ଜାମନଗର ବିଧାନସଭାରେ ଭାଉଜ-ନଣନ୍ଦଙ୍କ ମଧ୍ୟରେ ଲଢେଇ । ଜାଡେଜାଙ୍କ ସ୍ତ୍ରୀଙ୍କୁ ଟକ୍କର ଦେବେ ଭଉଣୀ ନୈନା

ଜାମନଗର ବିଧାନସଭାରେ ଭାଉଜ-ନଣନ୍ଦଙ୍କ ମଧ୍ୟରେ ଲଢେଇ । ଜାଡେଜାଙ୍କ ସ୍ତ୍ରୀଙ୍କୁ ଟକ୍କର ଦେବେ ଭଉଣୀ ନୈନା

କନକ ବ୍ୟୁରୋ : ଏବେ ସାରା ଦେଶର ନଜର ଗୁଜରାଟ ବିଧାନସଭା ନିର୍ବାଚନ ଉପରେ । ଏହା ପ୍ରଧାନମନ୍ତ୍ରୀଙ୍କ ଗୃହରାଜ୍ୟ ହୋଇଥିବାରୁ ଏଠାରେ ବିଜେପି ପୁଣି କ୍ଷମତାକୁ ଫେରିବା ପ୍ରଧାନମନ୍ତ୍ରୀଙ୍କ ପାଇଁ ସମ୍ମାନର ପ୍ରଶ୍ନ । ସେପଟେ ୨୦୧୭ ନିର୍ବାଚନରେ କଂଗ୍ରେସ ବିଜେପିକୁ କଡା ଟକ୍କର ଦେଇଥିଲା । ମାତ୍ର ଅଳ୍ପକିଛି ଆସନ ପାଇଁ କଂଗ୍ରେସ ସରକାର ଗଠନ କରିବାରେ ବିଫଳ ହୋଇଥିଲା । ହେଲେ ଚଳିତ ନିର୍ବାଚନରେ କଂଗ୍ରେସ ଓ ବିଜେପି ଉଭୟକୁ ଟକ୍କର ଦେବାକୁ ଆମ୍ ଆଦମୀ ପାର୍ଟି ବି ଜୋରଦାର ପ୍ରସ୍ତୁତ ଆରମ୍ଭ କରିଦେଇଛି ।

ଏହାରି ମଧ୍ୟରେ ଗୁଜରାଟର ଜାମନଗର ଆସନକୁ ନେଇ ଚର୍ଚ୍ଚା ଜୋର ଧରିଛି । ଗତକାଲି ବିଜେପି ପକ୍ଷରୁ ଏହି ଆସନ ପାଇଁ କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ ପତ୍ନୀ ରିବାବା ଜାଡେଜାଙ୍କ ନାମ ଘୋଷଣା କରିଥିବା ବେଳେ ତାଙ୍କୁ ଟକ୍କର ଦେବାକୁ କଂଗ୍ରେସ ରବିନ୍ଦ୍ର ଜାଡେଜାଙ୍କ ଭଉଣୀ ନୈନା ଜାଡେଜାଙ୍କୁ ଟିକେଟ ଦେଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି । ନୈନା ଏବେ ଜାମନଗର କଂଗ୍ରେସ ମହିଳା ମୋର୍ଚ୍ଚାର ଅଧ୍ୟକ୍ଷ ଅଛନ୍ତି ।

ଜାମନଗର ଆସନରେ ଏବେ ବିଜେପିର ବିଧାୟକ ଭାବେ ଧର୍ମେନ୍ଦ୍ର ସିଂ ଜାଡେଜା ଅଛନ୍ତି । ସେ ୨୦୧୨ ମସିହାରେ କଂଗ୍ରେସ ଟିକେଟରୁ ବିଜୟୀ ହୋଇଥିଲେ । ହେଲେ ୨୦୧୭ ନିର୍ବାଚନରେ ସେ ବିଜେପିରେ ଯୋଗ ଦେଇ ପୁଣି ନିର୍ବାଚନ ଲଢିଥିଲେ ଓ ବିଜୟୀ ବି ହୋଇଥିଲେ ।

କହିରଖୁ କି ରବିନ୍ଦ୍ର ଜାଡେଜାଙ୍କ ପତ୍ନୀ ରିବାବା ଜାଡେଜା ଓ ଭଉଣୀ ନୈନା ଜାଡେଜାଙ୍କ ମଧ୍ୟରେ ପ୍ରଥମରୁ ସଂପର୍କ ଖରାପ ରହିଛି । ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ରିବାବା ବିଜେପିରେ ଯୋଗ ଦେଇଥିବା ବେଳେ ତାର କିଛିଦିନ ପରେ ନୈନା କଂଗ୍ରେସରେ ଯୋଗ ଦେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe