ଲଦାଖରେ ଭାରତୀୟ ସେନା ନିର୍ମାଣ କଲା ବିଶ୍ୱର ସବୁଠାରୁ ଉଚ୍ଚା ସଡକ, ଗିନିଜ ବୁକ୍ ରେକର୍ଡରେ ପାଇଲା ସ୍ଥାନ

179

କନକ ବ୍ୟୁରୋ : ଭାରତୀୟ ସେନା ଦିନକୁ ଦିନ ମଜବୁତ ହେବାରେ ଲାଗିଛି । ରାଫେଲ ବିମାନ ଠାରୁ ମିଶାଇଲ ପର୍ଯ୍ୟନ୍ତ ବିଶ୍ୱ ସ୍ତରରେ ନିଜକୁ ସମୃଦ୍ଧ କରୁଥିବା ଭାରତୀୟ ସେନା ପୁଣି ଏକ ନୂଆ ରେକର୍ଡ କରି ଗିନିଜ ବୁକରେ ସ୍ଥାନ ପାଇଛି । ମଙ୍ଗଳବାର ଦିନ  ସୀମା ସଡକ ସଂଗଠନ ମହାନିର୍ଦ୍ଦେଶକ ଲେଫ୍ଟନାଣ୍ଟ ଜେନରାଲ ରାଜୀବ ଚୌଧୁରୀଙ୍କୁ ଏହି ସଡକ ନିର୍ମାଣ ପାଇଁ ଗିନିଜ୍ ବୁକ୍ ତରଫରୁ ପ୍ରମାଣ ପତ୍ର ପ୍ରାଦାନ କରାଯାଇଛି ।

ସୀମା ସଡକ ସଂଗଠନ ଲଦାଖରେ ବିଶ୍ୱର ସବୁଠାରୁ ଉଚ୍ଚା ମଟୋର କାର ଚାଲିପାରୁଥିବା ସଡକ ବନାଇ ବିଶ୍ୱକୁ ଚକିତ କରିଛି । ଏହି ସଡକ ଲଦାଖର ଓମଲିଙ୍ଗଲା ଠାରେ ୧୯,୦୨୪ ଫୁଟ ଉଚ୍ଚ ଉପରେ ନିର୍ମାଣ କରାଯାଇଛି । ଏହି ସଡକର ନାମ ଗିନିଜ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛି ।

ରକ୍ଷା ମନ୍ତ୍ରଣାଳୟ ତରଫରୁ କୁହାଯାଇଛି କି ଏହି ସଡକ ନିର୍ମାଣ ପାଇଁ ଗିନିଜ ବୁକ ତରଫରୁ ସୀମା ସଡକ ସଂଗଠନ ମହାନିର୍ଦ୍ଦେଶକ ଲେଫ୍ଟନାଣ୍ଟ ଜେନରାଲ ରାଜୀବ ଚୌଧୁରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଛି ।

କହିରଖୁ କି ଲଦାଖରେ ଭାରତୀୟ ସେନା ଓ ଚୀନ ସେନାଙ୍କ ମଧ୍ୟରେ ବାରମ୍ବାର ମୁହାଁ ମୁହିଁ ହେବାରେ ଲାଗିଛି । ଚୀନ ସେନା ବାରମ୍ବାର ଭାରତୀୟ ସୀମା ଭିତରକୁ ଅନୁପ୍ରବେଶ କରିବାକୁ ବିଭିନ୍ନ କୌଶଳ ଅବଲମ୍ବନ କରୁଛନ୍ତି  । ଏହାକୁ ପ୍ରତିହତ କରିବାକୁ ଏହି ସଡକ ଭାରତୀୟ ସେନାକୁ ସାହାୟକ ହେବ ବୋଲି ଆଶା କରାଯାଉଛି ।