କନକ ବ୍ୟୁରୋ : ଆଜି ଗୁଜୁରାଟର ଭରୋଦରାଠାରେ ଅନୁଷ୍ଠିତ ହେଉଥିବା ଏକ ନିର୍ବାଚନୀ ସଭାରେ ଭାଷଣ ଦେବାବେଳେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନି ହଠାତ ଖସିପଡ଼ିଥିଲେ । ଅସୁସ୍ଥତା କାରଣରୁ ସେ ଖସିପଡ଼ିଥିବା କୁହାଯାଉଛି ।
ମୁଖ୍ୟମନ୍ତ୍ରୀ ଖସିପଡ଼ିବା ବେଳେ ତାଙ୍କ ସୁରକ୍ଷା କର୍ମୀମାନେ ତାଙ୍କୁ ତୁରନ୍ତ ଧରିପକାଇଥିଲେ । ମଞ୍ଚରେ ଡାକ୍ତରୀ ଦଳ ତାଙ୍କୁ ପ୍ରାଥମିକ ଚିକିତ୍ସା କରିବା ପରେ ସେ ସାମାନ୍ୟ ସୁସ୍ଥ ହୋଇଥିଲେ । ତେବେ ଏହାପରେ ତାଙ୍କୁ ଅହମଦାବାଦସ୍ଥିତ ୟୁଏନ ମେହେଟ୍ଟା ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଏକ ଅଭିଜ୍ଞ ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରୁଛନ୍ତି । ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ଜଣାପଡ଼ିଛି ।
ଭରୋଦରାର ନିଜାମାପୁରା ଅଞ୍ଚଳରେ ପୌର ନିର୍ବାଚନ ପାଇଁ ସେ ପ୍ରଚାର କରିବାକୁ ଯାଇଥିଲେ । ଆଜି ତାଙ୍କର ୩ଟି ଜନସଭା ଥିଲା । ଗତ କିଛି ଦିନ ହେଲା ସେ ଅସୁସ୍ଥ ଥିଲେ । ଏହା ସତ୍ତ୍ବେ ସେ ନିର୍ବାଚନ ପ୍ରଚାର ପାଇଁ ଯାଇଥିଲେ । ଗୁଜୁରାଟରେ ଆସନ୍ତା ୨୧ ତାରିଖରେ ୬ଟି ପୌର ନିଗମ ପାଇଁ ନିର୍ବାଚନ ହେବ । ପରେ ରାଜ୍ୟର ଅନ୍ୟ ମୁନିସିପାଲିଟି ଓ ପଞ୍ଚାୟତ ପାଇଁ ନିର୍ବାଚନ ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/02/vijay-rupani-fell-down-on-stage-02_1613318779.jpg)