ମୋଦିଙ୍କ ନିଜ ରାଜ୍ୟରେ ଲାଗୁ ହୋଇନି ନୂଆ ନିୟମ ! ଟ୍ରାଫିକ୍ ଫାଇନ୍ ଅଧା କଲେ ଗୁଜୁରାଟ ସରକାର ।

691

କନକ ବ୍ୟୁରୋ : ସାରା ଦେଶରେ ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ଗାଡି ଚାଳକଙ୍କ ମନରେ କୋକୁଆ ଭୟ ଖେଳିଯାଇଛି । ଓଡିଶାରେ ଆଗାମୀ ୩ ମାସ ପର୍ଯ୍ୟନ୍ତ ନୂଆ ନିୟମକୁ କୋହଳ କରାଯାଇଥିବା ବେଳେ ସେପଟେ ଟ୍ରାଫିକ ଫାଇନକୁ ଅଧା କରିଦେଇଛନ୍ତି ଗୁଜରାଟ ସରକାର । ନୂଆ ମୋଟରଯାନ ଆଇନ ପ୍ରଧାନମନ୍ତ୍ରୀଙ୍କ ନିଜ ରାଜ୍ୟରେ ଲାଗୁ କରାଯାଇନାହିଁ । ଗତକାଲି ଏହି ଆଇନରେ ସଂଶୋଧନ କରାଯାଇ ଗୁଜରାଟ ସରକାର ଫାଇନକୁ ଅଧା କରିଦେଇଛନ୍ତି ।

ସଂଶୋଧିତ ମୋଟରଯାନ ଆଇନରେ ବିନା ହେଲମେଟରେ ଦୁଇଚକିଆ ଗାଡି ଚଳାଇଲେ ହଜାରେ ଟଙ୍କା ଫାଇନର ବ୍ୟବସ୍ଥା ଥିବାବେଳେ ଗୁଜରାଟ ସରକାର ଏହାକୁ ୫ ଶହ ଟଙ୍କା କରିଛନ୍ତି । ସେହିଭଳି ସିଟବେଲ୍ଟ ନବାନ୍ଧିଲେ ହଜାରେ ବଦଳରେ ୫ ଶହ ଟଙ୍କା ଦେବାକୁ ପଡିବ । ବିନା ଡ୍ରାଇଭିଂ ଲାଇସେନ୍ସରେ ଗାଡି ଚଳାଇ ଧରାପଡିବା ଅବସ୍ଥାରେ ନୂଆ ସଂଶୋଧିତ ଆଇନରେ ୫ ହଜାର ଟଙ୍କା ଫାଇନ ଥିବାବେଳେ ଗୁଜରାଟ ସରକାର ଦୁଇଚକିଆ ଯାନ ଚାଳକଙ୍କ ପାଇଁ ୨ ହଜାର ଓ ଅନ୍ୟମାନଙ୍କ ଲାଗି ୩ ହଜାର କରିଛନ୍ତି ।

ସେହିପରି ଦୁଇଚକିଆରେ ୩ ଜଣ ବସିଯାଉଥିବାବେଳେ ନୂଆ ସଂଶୋଧନ ଆଇନରେ ହଜାରେ ଟଙ୍କାର ବ୍ୟବସ୍ଥା ଥିବାବେଳେ ଗୁଜରାଟ ସରକାର ଶହେ ଟଙ୍କା ଫାଇନ ଦେବାକୁ ସ୍ଥିର କରିଛନ୍ତି । ପ୍ରଦୂଷଣ କରୁଥିବା ଯାନ ଉପରେ ନୂଆ ସଂଶୋଧନ ଆଇନରେ ୧୦ ହଜାର ଟଙ୍କା ଫାଇନ ଥିବାବେଳେ ଗୁଜରାଟ ସରକାର ଛୋଟ ଗାଡି ପାଇଁ ହଜାରେ ଓ ଅନ୍ୟ ଗାଡି ପାଇଁ ୩ ହଜାର ନେବାକୁ ସ୍ଥିର କରିଛନ୍ତି । ଏହା ଅନ୍ୟ ରାଜ୍ୟ ଉପରେ ପ୍ରଭାବ ପକାଇବ ବୋଲି ଆଶା କରାଯାଉଛି ।