ଆଜି ଆସିବ ଗୁଜରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ଆସନର ଫଳାଫଳ । କାହାର ହେବ ଗୁଜୁରାଟ୍ ଗଡ? ଏକଜିଟ୍ ପୋଲର ପୂର୍ବାନୁମାନ, ହିମାଚଳରେ ବିଜେପିକୁ ଟକ୍କର ଦେଇପାରେ କଂଗ୍ରେସ

70

କନକ ବ୍ୟୁରୋ : ଗୁଜରାଟ ଓ ହିମାଚଳ ପ୍ରଦେଶରେ କିଏ ବାଜି ମାରୁଛି, ତା’ ଉପରେ ରହିବ ନଜର । ସକାଳ ୮ଟାରୁ ଗୁଜରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନର ଭୋଟ୍ ଗଣତି ହେବ । ଗୁଜରାଟରେ ମୋଟ ୧୮୨ ବିଧାନସଭା ଆସନ ପାଇଁ ଭୋଟ୍ ଗଣତି ହେବ । ବିଜେପି ୨୭ ବର୍ଷ ଧରି ଗୁଜରାଟରେ ଶାସନ କରିଆସୁଛି । ସପ୍ତମଥର ପାଇଁ ମଧ୍ୟ ପଦ୍ମ ଦଳ କ୍ଷମତାକୁ ଫେରିବା ନେଇ ଦୃଢ଼ ଆଶାୟୀ ରହିଛି । ବିଜେପି ଗୁଜରାଟରେ ବିପୁଳ ଜନମତ ହାସଲ କରିବ ବୋଲି ବିଭିନ୍ନ ଏଗଜିଟ୍ ପୋଲ ଗୁଡ଼ିକ ଦର୍ଶାଇଛନ୍ତି । ଗୁଜରାଟରେ ଶାସକ ବିଜେପି ୧୧୭ରୁ ୧୫୧ ଆସନ ଜିତିବା ନେଇ ଆକଳନ ହୋଇଛି । କଂଗ୍ରେସକୁ ୧୬ରୁ ୫୧ ଆସନ ଏବଂ ଆପ୍ ୨ରୁ ୧୩ ଆସନ ଜିତିପାରେ ବୋଲି ପୂର୍ବାନୁମାନ କରାଯାଇଛି ।

ସେହିଭଳି ହିମାଚଳ ପ୍ରଦେଶରେ ମୋଟ ୬୮ଟି ବିଧାନସଭା ଆସନ ପାଇଁ ଭୋଟ୍ ଗଣତି ହେବ । ହିମାଚଳରେ ବିଜେପି ଓ କଂଗ୍ରେସ ମଧ୍ୟ କଡ଼ା ଟକ୍କର ହେବ ବୋଲି ଏଗଜିଟ୍ ପୋଲଗୁଡ଼ିକ ଆକଳନ କରିଛନ୍ତି । ଯଦି ବିଜେପି ହିମାଚଳରେ ପୁଣି ସରକାର ଗଠନ କରେ, ତାହେଲେ ଏହା ରେକର୍ଡ ସୃଷ୍ଟି କରିବ । ଏହାବ୍ୟତୀତ ଉତରପ୍ରଦେଶର ମୈନପୁର ଲୋକସଭା ଆସନ ଏବଂ ୫ ରାଜ୍ୟର ୬ ବିଧାନସଭା ଆସନର ମଧ୍ୟ ଭୋଟ୍ ଗଣତି ହେବ । ଏହି ବିଧାନସଭା ଆସନ ଗୁଡ଼ିକ ଉତର ପ୍ରଦେଶ, ଓଡ଼ିଶା, ରାଜସ୍ଥାନ, ବିହାର ଓ ଛତିଶଗଡ଼ରେ ରହିଛି । ଭୋଟ୍ ଗଣନା ସମୟରେ ମୋବାଇଲ ଫୋନ, ଆଇପ୍ୟାଡ, ଲାପଟପ ଏବଂ ଅନ୍ୟ ରେକର୍ଡିଂ ଡିଭାଇସକୁ ବ୍ୟାନ କରାଯାଇଛି ।