ଗୁଜରାଟରେ ଆପକୁ ବଡ ଝଟକା । ଆମ୍ ଆଦମୀ ପାର୍ଟି ସହ ମେଣ୍ଟ ଭାଙ୍ଗିଲା ଭାରତୀୟ ଟ୍ରାଇବଲ ପାର୍ଟି ।

223

କନକ ବ୍ୟୁରୋ: ଆମ୍ ଆଦମୀ ପାର୍ଟିକୁ ବଡ ଝଟକା । ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ଦଳର ହାତ ଛାଡିଲା ଭାରତୀୟ ଟ୍ରାଇବଲ ପାର୍ଟି । ଗୁଜରାଟରେ ଦୁଇ ଦଳ ଭିତରେ ଥିବା ମେଣ୍ଟ ଭାଙ୍ଗିଯାଇଛି । ଏନେଇ ସୋମବାର ଔପଚାରିକ ଭାବେ ଘୋଷଣା କରାଯାଇଛି ।

ଭାରତୀୟ ଟ୍ରାଇବଲ ପାର୍ଟି ତରଫରୁ କୁହାଯାଇଛି ଯେ, ଯଦି ଆମ୍ ଆଦମୀ ପାର୍ଟି ସହିତ ତାଙ୍କର ମେଣ୍ଟ ରୁହେ, ତେବେ ସେମାନଙ୍କର କ୍ଷତି ହେବ । ଭାରତୀୟ ଟ୍ରାଇବଲ ପାର୍ଟିର ସଙ୍ଗଠନ ଦୁର୍ବଳ ହେବ । ଖାଲି ସେତିକି ନୁହେଁ ତାଙ୍କ ପାର୍ଟିକୁ ଭାଙ୍ଗିବାକୁ ମଧ୍ୟ ପ୍ରୟାସ ହେଇପାରେ । ତେଣୁ ସେମାନେ ଆମ୍ ଆଦମୀ ପାର୍ଟି ସହିତ ମେଣ୍ଟ ଭାଙ୍ଗିବାକୁ ନିଷ୍ପତ୍ତି ନେଇଛନ୍ତି । ଏଥିସହିତ ଆଗାମୀ ନିର୍ବାଚନରେ ଭାରତୀୟ ଟ୍ରାଇବଲ ପାର୍ଟି ଗୁଜରାଟରେ ଏକାକି ନିର୍ବାଚନକୁ ଓହ୍ଲାଇବ ।

ଗୁଜରାଟରେ ୧୮୨ ଆସନରୁ ୨୭ଟି ସିଟରେ ଆଦିବାସୀ ସମାଜର ପ୍ରଭାବ ରହିଛି । ବିଭିନ୍ନ ନିର୍ବାଚନମଣ୍ଡଳୀରେ ହାର-ଜିତ୍ ଫଇସଲା ମଧ୍ୟ ଆଦିବାସୀ ଭୋଟରମାନେ ନିର୍ଣ୍ଣୟ କରିଥାନ୍ତି । ଯେଉଁ କାରଣରୁ ଆମ୍ ଆଦମୀ ପାର୍ଟି ନିର୍ବାଚନ ପୂର୍ବରୁ ଗୁଜରାଟରେ ଭାରତୀୟ ଟ୍ରାଇବଲ ପାର୍ଟି ସହିତ ହାତ ମିଶାଇଥିଲା । ହେଲେ ନିର୍ବାଚନ ପୂର୍ବରୁ ଦୁଇଦଳ ଭିତରେ ମେଣ୍ଟ ଭାଙ୍ଗିଯାଇଛି । ତେବେ ଆମ୍ ଆଦମୀ ପାର୍ଟି ପକ୍ଷରୁ ବର୍ତ୍ତମାନ ସୁଦ୍ଧା ଏନେଇ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ ।

ଗତ କିଛି ସମୟ ଧରିି ଗୁଜରାଟରେ ଆପ୍ ସଂଯୋଜକ ଅରବିନ୍ଦ କେଜରିୱାଲ ସକ୍ରିୟ ରହିଛନ୍ତି । ଚଳିତବର୍ଷ ସେ ଏକାଧିକ ଥର ଗୁଜରାଟ ଗସ୍ତ କରି ସେଠାରେ ମାହୋଲ ପ୍ରସ୍ତୁତ କରିଛନ୍ତି । ତେବେ ବିଜେପିକୁ ଟକ୍କର ଦେବାକୁ ଆପ୍ ଜୋରସୋରରେ ଉଦ୍ୟମ କରୁଛି । ହେଲେ ଶେଷ ମୁହୂର୍ତ୍ତରେ ଦଳକୁ ଝଟକା ଦେଇଛି ଭାରତୀୟ ଟ୍ରାଇବଲ ପାର୍ଟି ।