କନକ ବ୍ୟୁରୋ : ଗୁଜରାଟରେ କଂଗ୍ରେସ ବିଧାୟକଙ୍କ କରୋନା ପଜିଟିଭ୍ । ମଙ୍ଗଳବାର ସେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଓ ଉପମୁଖ୍ୟମନ୍ତ୍ରୀ ନିତିନ୍ ପଟେଲଙ୍କୁ ସାକ୍ଷାତ କରିଛନ୍ତି । ଏହାକୁ ନେଇ ଗୁଜରାଟର ରାଜନୈତିକ ମହଲରେ ଆତଙ୍କ ଖେଳିଗଲାଣି । ଗୁଜରାଟର ଜମାଲପୁରର କଂଗ୍ରେସ ବିଧାୟକ ଇମରାନ ଖେଡାୱାଲାଙ୍କ ଠାରେ ମିଳିଛି କରୋନା ଭୂତାଣୁ । ଏହାକୁ ନେଇ ଗୁଜରାଟ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କୁ ନେଇ ଦେଖାଦେଇଛି ଚିନ୍ତା ।
ମଙ୍ଗଳବାର ବୈଠକରେ ଜମାଲପୁର ବିଧାୟକ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ବସିଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ଗୁଜରାଟ ମୁଖ୍ୟମନ୍ତ୍ରୀ ନିଜର କରୋନା ପରୀକ୍ଷା କରାଇବା ସହ ନିଜେ ସଙ୍ଗରୋଧରେ ରହିବେ ବୋଲି ଆଶା କରାଯାଉଛି । ସେହିପରି ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ ଗୁଜରାଟ ଉପମୁଖ୍ୟମନ୍ତ୍ରୀ ଓ ଗୃହମନ୍ତ୍ରୀ ମଧ୍ୟ କ୍ୱାରେଣ୍ଟାଇନରେ ରହିବା ନେଇ ସୂଚନା ମିଳିଛି ।
ମଙ୍ଗଳବାର ଅହମ୍ମଦାବାଦର ୨ଟି ଅଂଚଳରେ କର୍ଫ୍ୟୁ ଲାଗିବା ସମ୍ପର୍କରେ କଂଗ୍ରେସର ତିନି ଜଣ ବିଧାୟକଙ୍କ ସହ ବୈଠକରେ ଆଲୋଚନା କରିଥିଲେ ଗୁଜରାଟ ମୁଖ୍ୟମନ୍ତ୍ରୀ । ଏହି ବୈଠକ ପରେ ରାତିରେ କଂଗ୍ରେସ ବିଧାୟକ ଇମରାନ ଖେଡାୱାଲାଙ୍କ ଠାରେ କରୋନା ପଜିଟିଭ୍ ଜଣାପଡିଥିଲା । ବର୍ତମାନ ସୁଦ୍ଧା ଗୁଜରାଟରେ କୋଭିଡ ୧୯ର ୬୧୫ ଟି ମାମଲା ସାମ୍ନାକୁ ଆସିଛି । ଏହା ମଧ୍ୟରୁ ଅଧିକାଂଶ ଅହମ୍ମଦାବାଦ ସହର ଅଂଚଳରୁ ରହିଛି ।