କନକ ବ୍ୟୁରୋ: ରାଜ୍ୟସଭା ନିର୍ବାଚନ ଆଗରୁ ଗୁଜରାଟ କଂଗ୍ରେସରେ ମହାନାଟକ । ଦଳରୁ ଇସ୍ତଫା ଦେଇଛନ୍ତି ୮ ବିଧାୟକ । ମାର୍ଚରେ ୫ ଜଣ ବିଧାୟକଙ୍କ ଇସ୍ତଫା ପରେ ଏବେ ଗୁଜରାଟର କର୍ଜନ ବିଧାୟକ ଅକ୍ଷୟ ପଟେଲ, କପରଦା ବିଧାୟକ ଜିତୁ ଚୌଧୁରୀ ଏବଂ ମୋରବି ବିଧାୟକ ବ୍ରିଜେସ ମେରଜାଙ୍କ ଇସ୍ତଫା ଦେଇଛନ୍ତି । ଦଳରୁ ୮ ବିଧାୟକଙ୍କ ଇସ୍ତଫା ପରେ ଦଳର ଚିନ୍ତା ବଢି ଯାଇଛି । କଂଗ୍ରେସରୁ ଇସ୍ତଫା ଦେବା ପରେ ଏମାନେ ସମସ୍ତେ ବିଜେପିରେ ଯୋଗ ଦେବେ ବୋଲି ଚର୍ଚା ହେଉଛି । ୨୦୧୭ ବିଧାନସଭା ନିର୍ବାଚନରେ ଗୁଜରାଟରେ କଂଗ୍ରେସକୁ ମିଳିଥିଲା ୭୮ ଆସନ । ଏବେ ୮ ଜଣ ବିଧାୟକଙ୍କ ଇସ୍ତଫା ପରେ ଗୁଜରାଟରେ କଂଗ୍ରେସର ବିଧାୟକଙ୍କ ସଂଖ୍ୟା ୬୫କୁ ଖସି ଆସିଛି ।

Advertisment

ସେପଟେ ରାଜ୍ୟସଭା ନିର୍ବାଚନ ଆଗରୁ ଗୁଜରାଟ କଂଗ୍ରେସରୁ ବିଧାୟକଙ୍କ ଇସ୍ତଫା ଧାରା ଲଂବିଥିବାରୁ ଦଳ ଏବେ ୬୫ ବିଧାୟକଙ୍କୁ ନେଇ ତିନି ଭାଗ କରି ତିନୋଟି ହୋଟେଲରେ ରଖିଛି । ଆସନ୍ତା ଜୁନ୍ ୧୯ରେ ରହିଛି ରାଜ୍ୟସଭା ନିର୍ବାଚନ । ଗୁଜରାଟରେ ଏପରି ଘୋଡାବେପାର ପରେ କଂଗ୍ରେସ ଏବେ ନିଜ ବିଧାୟକଙ୍କୁ କିପରି ସୁରକ୍ଷିତ ରଖିବ ତାହା ଉପରେ ଜୋର୍ ଦେଇଛି । କଂଗ୍ରେସ ଏପରି ଘଟଣାକୁ ନେଇ ବିଜେପି ଉପରେ ବର୍ଷିଛି । ସେପଟେ ଗୁଜରାଟ ବିଜେପି ନେତା କହିଛନ୍ତି ଏହା କଂଗ୍ରେସ ଦଳର ଅନ୍ତରୀଣ ବ୍ୟାପାର ।

୧୮୨ ଆସନ ବିଶିଷ୍ଟ ଗୁଜରାଟ ବିଧାନସଭାରେ ବିଜେପି ନିକଟରେ ୧୦୩ ଏବଂ କଂଗ୍ରେସ ନିକଟରେ ୬୫ ବିଧାୟକ ରହିଛନ୍ତି । ଗୁଜରାଟ କଂଗ୍ରେସ ଜାତୀୟ ମୁଖପାତ୍ର ଶକ୍ତିସିନ ଗୋହିଲଙ୍କୁ ପ୍ରଥମ ପସନ୍ଦ ପ୍ରାର୍ଥୀ ଓ ଭରତସିନ ସୋଲଙ୍କୀଙ୍କୁ ଦ୍ୱିତୀୟ ପ୍ରାର୍ଥୀ ଘୋଷଣା କରିଛି । ରାଜ୍ୟସଭା ପାଇଁ ଜଣେ ପ୍ରାର୍ଥୀଙ୍କୁ ୩୫ ବିଧାୟକଙ୍କ ସମର୍ଥନ ଆବଶ୍ୟକତା ଥିବାରୁ ଗୁଜରାଟ କଂଗ୍ରେସରୁ ୯ ବିଧାୟକଙ୍କ ଇସ୍ତଫା ପରେ ଦ୍ୱିତୀୟ ପ୍ରାର୍ଥୀ ଭରତସିନ ସୋଲଙ୍କୀଙ୍କ ରାଜ୍ୟସଭା ଯିବା ଉପରେ ଆଶଙ୍କା ଦେଖା ଦେଇଛି ।