ପିପିଲି ଉପ-ନିର୍ବାଚନ : ସେପ୍ଟେମ୍ବର ୨୦ରୁ ପ୍ରଚାର ଆରମ୍ଭ, ଶୋଭାଯାତ୍ରା ଓ ରାଲିକୁ ନା ।

234

କନକ ବ୍ୟୁରୋ : ଆସନ୍ତା ସେପ୍ଟେମ୍ବର ୩୦ ତାରିଖରେ ପିପିଲି ଉପ-ନିର୍ବାଚନ ପାଇଁ ପଡିବ ଭୋଟ । ତେବେ କରୋନା କାଳରେ ନିର୍ବାଚନ ହେଉଥିବାରୁ ଅନେକ କଟକଣା ଜାରି କରିଛନ୍ତି ନିର୍ବାଚନ କମିଶନ । ସେପ୍ଟେମ୍ବର ୨୦ ତାରିଖରୁ ନିର୍ବାଚନ ପ୍ରଚାର ପାଇଁ ଅନୁମତି ମିଳିଥିବା ବେଳେ ଆଜିଠାରୁ ଆଚରଣବିଧି ଲାଗୁ କରାଯାଇଛି । ସେହିଭଳି ନାମାଙ୍କନପତ୍ର ଦାଖଲ ସମୟରେ କୌଣସି ଶୋଭାଯାତ୍ରା ହୋଇପାରିବନି । ନାମାଙ୍କନ ପତ୍ର ଦାଖଲ ସମୟରେ ପ୍ରାର୍ଥୀଙ୍କ ସହ କେବଳ ୩ଟି ଗାଡିକୁ ଅନୁମତି ମିଳିବ ।

ଏହାବାଦ୍ ସାଧାରଣ ସଭା ଓ ରାଲି ଉପରେ କଟକଣା ଲଗାଇଛନ୍ତି ନିର୍ବାଚନ କମିଶନ । ଇନଡୋରରେ ସଭା ହେଉଥିଲେ ଉକ୍ତ ସ୍ଥାନର କ୍ଷମତାର ୩୦% ପ୍ରତିଶତ ଲୋକ କିମ୍ବା ୨୦୦ ଲୋକଙ୍କୁ ଅନୁମତି ମିଳିବ । ସେହିଭଳି ବାହାରେ ସଭା ହେଉଥିଲେ ଉକ୍ତ ସ୍ଥାନକୁ ବ୍ୟାରିକେଡ କରିବା ସହ ଏହାର କ୍ଷମତାର ୫୦ ପ୍ରତିଶତ କିମ୍ବା ତାରକା ପ୍ରଚାରକ ଆସିଥିଲେ ସର୍ବାଧିକ ୧୦୦୦ ଲୋକଙ୍କୁ ସାମିଲ ହେବାକୁ ଅନୁମତି ମିଳିବ । କୌଣସି ଷ୍ଟାର କ୍ୟାମ୍ପେନର ନଥିଲେ ଉକ୍ତ ସ୍ଥାନର କ୍ଷମତାର ୫୦ ପ୍ରତିଶତ ନଚେତ ୫୦୦ ଲୋକ ଯାହା ସବୁଠୁ କମ ହେବ ସେହି ଅନୁସାରେ ଲୋକଙ୍କୁ ସାମିଲ କରାଯିବ । ନିର୍ବାଚନ ପ୍ରଚାର ପାଇଁ ଜାତୀୟ ଓ ଆଞ୍ଚଳିକ ଦଳ ୨୦ ଜଣ ତାରକା ପ୍ରଚାରକଙ୍କୁ ମୈଦାନକୁ ଓହ୍ଲାଇପାରିବେ ।

ପ୍ରଚାର ସମୟରେ କୌଣସି ରାଲି କିମ୍ବା ଶୋଭାଯାତ୍ରା ହୋଇପାରିବନି । ମାତ୍ର ୫ ଜଣଙ୍କୁ ନେଇ ଘରକୁ ଘର ବୁଲି ପ୍ରଚାର କରିବେ ପ୍ରାର୍ଥୀ । ସେହିଭଳି ମୋଟ ୨୦ଟି ଗାଡିକୁ ପ୍ରଚାର ସମୟରେ ଅନୁମତି ମିଳିବ । ସେହିଭଳି ଗାଁ ଗହଳିରେ ସଭା କରୁଥିଲେ ମାତ୍ର ୫୦ ଜଣଙ୍କୁ ସାମିଲ ହେବାକୁ ମିଳିବ ଅନୁମତି । ନିର୍ବାଚନ ଦିନ ପ୍ରାର୍ଥୀଙ୍କ ପିଛା ଦୁଇଟି ଗାଡି ଏବଂ ସର୍ବାଧିକ ୩ ଜଣଙ୍କୁ ବୁଲିବା ପାଇଁ ମିଳିବ ଅନୁମତି । ଏହାବାଦ୍ ସାଧାରଣ ଲୋକଙ୍କ ସଂସ୍ପର୍ଶରେ ଯେଉଁ ପ୍ରାର୍ଥୀ, କର୍ମୀ, ପୋଲିଂ ଏଜେଣ୍ଟ ଆସିବେ ସେମାନେ ଟିକାର ଦୁଇଟି ଡୋଜ ନେଇଥିବା ଆବଶ୍ୟକ । ସେହିଭଳି ମତଦାନ କେନ୍ଦ୍ରରେ କାର୍ଯ୍ୟ କରିବାକୁ ଥିବା ସମସ୍ତ କର୍ମଚାରୀ ଓ ନିର୍ବାଚନ ଅଧିକାରୀ ମଧ୍ୟ ଟିକାର ଦୁଇଟି ଡୋଜ ନେବା ବାଧ୍ୟତାମୂଳକ କରାଯାଇଛି ।