ଗୁଜରାଟ ମୁଦ୍ରା ବନ୍ଦରରୁ ୧୫ ହଜାର କୋଟିର ହେରୋଇନ୍ ଜବତ : ଆଫଗାନିସ୍ଥାନରୁ ଆସୁଥିବା ସୂଚନା,୨ ଗିରଫ

168

କନକ ବ୍ୟୁରୋ : ଗୁଜୁରାଟର ମୁନ୍ଦ୍ରା ପୋର୍ଟରୁ ବିପୁଳ ପରିମାଣର ନିଶା ଦ୍ରବ୍ୟ ଜବତ ହୋଇଛି । ଜବତ ହୋଇଥିବା ନିଶା ଦ୍ରବ୍ୟର ମୂଲ୍ୟ ୧୫ ହଜାର କୋଟି ଟଙ୍କା ହେବ । ଗୁଜରାଟ କଚ୍ଛ ଜିଲ୍ଲାରେ ଥିବା ମୁନ୍ଦ୍ରା ବନ୍ଦରରୁ ୩ ଟନ୍ ହୋରୋଇନ୍ ଜବତ କରିଛି ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ବା ଡିଆରଆଇ । ଦୁଇଟି କଂଟେନର ଭିତରେ ଏହି ହୋରୋଇନ୍ ରଖାଯାଇଥିଲା । ଏହି ମାମଲାରେ ଏକ ଦମ୍ପତିଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ସ୍ୱାମୀ-ସ୍ତ୍ରୀଙ୍କ ଘର ଚେନ୍ନାଇରେ ବୋଲି ଜଣାପଡ଼ିଛି । ଆଫଗାନିସ୍ତାନରୁ ବିପୁଳ ପରିମାଣର ନିଶାଦ୍ରବ୍ୟ ନେଇ ଗୁଇନ୍ଦା ଖବର ପରେ ଡିଆରଆଇର ଅଧିକାରୀମାନେ ଚଢ଼ାଉ କରିଥିଲେ ।

ଏହା ହିଁ ଆଇଏସ୍‌ଆଇ ଏବଂ ତାଲିବାନର ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ପାଣ୍ଠି ସୃଷ୍ଟି କରିବାର ଏକମାତ୍ର ବାଟ । ପୂର୍ବର ଘନି ସରକାର ଏହି ନିଶାଦ୍ରବ୍ୟ ବନ୍ଦ କରିଥିଲେ କିନ୍ତୁ ଏବେ ଏହା ପୁଣିଥରେ ଆରମ୍ଭ ହୋଇଛି। ଦିଲ୍ଲୀରେ ଥିବା ଆଫଗାନ ନାଗରିକଙ୍କୁ ଏବେ ଜେରା କରାଯାଉଛି । ମିଳିଥିବା ସୂଚନାନୁଯାୟୀ ପରୋକ୍ଷ ଭାବେ ସେମାନେ ଆଇଏସ୍‌ଆଇ ସହ ଜଡ଼ିତ । କିନ୍ତୁ ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହୋଇପାରିବ । ଆର୍ଥିକ ସ୍ଥିତି ଭୁଶୁଡ଼ି ପଡ଼ିବାପରେ ତାଲିବାନ ଏହାକୁ ପାଣ୍ଠି ସଂଗ୍ରହର ଏକମାତ୍ର ପାଣ୍ଠି ଭାବେ ଗ୍ରହଣ କରୁଛି । ଆଫଗାନିସ୍ତାନରେ ପ୍ରସ୍ତୁତ ନିଶାଦ୍ରବ୍ୟ ଜବତ ହୋଇଥିବା କୁହାଯାଉଛି । ଅହମଦାବାଦ, ଦିଲ୍ଲୀ, ଚେନ୍ନାଇ, ଗାନ୍ଧୀଧାମରେ ସର୍ଚ୍ଚ‌୍ ଅପରେସନ୍‌ ଜାରି ରହିଛି । ଉକ୍ତ ମାମଲାରେ ୨ ଜଣ ଗିରଫ ହୋଇଛନ୍ତି ଏବଂ ଏକାଧିକ ସଂସ୍ଥାକୁ ତଦନ୍ତ ପରିସରକୁ ଅଣାଯାଇଛି । ଏତେ ପରିମାଣରେ ନିଶାଦ୍ରବ୍ୟ ଜବତ ହେବା ଘଟଣା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି ।