ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହେବ ଗାଇଡଲାଇନ୍ ! ସ୍କୁଲରେ ହେବ କୋଭିଡ୍‌ ପରୀକ୍ଷା

13,781

କନକ ବ୍ୟୁରୋ : ନଭେମ୍ବର କିମ୍ବା ଡିସେମ୍ବରରୁ ସ୍କୁଲ ଖୋଲିବାର ସମ୍ଭାବନା ଅଛି । ପ୍ରଥମେ ୯ରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବାକୁ ଯୋଜନା ହେଉଛି । ହେଲେ ଏନେଇ କିଛି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନି । ‌ଏବେ କିଛି ସ୍କୁଲ, କଲେଜକୁ ଶିକ୍ଷକ, ଅଧ୍ୟାପକ, କର୍ମଚାରୀ ଆସୁଛନ୍ତି । ତେଣୁ ଛାତ୍ରଛାତ୍ରୀ ଯେପରି ସୁରକ୍ଷିତ ରହିବେ ସେଥିପାଇଁ ରାଜ୍ୟ ସରକାର ଗାଇଡଲାଇନ୍ ଜାରି କରିବେ । ହେଲେ ଏହା ପୂର୍ବରୁ ସ୍କୁଲ, କଲେଜ କର୍ତ୍ତୃପକ୍ଷ ଚାହିଁଲେ ସେମାନଙ୍କର କୋଭିଡ୍‌ ପରୀକ୍ଷା କରାଯିବ । ରାଜଧାନୀର କେତୋଟି ସ୍କୁଲରେ କ୍ୟାମ୍ପ କରି ଏହାର ନିକଟବର୍ତ୍ତୀ ସ୍କୁଲକୁ ଟ୍ୟାଗ୍‌ କରାଯିବ । ସେଠାରେ ସମସ୍ତଙ୍କର କୋଭିଡ୍‌ ପରୀକ୍ଷା କରାଯାଇପାରିବ ବୋଲି ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀ କହିଛନ୍ତି ।

ବିଏମ୍‌ସି କମିସନର କହିଛନ୍ତି ଯେ, ଏବେ ବିଏମ୍‌ସି କୋଭିଡ୍‌ ପରୀକ୍ଷା କମାଇନି । ଯେତେ ଲୋକ ଚାହିଁବେ ସେମାନଙ୍କର କରୋନା ପରୀକ୍ଷା କରିପାରିବେ। ସମସ୍ତ ୨୩ଟି ସିଏଚ୍‌ସି ଓ ପିଏଚ୍‌ସିରେ କରୋନା ପରୀକ୍ଷା ହେଉଛି । ପ୍ରତିଦିନ ୮ରୁ ୯ଟି କ୍ୟାମ୍ପ କରାଯାଉଛି । ବିଏମ୍‌ସି ପକ୍ଷରୁ ସମସ୍ତ ଶିକ୍ଷାନୁଷ୍ଠାନକୁ ସୁରକ୍ଷିତ ରଖିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ରାଜ୍ୟ ସରକାର ଯଦି ସବୁ ସ୍କୁଲ କଲେଜରେ କୋଭିଡ୍‌ ପରୀକ୍ଷା କରିବାକୁ ନିର୍ଦ୍ଦେଶନାମା ଜାରି କରିବେ ତେବେ ସେନେଇ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ ହେବ ।

କେବଳ ଶିକ୍ଷାନୁଷ୍ଠାନ ନୁହେଁ, ଆବାସିକ ସଂଘ, ଶିଳ୍ପାନୁଷ୍ଠାନ, ସରକାରୀ ଓ ବେସରକାରୀ ସଂସ୍ଥା ଯଦି ସେମାନଙ୍କର କର୍ମଚାରୀଙ୍କର କୋଭିଡ୍‌ ପରୀକ୍ଷା କରିବାକୁ ଚାହିଁବେ ତେବେ ଆମେ ସବୁ ପ୍ରକାରର ସହଯୋଗ ଯୋଗାଇଦେବୁ ।