ଗୁଜରାଟ ବିଧାନସଭାରେ କଂଗ୍ରେସ ବିଧାୟକଙ୍କ ହଙ୍ଗାମା, ୧୪ ବିଧାୟକଙ୍କୁ ନିଲମ୍ବନ କଲେ ବାଚସ୍ପତି

62

କନକ ବ୍ୟୁରୋ : ଗୁଜରାଟ ବିଧାନସଭାରେ ଅଶୋଭନୀୟ ଆଚରଣ ପାଇଁ ସ୍ୱାଧୀନ ବିଧାୟକ ଜିଗ୍ନେଶ ମେୱାନୀଙ୍କ ସମେତ କଂଗ୍ରେସର ୧୪ ଜଣ ବିଧାୟକଙ୍କୁ ନିଲମ୍ବିତ କରାଯାଇଛି । ଏମାନଙ୍କୁ ଗୋଟିଏ ଦିନ ପାଇଁ ନିଲମ୍ବିତ କରାଯିବା ସହ ମାର୍ଶଲ ଲଗାଇ ସେମାନଙ୍କୁ ବିଧାନସଭା ଭିତରୁ ବାହାର କରାଯାଇଛି ।

ବୁଧବାର ଦିନ ଗୁଜରାଟ ବିଧାନସଭାର କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀଦଳ ନେତା ସୁଖରାମ ରାଠୱା ଆନ୍ଦୋଳନରତ ସରକାରୀ କର୍ମଚାରୀ, କୃଷକ, ଅଙ୍ଗନବାଡୀ କର୍ମୀ, ଅବସରପ୍ରାପ୍ତ ସେନା କର୍ମଚାରଙ୍କ ସମସ୍ୟା ଉପରେ ୩୦ ମିନିଟ ପାଇଁ ବିଶେଷ ଆଲୋଚନା ଦାବି କରିଥିଲେ ।

ହେଲେ ରାଠୱାଙ୍କର ଏଭଳି ଦାବିକୁ ଖାରଜ କରିଦେଇଥିଲେ ବିଧାନସଭା ଅଧ୍ୟକ୍ଷ ବା ବାଚସ୍ପତି ନିମାବେନ ଆଚାର୍ଯ୍ୟ । ଏହାପରେ ସ୍ୱାଧୀନ ବିଧାୟକ ଜିଗ୍ନେଶ ମେୱାନୀଙ୍କ ସହ କଂଗ୍ରେସର କିଛି ବିଧାୟକ ବାଚସ୍ପତିଙ୍କ ଟେବୁଲ ନିକଟକୁ ଯାଇ ନାରାବାଜୀ କରିଥିଲେ । ସେମାନେ ଆନ୍ଦୋଳନରେ ବସିଥିବା ସମସ୍ତ କର୍ମଚାରୀଙ୍କୁ ନ୍ୟାୟ ଦେବାକୁ ନାରାବାଜି କରିଥିଲେ । ଏହାକୁ ନେଇ ବିରୋଧୀଦଳର ଉପ ନେତା ଶୈଲେସ ପରମାର କହିଥିଲେ କି ଯେତେବେଳେ ଏତେଗୁଡିଏ ବିଭାଗର ସରକାରୀ କର୍ମଚାରୀ ନିଜ ନିଜର ଲମ୍ବା ଦାବି ନେଇ ଆନ୍ଦୋଳନରେ ବସିଛନ୍ତି ସେତେବେଳେ ସରକାର କାହିଁକି ଏହା ଉପରେ ଆଲୋଚନା କରିବାକୁ ମନା କରୁଛନ୍ତି ।

ସେପଟେ ବିରୋଧୀ ବିଧାୟକମାନେ ଦୀର୍ଘସମୟ ଧରି ଏଭଳି ନାରାବାଜି କରିବାରୁ ସଂସଦୀୟ କାର୍ଯ୍ୟମନ୍ତ୍ରୀ ରାଜେନ୍ଦ୍ର ତ୍ରିବେଦୀ ସେମାନଙ୍କୁ ନିଲମ୍ବନ କରିବାକୁ ପ୍ରସ୍ତାବ ଆଣିଥିଲେ । ଏହି ପ୍ରସ୍ତାବକୁ ଧ୍ୱନୀମତ ସହାୟାତରେ ପାରିତ କରାଯାଇଥିଲା । ଏଥିରେ ସ୍ୱାଧୀନ ବିଧାୟକ ଜିଗ୍ନେଶ ମେୱାନୀଙ୍କ ସହ କଂଗ୍ରେସର ୧୪ ଜଣ ବିଧାୟକଙ୍କୁ ଗୋଟିଏ ଦିନ ପାଇଁ ନିଲମ୍ବନ କରାଯାଇଛି ।