟସଆପ ଓ ଟେଲିଗ୍ରାମରେ ନିଜର ଫଟୋ ବଦଳାଇଛନ୍ତି ।

ହାର୍ଦ୍ଦିକ ପଟେଲ ଗୁଜୁରାଟ କଂଗ୍ରେସର ନେତୃତ୍ୱକୁ ନେଇ ଅସନ୍ତୁଷ୍ଟ ଥିଲେ । ଏପରିକି ନିଜର ଅସନ୍ତୋଷକୁ ବାରମ୍ବାର ପରିପ୍ରକାଶ ମଧ୍ୟ କରିଛନ୍ତି ହାର୍ଦ୍ଦିକ । କେବଳ ଏତିକି ନୁହେଁ କଂଗ୍ରେସରେ ନିଜର ସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଥିଲେ ହାର୍ଦ୍ଦିକ । ଏପରିକି ପୂର୍ବରୁ ହାର୍ଦ୍ଦିକ କହିଛନ୍ତି, ସୋନିଆ, ରାହୁଲ ଓ ପ୍ରିୟଙ୍କାକୁ ନେଇ କୌଣସି ଅସନ୍ତୋଷ ନାହିଁ ବରଂ ରାଜ୍ୟ ନେତୃତ୍ୱକୁ ନେଇ ଅସନ୍ତୁଷ୍ଟ ଥିବା କଥା କହିଥିଲେ ।

ହାର୍ଦ୍ଦିକ ପଟେଲ ଗତ ସପ୍ତାହରେ ନିଜକୁ ରାମଭକ୍ତ କହିଥିଲେ । ଏପରିକି ହିନ୍ଦୁ ହୋଇଥିବା କାରଣରୁ ସେ ଗର୍ବିତ ବୋଲି କହିଥିଲେ । ନିଜ ବାପାଙ୍କ ମୃତ୍ୟୁର ଅନ୍ତିମ ସଂସ୍କାରରେ ୪ ହଜାର ଭଗବତ୍ ଗୀତା ବାଣ୍ଟିବେ ବୋଲି କହିଥିଲେ ହାର୍ଦ୍ଦିକ । ସେତେବେଳେ ହାର୍ଦ୍ଦିକ କହିଥିଲେ, ମୁଁ ହିନ୍ଦୁ ଏବଂ ଏଥିପାଇଁ ବହୁତ ଗର୍ବିତ । ଆଉ ଏହାପରେ ଗୁଜୁରାଟ ବିଜେପି ଅଧ୍ୟକ୍ଷ ହାର୍ଦ୍ଦିକ ପଟେଲଙ୍କ ପ୍ରଂଶସା କରିଥିଲେ । ଆଉ ଏହାପରେ ହାର୍ଦ୍ଦିକ ପଟେଲ ବିଜେପିରେ ଯୋଗ ଦେଉଥିବା ଚର୍ଚ୍ଚା ବଢିଛି ।