ଶତ୍ରୁ ଦେଶ ପାକିସ୍ତାନରୁ ଆସୁଥିଲା ୬୦୦ କୋଟି ଟଙ୍କାର ଡ୍ରଗ୍ସ, ଜବତ କଲା ଗୁଜୁରାଟ ଏଟିଏସ ।

124

କନକ ବ୍ୟୁରୋ : ଗୁଜୁରାଟ ଏଟିଏସକୁ ବଡ ସଫଳତା । ଶତ୍ରୁ ଦେଶରୁ ଆସିଥିବା ୬୦୦ କୋଟିର ଡ୍ରଗ୍ସକୁ ଜବତ କରିଛି ଗୁଜୁରାଟ ଏଟିଏସ । ଗୁଜୁରାଟର ମୋରବୀ ଜିଲ୍ଲାରୁ ଏହି ଡ୍ରଗ୍ସ ଜବତ କରାଯାଇଛି । ପୋଲିସର ସୂଚନା ଅନୁଯାୟୀ, ପ୍ରାୟ ୧୨୦ କିଲୋଗ୍ରାମର ଡ୍ରଗ୍ସ ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ୬୦୦ କୋଟି ବୋଲି କୁହାଯାଉଛି । ପାକିସ୍ତାନର ଡ୍ରଗ୍ସ ମାଫିଆ ଖାଲିଦ ବକ୍ସଙ୍କ ଏହି ଡ୍ରଗ୍ସ କାରବାରରେ ହାତ ଥିବା କୁହାଯାଉଛି । ପାକିସ୍ତାନରୁ ଏହି ଡ୍ରଗ୍ସ ଭାରତକୁ ଚୋରାଚାଲାଣ କରଯାଉଥିଲା । ହେଲେ ଏହା ଲୋକଙ୍କ ପାଖରେ ପହଞ୍ଚିବା ପୂର୍ବରୁ ଏହାକୁ ଜବତ କରିଛି ଗୁଜୁରାଟ ଏଟିଏସ ।

୬୦୦ କୋଟି ଟଙ୍କାର ଡ୍ରଗ୍ସ ସହ ୪ ଜଣଙ୍କୁ ଗିରଫ କରାଯାଇଛି । ଆଉ ସବୁଠୁ ବଡ କଥା ହେଲା ଏହି ଡ୍ରଗ୍ସ କାରବାରର ମାଷ୍ଟରମାଇଣ୍ଡ ଥିବା ଖାଲିଦର ସମ୍ପର୍କ ଜୈସ-ଏ-ମହମ୍ମଦ ଭଳି ଆତଙ୍କବାଦୀ ସଙ୍ଗଠନ ସହ ରହିଛି । ଏହି ଡ୍ରଗ୍ସ ଚୋରା କାରାବାରର ବ୍ଲୁ-ପ୍ରିଣ୍ଟ ଦୁବାଇରେ ହୋଇଥିଲା । ଦୁବାଇରେ ହିଁ ଭାରତର ଦୁଇ ଡ୍ରଗ୍ସ ମାଫିଆଙ୍କ ସହ ଡିଲ କରିଥିଲା ଖାଲିଦ । ଆଉ ଏହି ଦୁଇ ଡ୍ରଗ୍ସ ମାଫିଆଙ୍କୁ ଗିରଫ କରିଛି ପୋଲିସ ।

ଏହା ପ୍ରଥମଥର ନୁହେଁ ଯେବେ ପାକିସ୍ତାନର ଡ୍ରଗ୍ସ ମାଫିଆ ଖାଲିଦ ଭାରତକୁ ବିପୁଳ ମାତ୍ରାରେ ଡ୍ରଗ୍ସ ପଠାଇନାହାନ୍ତି । ଏହାପୂର୍ବରୁ ମଧ୍ୟ ଭାରତକୁ ଡ୍ରଗ୍ସ ପଠାଇବାକୁ ଅନେକଥର ଉଦ୍ୟମ କରିଛି ଖାଲିଦ । କେତେବେଳେ ଏଥିରେ ସଫଳ ହୋଇଛି ତ ପୁଣି କେତେବେଳେ ଏଥିରେ ବିଫଳ ହୋଇଛି ଖାଲିଦ । ଏହାପୂର୍ବରୁ ଗତ ସପ୍ତାହରେ ପୋଲିସ ଦ୍ୱାରକା ଓ ସୁରଟରୁ ହେରୋଇନ ଓ ନିଶା ଦ୍ରବ୍ୟ ଜବତ କରିଥିଲା ପୋଲିସ । ଆଉ ଏହି ମାମଲାରେ ୩ ଜଣଙ୍କୁ ଗିରଫ କରାଯାଇଥିଲା । ଦ୍ୱାରିକାରୁ ପୋଲିସ ଯେଉଁ ୧୭ କିଲୋ ଡ୍ରଗ୍ସ ଜବତ କରିଥିଲା ତାହାର ଆନୁମାନିକ ମୂଲ୍ୟ ୯୦ କୋଟି ଥିଲା ।